ପାକ୍ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ଆତଙ୍କୀ ହମଲା: ୪ ଆତଙ୍କୀ ସମେତ ୧୦ ମୃତ


ଇସଲାମାବାଦ: ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ୍ କାର୍ଯ୍ୟାଳୟ ଉପରେ ସୋମବାର ପୂର୍ବାହ୍ନ ୧୦ଟା ବେଳେ ଆତଙ୍କୀମାନେ ଆକ୍ରମଣ କରିଥିବା ବେଳେ ଏଥିରେ ୪ ଜଣଯାକ ଆତଙ୍କୀ ନିପାତ ହୋଇଛନ୍ତି। ଏହି ଆତଙ୍କୀମାନେ କରାଚୀ ଷ୍ଟକ୍ ଏକ୍ସଚେଞ୍ଜ୍ (କେଏସ୍ଇ) ନିକଟରେ ଆତଙ୍କୀମାନେ ଗ୍ରେନେଡ୍ ମାଡ଼ କରିବା ସହ ଗୁଳି ଚଳାଇବା ଫଳରେ ୬ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୋଲିସ୍ ଏଏସ୍‌ଆଇ, ୪ ଜଣ ସିକ୍ୟୁରିଟି ଗାର୍ଡ ଓ ଜଣେ ଲୋକ ଅଛନ୍ତି ବୋଲି ସୂଚନା ମିଳିଛି। ଏହାଛଡ଼ା ୩ ଜଣ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ତେବେ ସୁରକ୍ଷାକର୍ମୀମାନେ ତୁରନ୍ତ ସେଠାରେ ପହଞ୍ଚି କେଇ ମିନିଟ୍ ଭିତରେ ଆତଙ୍କୀମାନଙ୍କୁ ସଫା କରିଦେଇଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ଖାନତଲାସୀ ଜାରି ରଖିଛନ୍ତି। ପୋଲିସକୁ ମଧ୍ୟ ମୃତ ଆତଙ୍କୀଙ୍କ ନିକଟରୁ ବ୍ୟାପକ ପରିମାଣର ଅସ୍ତ୍ରଶସ୍ତ୍ର ଓ ହାତ ତିଆରି ଗ୍ରେନେଡ୍ ଜବତ କରାଯାଇଛି। ଆତଙ୍କୀମାନେ ପୋଲିସ୍ ଆଖିରେ ଧୂଳି ଦେବା ସକାଶେ ପୋଷାକରେ ପହଞ୍ଚି ଅଚାନକ ଆକ୍ରମଣ କରିଥିବା ଏକ ରିପୋର୍ଟରେ କୁହାଯାଇଛି।

ଏପରି ଆତଙ୍କୀ ହମଲାକୁ ସିନ୍ଦ୍ ଗଭର୍ଣ୍ଣର୍ ଇମରାନ୍ ଇସମାଇଲ୍ କଡ଼ା ଭାଷାରେ ନିନ୍ଦା କରିବା ସହ ଏପରି ଭୀରୁତାପୂର୍ଣ୍ଣ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ଅପରାଧୀମାନଙ୍କୁ ଆଦୌ କ୍ଷମା ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ଏହି ଆକ୍ରମଣ ଘଟଣା ପରେ କରାଚୀର ସମସ୍ତ ହସ୍ପିଟାଲରେ ଏମର୍ଜେନ୍ସି ଜାରି କରାଯାଇଛି ଓ ଦ୍ବିତୀୟ ଚୁନ୍ଦରିଗଡ଼ ରୋଡକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରାଯାଇଛି। ଦ୍ବିତୀୟ ଚୁନ୍ଦରିଗଡ଼ ରୋଡ୍ ପାକିସ୍ତାନର ୱାଲ୍ ଷ୍ଟ୍ରୀଟ୍ ଭାବେ ଜଣାଶୁଣା। ତେବେ କରାଚୀ ପାକିସ୍ତାନର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବା ବେଳେ ଏହା ଦେଶର ପ୍ରମୁଖ ସହର ମଧ୍ୟ ଅନ୍ୟତମ। ଦୀର୍ଘଦିନ ଧରି ପାକିସ୍ତାନ ଆତଙ୍କୀମାନଙ୍କୁ ଶରଣ ଦେଇଆସୁଥିବା ବେଳେ ଏହାକୁ ନେଇ ବରାବର ଅନ୍ତର୍ଜାତୀୟ ସ୍ତରରେ ସମାଲୋଚିତ ହୋଇଆସିଛି। କିନ୍ତୁ ଏସବୁ ସତ୍ତ୍ବେ ପାକିସ୍ତାନ ସରକାର ଆତଙ୍କୀମାନଙ୍କ ବିରୋଧରେ କୌଣସି ଠୋସ୍ ପଦକ୍ଷେପ ନେଉନାହାନ୍ତି। ତେଣୁ ସୋମବାରର ଆତଙ୍କୀ ଆକ୍ରମଣ ଦେଶରେ ଆତଙ୍କୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାର ଚରମ ପରିଣତି ବୋଲି ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ