ମୋଦିଙ୍କ ବଳିଷ୍ଠ ନେତୃତ୍ବରେ ଭାରତ ଉଭୟ ଯୁଦ୍ଧରେ ବିଜୟୀ ହେବ: ଶାହ


ନୂଆଦିଲ୍ଲୀ: ସାମ୍ପ୍ରତିକ ସମୟରେ ଭାରତକୁ ଦୁଇଟି ବଡ଼ ସମସ୍ୟା ସହ ଲଢ଼େଇ କରିବାକୁ ପଡ଼ୁଛି। ଗୋଟିଏ ପଟେ ଚୀନରୁ ବାହାରିଥିବା ଘାତକ କୋରୋନା ଭୂତାଣୁରେ ଭାରତର ୧୬ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତଙ୍କ ଜୀବନ ଯାଇସାରିଥିବା ବେଳେ ୪ ଲକ୍ଷରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇସାରିଛନ୍ତି। ଦେଶରେ ଏପରି ସ୍ବାସ୍ଥ୍ୟଗତ ବିପତ୍ତି ସହ କୋଭିଡ୍ ଯୋଦ୍ଧାମାନେ ଲଢ଼େଇ ଜାରି ରଖିଥିବା ବେଳେ ଗତ ୧୫ ତାରିଖରେ ଚୀନ୍ ସୀମାରେ ଭାରତୀୟ ସେନାର ୨୦ ଜଣ ଯବାନ ଶହୀଦ ହେବା ଫଳରେ ଚୀନ୍ ବିରୋଧରେ ମଧ୍ୟ ଭାରତ ଲଢ଼ିବା ପାଇଁ ପ୍ରସ୍ତୁତି ଚଳାଇଛି। ଭାରତୀୟ ସେନା ପକ୍ଷରୁ ସୀମାବର୍ତ୍ତୀ ସମସ୍ତ ପୋଷ୍ଟଗୁଡ଼ିକରେ ସାମରିକ ଶକ୍ତିକୁ ବଢ଼ାଯାଇଛି ଓ ଚୀନର ପ୍ରତିଟି ପଦକ୍ଷେପ ଉପରେ କଡ଼ା ନଜର ରଖାଯାଇଛି। ତେବେ ଭାରତୀୟମାନେ ଆଗାମୀ ଦିନରେ ନିଶ୍ଚିତ ଭାବେ ଉଭୟ ଯୁଦ୍ଧରେ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ବରେ ଆମେ ନିଶ୍ଚିତ ଭାବେ ସୀମାରେ ଚୀନକୁ ମାତ୍ ଦେଇପାରିବା ଓ ଭାରତରେ ଆଗାମୀ ଦିନରେ କୋରୋନା ଭୂତାଣୁଜନିତ ବିଭୀଷିକାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ମଧ୍ୟ ପକାଇ ଦେବାରେ ସକ୍ଷମ ହେବୁ ବୋଲି ଶାହ କହିଛନ୍ତି।

ଏହି ଅବସରରେ ଶାହ କଂଗ୍ରେସର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧିଙ୍କୁ ମଧ୍ୟ ସଙ୍କଟଜନକ ସ୍ଥିତିରେ ବିଦେଶୀ ରାଷ୍ଟ୍ରର ଏଜେଣ୍ଟ୍ ପରି ବୟାନ ଦେବାକୁ ନାପସନ୍ଦ କରିଛନ୍ତି। ଚୀନ୍ ସେନାର ଭାରତୀୟ ସେନା ଉପରେ ଆକ୍ରମଣ ଘଟଣା ନେଇ ସର୍ବଦଳୀୟ ବୈଠକ ପରେ ମୋଦି ଦେଇଥିବା ବୟାନକୁ ଟାର୍ଗେଟ୍ କରିଥିଲେ ରାହୁଲ୍। ମୋଦି ଚୀନ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି ବୋଲି ଟ୍ବିଟ୍ କରି ରାହୁଲ୍ କହିଥିବା ବେଳେ ଏହି ପ୍ରସଙ୍ଗରେ ଶାହ କହିଛନ୍ତି ଯେ ଦେଶର ସଙ୍କଟ ସମୟରେ ଯେଉଁମାନେ ବି ଭାରତବିରୋଧୀ ମନ୍ତବ୍ୟ ଦେଉଛନ୍ତି, ସେମାନଙ୍କ ଏହି ଅପପ୍ରଚାରର ମୁକାବିଲା କରିବା ଶକ୍ତି ଆମ ଭାରତୀୟଙ୍କ ପାଖରେ ରହିଛି। କିନ୍ତୁ ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳର ପୂର୍ବତନ ସଭାପତି କିପରି ଦାୟିତ୍ବହୀନ ମନ୍ତବ୍ୟ ଦେଇ ଶସ୍ତା ରାଜନୀତି କରୁଛନ୍ତି, ତାହା ସବୁଠାରୁ ଦୁଃଖର ବିଷୟ ବୋଲି ଶାହ କହିଛନ୍ତି। ରାହୁଲଙ୍କ ପରି ଭାରତବିରୋଧୀ ପ୍ରଚାରରେ ମାତିଥିବା ବ୍ୟକ୍ତିମାନଙ୍କ ଉଦ୍ୟମରୁ ପଡ଼ୋଶୀ ପାକିସ୍ତାନ ଓ ଚୀନ୍ ଫାଇଦା ନେଉଛନ୍ତି ବୋଲି ସେ ହ୍‌ଦବୋଧ କରିବା ଉଚିତ ବୋଲି ଶାହ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ