କୋରୋନା ଚଡ଼କରେ ପର୍ଯ୍ୟଟନ ଶ୍ରୀହୀନ

ଉଜୁଡ଼ି ଯାଇଛି ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିବିଶେଷର ଜୀବନ ଜୀବିକା

ଜୀବନ ଆଉ ଜୀବିକା ବି ରହୁ। କୋରୋନା ମୁକାବିଲା ବେଳେ ଏମିତି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେଥିପାଇଁ ତ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ସତ୍ତ୍ବେ ଦେଶରେ ଆରମ୍ଭ ହୋଇଥିଲା ଅନଲକ ପ୍ରକ୍ରିୟା। କାରଖାନା ଚାଲିଲା, ଶ୍ରମିକମାନଙ୍କୁ କାମ ଓ ସାମାଜିକ ଦୂରତ୍ବ ସହ ବଜାରକୁ ଖୋଲିବାକୁ ଅନୁମତି ଦିଆଗଲା। ଊଣାଅଧିକେ ରୋଜଗାରର ଉତ୍ସ ଖୋଲିଥିବା ବେଳେ ସବୁଠୁ ବେଶୀ ପ୍ରଭାବିତ ପର୍ଯ୍ୟଟନ କ୍ଷେତ୍ରରେ କିନ୍ତୁ ତାଲା ଖୋଲିପାରୁ ନାହିଁ। ଟୁର ଆଣ୍ଡ ଟ୍ରାଭେଲ ଉପରେ ନିର୍ଭରଶୀଳ ରାଜ୍ୟର ପାଖାପାଖି ୧୫ ଲକ୍ଷ ଲୋକ ମୁଣ୍ଡରେ ହାତଦେଇ ବସିଛନ୍ତି। ମାର୍ଚ୍ଚ ୨୪ ତାରିଖ ଠାରୁ ଦେଶରେ ଲକଡାଉନର ପ୍ରଥମ ପର୍ଯ୍ୟାୟ ଠାରୁ ଅଦ୍ୟାବଧି ଜୀବିକାକୁ ନେଇ ଭୋଗିଚାଲିଛନ୍ତି ଦୁର୍ଦ୍ଦଶା। ଆଇଫଲ ଟାୱାର ଖୋଲିଛି। ହଜ ଯାତ୍ରା ପାଇଁ ଅନୁମତି ମିଳିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଣେ ଆମ ଦେଶର ପ୍ରାୟତଃ ସାନବଡ଼ ମନ୍ଦିର, ମସଜିଦ, ଗୀର୍ଜାଘର ଖୋଲିଲାଣି। କିନ୍ତୁ ଆମ ରାଜ୍ୟରେ ଜୁଲାଇ ୩୦ ଯାଏ ମନ୍ଦିର ଖୋଲିବା ନେଇ କଟକଣା ରହିଛି। ଜୁଲାଇ ୧୨ ଯାଏ ଟ୍ରେନ ଚଳାଚଳ ଉପରେ କଟକଣା ଥିବା ବେଳେ ବିମାନ ଉଡ଼ାଣ ଉପରେ ବି ଲାଗିଛି ରୋକ। ଏଭଳି ସ୍ଥିତିରେ ଆଗାମୀ ପର୍ଯ୍ୟଟନ ଋତୁରେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ଯେ ଚଳଚଞ୍ଚଳ ହୋଇପାରିବ, ତାକୁ ନେଇ ଉଠିଛି ପ୍ରଶ୍ନ।

କୋରୋନା ପର୍ଯ୍ୟଟନ କ୍ଷେତ୍ରକୁ ଉଜାଡ଼ି ଦେଇଛି। ଗତ ମାର୍ଚ୍ଚ ମାସ ୨୪ ତାରିଖ ଠାରୁ ଲକଡାଉନରେ ରୁନ୍ଧି ହୋଇପଡ଼ିଛି। ରାଜ୍ୟର ହୋଟେଲ ଆତିଥେୟତା କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଛି। ରାଜ୍ୟରେ ଛୋଟବଡ଼ ମିଶି ୫ ହଜାର ହୋଟେଲ ରହିଛି। ସେଥରୁ ଭୁବନେଶ୍ବରରେ ୧ ହଜାର ହୋଟେଲ ଓ ପୁରୀରେ ରହିଛି ୭୦୦ ହୋଟେଲ। ଏହି ହୋଟେଲ ଗୁଡ଼ିକରେ ଗ୍ରୀଷ୍ମାବକାଶ ଓ ରଥଯାତ୍ରା ପାଇଁ ଭିଡ଼ ହୋଇଥାଏ। କିନ୍ତୁ ୨୦୧୯ରେ ସାମୁଦ୍ରିକ ମହାବାତ୍ୟା ଫନି ହୋଟେଲ ବେପାରକୁ ପ୍ରଭାବିତ କରିଥିବା ବେଳେ ଚଳିତ ବର୍ଷ ବିଶ୍ବ ମହାମାରୀ କୋରୋନା କାଳ ସାଜିଛି। ଟୁର ଆଣ୍ଡ ଟ୍ରାଭେଲ ଉପରେ ନିର୍ଭରଶୀଳ ୧୫ ଲକ୍ଷ ଲୋକଙ୍କ ଜୀବିକା ଠପ ହୋଇଯାଇଛି। ପାନ୍ଥନିବାସ ଓ ପାନ୍ଥିକାର ଆୟ ତୁଳନାରେ ବ୍ୟୟ ବଢ଼ିଚାଲିଛି। ଟୁର ଅପରେଟର, ଗାଇଡ, ଫଟୋଗ୍ରାଫର, କ୍ୟାବ ଡ୍ରାଇଭର ଏବେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ରାଜ୍ୟର ପର୍ଯ୍ୟଟନ ଆୟ ଶୂନରେ ପହଞ୍ଚିଛି। ପର୍ଯ୍ୟଟନ ନିଗମ ଅଧୀନରେ ଥିବା ପାନ୍ଥନିବାସ ଗୁଡ଼ିକର ଆର୍ଥିକ ଅବସ୍ଥା ଭଲ ନାହିଁ। କୋଭିଡ-୧୯ ପ୍ରଭାବରେ ଲକଡାଉନ ଓ ଶଟଡାଉନକୁ ନେଇ ଲୋକେ ସ୍ବାସ୍ଥ୍ୟକୁ ପ୍ରମୁଖ ପ୍ରାଥମିକତା ଦେଇଥିବା ବେଳେ ପର୍ଯ୍ୟଟନ ପୂରା ଫିକା ପଡ଼ିଛି। ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଶୂନଶାନ ପରିବେଶ ବିରାଜମାନ କରିଛି।

ଯେଉଁ ରଥଯାତ୍ରାକୁ ଶହ ଶହ ଫଟୋଗ୍ରାଫର, ଟୁର ଅପରେଟର, ଗାଇଡ ଅପେକ୍ଷା କରି ରହୁଥିଲେ, ସେହି ରଥଯାତ୍ରା ଚଳିତ ବର୍ଷ ପ୍ରଥମ ଥର ପାଇଁ ବିନା ଯାତ୍ରୀ ଓ ବିନା ଭକ୍ତରେ ସମ୍ପାଦିତ ହୋଇଛି। ହଜାର ହଜାର ସଂଖ୍ୟକ ଲୋକଙ୍କ ଆୟ ଚଳିତ ବର୍ଷ ରଥଯାତ୍ରାରୁ ହୋଇପାରିନି। କେବଳ ରଥଯାତ୍ରା ନୁହେଁ ଚଳିତ ଥର ରାଜ୍ୟର ବରକୁଳ, ରମ୍ଭା, ପୁରୀ, କୋଣାର୍କ, ଚାନ୍ଦିପୁର ଭଳି ପ୍ରମୁଖ ସ୍ଥାନ ଗୁଡ଼ିକରେ ଥିବା ପାନ୍ଥନିବାସ ଗୁଡ଼ିକ ମଧ୍ୟ ଯାତ୍ରୀଶୂନ୍ୟ ରହିଆସିଛି। ପର୍ଯ୍ୟଟକ ନ ଥିବାରୁ ସେହି ସ୍ଥାନ ଗୁଡ଼ିକରେ ଥିବା ଫଟୋଗ୍ରାଫର, ଗାଇଡ, ହୋଟେଲ, ଡଙ୍ଗାଚାଳକ, କ୍ୟାବ ଡ୍ରାଇଭର ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। କୋଭିଡ-୧୯ ଅନେକଙ୍କ ଜୀବିକାକୁ ମଧ୍ୟ ଖାଇଦେଇଛି। ପର୍ଯ୍ୟଟନ ଶିଳ୍ପ ସହ ସମ୍ପ୍‌କ୍ତ ହିତାଧିକାରୀଙ୍କ କ୍ଷତିକୁ ପର୍ଯ୍ୟଟନ ବିଭାଗ ଅଦ୍ୟାବଧି ଆକଳନ କରିନାହିଁ। ସେମାନଙ୍କ ଠାରୁ ବକେୟା ସଂଗ୍ରହ ଅବଧିକୁ କୋହଳ କରିବା ସହିତ ଜୀବିକାର ସୁରକ୍ଷା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନର ଜରୁରୀ ଆବଶ୍ୟକତା ରହିଛି। ଏମଏସଏମଇ ପରିସରଭୁକ୍ତ ସଂସ୍ଥା ଗୁଡ଼ିକୁ ଘରୋଇ ବ୍ୟାଙ୍କ ଗୁଡ଼ିକ କିଭଳି ସହଯୋଗ କରିବେ, ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ।

ଅଣ୍ଟାଭିଡ଼ୁଛି ବିଭାଗ
କୋରୋନା ପାଇଁ ଗତ ୩ ମାସ ଧରି ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡ଼ିଥିବା ପର୍ଯ୍ୟଟନ ଶିଳ୍ପକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଓଡ଼ିଶା ପର୍ଯ୍ୟଟନ ବିଭାଗ। ଓଡ଼ିଶା ତା’ର ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗର ପର୍ଯ୍ୟଟକମାନଙ୍କୁ ଆକର୍ଷିତ ପାଇଁ ପ୍ରୟାସ କରିବ କହିଛି। ଏଥିଲାଗି ରାଜ୍ୟରେ ପଥପାର୍ଶ୍ବ ପର୍ଯ୍ୟଟନର ବିକାଶ କରାଯିବ। ପଡ଼ୋଶୀ ରାଜ୍ୟର ପର୍ଯ୍ୟଟକମାନେ ଯେପରି ନିଜ ବ୍ୟକ୍ତିଗତ ତଥା ଭଡ଼ା ଗାଡ଼ିରେ ଓଡ଼ିଶା ଆସିପାରିବେ, ତାହା ଉପରେ ଗୁରୁତ୍ବ ଦିଆଯିବ। ଏଥିପାଇଁ ରୋଡସାଇଡ ପାର୍କ, ପିକନିକ ସୁବିଧା, ସଡ଼କ କଡ଼ ହୋଟେଲ, ରେଷ୍ଟପାର୍କ, ୱେ ସାଇଡ ଆମେନିଟି ସେଣ୍ଟର ପ୍ରତିଷ୍ଠା ଉପରେ ଅଗ୍ରାଧିକାର ଦିଆଯିବ। ପୁରୀ, ଭୁବନେଶ୍ବର ଓ କୋଣାର୍କରୁ ବାହାରି ଇକୋ ଟୁରିଜମ ଉପରେ ବିଭାଗ ଅଧିକ ଫୋକସ କରିବ ବୋଲି କହିଛି। ଏଥିପାଇଁ ଭିତରକନିକା, ଡାଙ୍ଗମାଳ, ଚିଲିକା, ଶିମିଳିପାଳ, ଡେବ୍ରିଗଡ଼, ସାତକୋଶିଆ, ଅଂଶୁପା, ଦାରିଙ୍ଗବାଡ଼ି ଭଳି ପରିବେଶ ଭିତ୍ତିକ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ମାଇଲେଜ ଦେବ।

ସମ୍ଭାବନାକୁ ଚୂଡ଼ାନ୍ତ ରୂପାୟନ ଦିଆଯାଉ
ରାଜ୍ୟରେ ପର୍ଯ୍ୟଟନ ବିଭାଗର ଇଚ୍ଛାଶକ୍ତି ନାହିଁ। ଯଦି ଥାଆନ୍ତା ତେବେ ଏ ଦ୍‌ଷ୍ଟିରୁ ଅପାର ସମ୍ଭାବନାର ରାଜ୍ୟରେ ଭରପୂର ପର୍ଯ୍ୟଟନସ୍ଥଳୀ ଥିବା ବେଳେ ଏସବୁ ଲୋକଲୋଚନର ଆଢ଼ୁଆଳରେ ରହିଛି କାହିଁକି? କାହିଁକି ପ୍ରଚାର ପ୍ରସାର ହୋଇପାରୁ ନାହିଁ? ୱାର୍ଲ୍ଡ ଚେନର କାହିଁକି ଗୋଟିଏ ବି ହୋଟେଲ ଓଡ଼ିଶାରେ ନାହିଁ। ଅଭୟାରଣ୍ୟ ନାଁରେ ପର୍ଯ୍ୟଟକଙ୍କ ପ୍ରତି କଡ଼ାକଟକଣା ରାଜ୍ୟ ପର୍ଯ୍ୟଟନ ବିକାଶର ପରିପନ୍ଥୀ ସାଜିଛି। କରୋନା ଏ ସମୟରେ ସଶକ୍ତ ପ୍ରହାର କରି ଜୀବିକାକୁ ଅସୁରକ୍ଷିତ କରିପକାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ