ଗଞ୍ଜାମରେ ଆଉ ୨ କୋରୋନା ମୃତ୍ୟୁ: ୨୩ ଛୁଇଁଲା ମୋଟ ସଂଖ୍ୟା


ଭୁବନେଶ୍ବର: ରାଜ୍ୟରେ ବେକାବୁ ହେବାରେ ଲାଗିଛି କୋରୋନା ସ୍ଥିତି। ପ୍ରତିଦିନ ଯେଉଁଭଳି ଭାବେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ତାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଏହି ସ୍ଥିତି ଉତ୍କଟ ସମସ୍ୟା ସୃଷ୍ଟି କରିଛି। ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉକ୍ତ ଜିଲ୍ଲାରୁ ଆଜି ମଧ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୋରୋନା ନେଇଛି ଆଉ ୨ ଜଣଙ୍କର ମୁଣ୍ଡ। ଫଳରେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ମୃତ୍ୟୁବରଣ କରିଥିବା ୨ ଜଣ ଗଞ୍ଜାମ ଜିଲ୍ଲାର। ସେମାନେ ଉଭୟ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୪୮ ଓ ୫୨। ଏମାନେ କୋରୋନାରେ ଆକ୍ରାନ୍ତ ହେବା ପରେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ତେବେ ସେମାନଙ୍କ ଅନ୍ୟ କୌଣସି ରୋଗ ଥିଲା ନା ନାହିଁ ସେ ନେଇ କିଛି ସୂଚନା ଦିଆଯାଇନାହିଁ। ଏହାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରେ ୧୨ ଜଣ କୋରୋନା ଆକ୍ରାନ୍ତ ପ୍ରାଣ ହରାଇସାରିଲେଣି। ସେହିପରି ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ, କଟକ ଜିଲ୍ଲାରୁ ୪ ଜଣ, ପୁରୀ ଓ ବରଗଡ଼ ଜିଲ୍ଲାରୁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସମସ୍ତଙ୍କୁ ମିଶାଇ ଏଯାବତ୍ ରାଜ୍ୟରେ ୨୩ ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଛି। ସେହିପରି ରାଜ୍ୟରେ ମଧ୍ୟ ଅନ୍ୟ ୭ ଜଣ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମାତ୍ର ସେମାନଙ୍କ ମୃତ୍ୟୁ କୋରୋନା ଯୋଗୁ ନୁହେଁ ବରଂ ଅନ୍ୟ ରୋଗ କାରଣରୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ୨ ଜଣ, ୨୨ ତାରିଖରେ କୋରୋନାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨୩ ତାରିଖରେ ୨ ଜଣ ମୃତ୍ୟୁବରଣ କରିଥିଲେ। ୨୧ ତାରିଖରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବରଗଡ଼ ଜିଲ୍ଲାର ଥିବା ବେଳେ ଜଣେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଥିଲା। ସେହିପରି ୨୨ ତାରିଖରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ୨୩ ତାରିଖରେ ମୃତ୍ୟୁବରଣ କରିଥିବା ୨ ଜଣ ବ୍ୟକ୍ତି କଟକ ଜିଲ୍ଲାର ବୋଲି ଜଣାପଡ଼ିଥିଲା। ସେହିପରି ୨୭ ତାରିଖରେ ଗଞ୍ଜାମ ଜିଲ୍ଲାରେ ଆଉ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ସମସ୍ତ ମୃତକ କୋରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଅନ୍ୟ ରୋଗ ଥିଲା ବୋଲି ସୂଚନା ଦିଆଯାଇଥିଲା। ସେହିପରି ରବିବାର ଅର୍ଥାତ ୨୮ ତାରିଖରେ ରାଜ୍ୟରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲାର, ଜଣେ ଖୋର୍ଦ୍ଧା ଜିଲ୍ଲା (ଭୁବନେଶ୍ବର)ର ଏବଂ ଅନ୍ୟ ଜଣେ କଟକ ଜିଲ୍ଲାର ବୋଲି ଜଣାପଡ଼ିଥିଲା। ସେହିପରି ଆଜି ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ସୋମବାର ରାଜ୍ୟରେ ୨୪୫ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪ କ୍ବାରେଣ୍ଟାଇନ୍‌ ଓ ୩୧ ଜଣ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ବର୍ତ୍ତମାନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୮୫୯ ରେ ପହଞ୍ଚିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ