ଭାରତ ଉପରେ ନଜର ପକାଇଥିବା ଶତ୍ରୁକୁ ଉପଯୁକ୍ତ ଜବାବ ଦିଆଯାଇଛି: ମୋଦି


ନୂଆଦିଲ୍ଲୀ: ଗତ ୧୫ ତାରିଖରେ ପୂର୍ବ ଲଦାଖ୍ ଅନ୍ତର୍ଗତ ଗଲୱାନ୍ ଉପତ୍ୟକାରେ ଭାରତୀୟ ସୀମା ଭିତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ଚୀନ୍ ସେନାକୁ ଜବାବ ଦେବାକୁ ଯାଇ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ। ଏହାପରେ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଅଧିକ ଉଗ୍ର ରୂପ ନେବାରେ ଲାଗିଛି। ଭାରତ ପକ୍ଷରୁ ଚୀନର କୌଣସି ପ୍ରକାର ଉଦ୍ୟମକୁ ପଣ୍ଡ କରିବା ସକାଶେ ସୀମାବର୍ତ୍ତୀ ପୋଷ୍ଟଗୁଡ଼ିକରେ ଅଧିକ ସଂଖ୍ୟାରେ ସେନାବାହିନୀ ମୁତୟନ କରାଯିବା ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରାଯାଇଛି। ତେବେ ଭାରତ ଉପରେ ନଜର ପକାଇବାକୁ ଚେଷ୍ଟା କରିଥିବା ଶତ୍ରୁ ରାଷ୍ଟ୍ରକୁ ଭାରତର ସାହସୀ ଯବାନମାନେ ଉପଯୁକ୍ତ ଜବାବ ଦେଇଛନ୍ତି। ଏପରି ଜବାବ ଦେଇ ଭାରତୀୟ ଯବାନମାନେ ଦେଶର ଅଖଣ୍ଡତା ଉପରେ ସାମାନ୍ୟ ଆଞ୍ଚ ବି ଆସିବାକୁ ଦେବେ ନାହିଁ ବୋଲି ପ୍ରମାଣିତ କରିଥିବା ମୋଦି ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ କହିଛନ୍ତି।

ଏହି ଅବସରରେ ମୋଦି ବିଦେଶୀ ସାମଗ୍ରୀ ଉପରେ ନିର୍ଭରଶୀଳ ନ ହୋଇ ଭାରତ ନିଜ ଉଦ୍ୟମରେ ସବୁକିଛି ଉତ୍ପାଦ ଉତ୍ପାଦନ କରିବା ଦିଗରେ ଅଗ୍ରସର ହେବାକୁ ଆହ୍ବାନ ଦେଇଛନ୍ତି। ବିଶେଷକରି ଭାରତ ବିରୋଧୀ ପଦକ୍ଷେପ ନେଉଥିବାରୁ ଚୀନ୍ ସାମଗ୍ରୀ ଭାରତରେ ବର୍ଜନ କରିବାକୁ ଆହ୍ବାନ ଦିଆଯାଉଛି। ଦେଶର ବଜାରରେ ଚୀନ୍ ସାମଗ୍ରୀର ପତିଆରା ଅଧିକ ରହିଥିବାରୁ ଭାରତ ଆତ୍ମନିର୍ଭରଶୀଳ ହୋଇପାରିଲେ ଚୀନ୍ ସମେତ ବିଭିନ୍ନ ବିଦେଶୀ ରାଷ୍ଟ୍ରର ସାମଗ୍ରୀ ଉପରେ ଆମକୁ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି ମୋଦି କହିଛନ୍ତି। ଏହି ଅବସରରେ ମୋଦି ଚୀନର ନାମ ନ ନେଇ କହିଛନ୍ତି ଯେ ଭାରତ ପଡ଼ୋଶୀ ରାଷ୍ଟ୍ର ସହ ମିତ୍ରତା ରକ୍ଷା କରିବାରେ ବିଶ୍ବାସ କରେ। କିନ୍ତୁ ଉକ୍ତ ମିତ୍ର ରାଷ୍ଟ୍ର ପରବର୍ତ୍ତୀ ସମୟରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କଲେ, ତାକୁ ଜବାବ ଦେବାରେ ଭାରତ ଆଦୌ କୁଣ୍ଠାବୋଧ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭାରତ ସବୁବେଳେ ନିଜ ସୀମାର ସୁରକ୍ଷା ପାଇଁ ବଳଶାଳୀ ଦେଶକୁ ବି ଟକ୍କର ଦେବାକୁ ପଛାଇନାହିଁ। ତେଣୁ ଦେଶର ସୀମା ଓ ଅଖଣ୍ଡତା ବଜାୟ ରଖିବା ଦେଶର ବୀର ଯବାନଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ମୋଦି କହିବା ସହ ଚୀନ୍ ଯବାନଙ୍କ ଆକ୍ରମଣରେ ଶହୀଦ ହୋଇଥିବା ୨୦ ଭାରତୀୟ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ଦେଶରେ ଲକଡାଉନ୍ ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ଦେଶବାସୀଙ୍କୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଯଦି ଆମେ ନିଜେ ମାସ୍କ ବ୍ୟବହାର କରିବା ନାହିଁ ଓ ସାମାଜିକ ଦୂରତା ନିୟମକୁ ଅଣଦେଖା କରିବା, ତା’ହେଲେ ଆମେ ନିଜର କ୍ଷତି କରିବା ସହ ଅନ୍ୟମାନଙ୍କ ପାଇଁ ସ୍ବାସ୍ଥ୍ୟଗତ ବିପତ୍ତିକୁ ଡାକିଆଣିବା ବୋଲି ମୋଦି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ