ବାଂଲାଦେଶରେ ବୁଡ଼ିଗଲା ଦୁର୍ଘଟଣାଗ୍ରସ୍ତ ଲଞ୍ଚ୍: ୩୨ ମୃତ, ନିଖୋଜଙ୍କ ତଲାସୀ ଜାରି


ଢାକା: ବାଂଲାଦେଶ ରାଜଧାନୀ ଢାକାର ବୁରିଗଙ୍ଗା ନଦୀରେ ଏକ ଯାତ୍ରୀବାହୀ ଲଞ୍ଚ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ଲଞ୍ଚରେ ସମୁଦାୟ ୫୦ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ଏହା ପୁରୁଣା ଢାକାର ଶ୍ୟାମବାଜାର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଜଣେ ଯାତ୍ରୀ କହିଛନ୍ତି। ଏହି ଲଞ୍ଚଟିର ନାମ ‘ଏମଏଲ୍ ମର୍ଣ୍ଣିଂ ବାର୍ଡ’ ଥିବା ବେଳେ ଏହା ଅନ୍ୟ ଏକ ଲଞ୍ଚ୍ ସହ ମାଡ଼ ହୋଇଥିଲା। ମାୟୋର୍-୨ ନାମକ ଏହି ଲଞ୍ଚଟି ଆକାରରେ ଅନ୍ୟ ଲଞ୍ଚ୍‌ଠାରୁ ଯଥେଷ୍ଟ ବଡ଼ ଥିଲା। ଦୁର୍ଘଟଣା କାରଣରୁ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଲଞ୍ଚ୍‌ଟି ବୁଡ଼ିଯାଇଥିଲା ବୋଲି ଅଗ୍ନିଶମ ବିଭଗ ମୁଖ୍ୟାଳୟର ଡ୍ୟୁଟି ଅଫିସର୍ ରୋଜିନା ଅଖତରଙ୍କ ଉକ୍ତି ଉଦ୍ଧାର କରି ଢାକା ଟ୍ରିବ୍ୟୁନରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ୩୨ ଜଣ ଯାତ୍ରୀଙ୍କ ମୃତଦେହ ଠାବ କରାଯାଇଥିବା ବେଳେ ଅନ୍ୟାନ୍ୟ ନିଖୋଜଙ୍କ ତଲାସୀ ଜାରି ରହିଛି ବୋଲି ବାଂଲାଦେଶ ଇନଲାଣ୍ଡ୍ ୱାଟର୍ ଟ୍ରାନ୍ସପୋର୍ଟ ଅଥରିଟି (ବିଆଇଡବ୍ଲ୍ୟୁଟିଏ)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଦୁର୍ଘଟଣାଟି ସୋମବାର ପୂର୍ବାହ୍ନ ପ୍ରାୟ ୯ଟା ୧୫ ମିନିଟରେ ହୋଇଥିବା ଜଣାପଡ଼ିଛି।

ଏହି ଲଞ୍ଚ୍ ଦୁର୍ଘଟଣା ସମ୍ପର୍କରେ ବିଆଇଡବ୍ଲ୍ୟୁଟିଏର ଏକ ଚାରିଜଣିଆ ତଦନ୍ତ କମିଟିର ନେତୃତ୍ବ ଯୁଗ୍ମ ନିର୍ଦେଶକ ଜୟନୁଲ୍ ଆବେଦିନ୍ ନେଉଥିବା ବେଳେ ଏହାକୁ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିବା ଅଥରିଟିର ଅଧ୍ୟକ୍ଷ କମୋଡୋର୍ ଗୋଲାମ୍ ସାଦିକ୍ କହିଛନ୍ତି। ସେ କହିଛନ୍ତି ଯେ ଦୁର୍ଘଟଣାର ଶିକାର ହୋଇଥିବା ଲଞ୍ଚରେ ସର୍ବାଧିକ ୪୫ ଜଣ ଯାତ୍ରୀ ଯାତ୍ରା କରିବାର କ୍ଷମତା ଥିଲା। କିନ୍ତୁ କ୍ଷମତାଠାରୁ ଏଥିରେ ଅଧିକ ସଂଖ୍ୟକ ଯାତ୍ରୀ ଯାଉଥିବା ଅନୁମାନ କରାଯାଉଛି। କିନ୍ତୁ ତଥାପି ଏହି ଲଞ୍ଚଟି ଅନ୍ୟ ଏକ ଲଞ୍ଚ୍ ସହ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ବୁଡ଼ିଯାଇଥିଲା ବୋଲି ସାଦିକ୍ କହିଛନ୍ତି। ବର୍ତ୍ତମାନ ବୁଡ଼ିଯାଇଥିବା ଲଞ୍ଚକୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଦୁର୍ଘଟଣା ସମ୍ପର୍କରେ ଆହୁରି ଅଧିକ ବିବରଣୀ ଦିଆଯାଇପାରିବ ବୋଲି ସାଦିକ୍ କହିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସୀନା ଏହି ଅଘଟଣରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ