ଶ୍ରୀଲଙ୍କାରେ ଖୋଲିଲା ପ୍ରେକ୍ଷାଳୟ, କୋରୋନା ରୋକିବାକୁ ମାର୍ଚ୍ଚରୁ ବନ୍ଦ ଥିଲା


କଲମ୍ବୋ: ପାଖାପାଖି ୩ ମାସ ପରେ ଶ୍ରୀଲଙ୍କାରେ ସିନେମା ହଲଗୁଡ଼ିକ ଖୋଲିଛି। ଦେଶରେ କୋରୋନା ସଂକ୍ରମଣଜନିତ ସ୍ଥିତିରେ ଯଥେଷ୍ଟ ସୁଧାର ଆସିବା ପରେ ସରକାର ସିନେମା ହଲଗୁଡ଼ିକ ପୂର୍ବପରି କାର୍ଯ୍ୟ କରିବା ସକାଶେ ଅନୁମତି ଦେଇଥିଲେ। ତେଣୁ ଗତ ମାର୍ଚ୍ଚରୁ ବନ୍ଦ ଥିବା ପ୍ରେକ୍ଷାଳୟଗୁଡ଼ିକରେ ଏଣିକି ଦର୍ଶକମାନେ ସେମାନଙ୍କ ମନପସନ୍ଦର ଚଳଚ୍ଚିତ୍ର ଉପଭୋଗ କରିବାର ସୁଯୋଗ ପାଇଛନ୍ତି। ଏ ସଂକ୍ରାନ୍ତରେ ସୂଚନା ବିଭାଗ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏହି ବିବୃତିରେ ଜୁନ୍ ୨୭ ତାରିଖଠାରୁ ଦେଶରେ ସିନେମା ହଲଗୁଡ଼ିକ ସ୍ବାଭାବିକ ଭାବେ କାର୍ଯ୍ୟ କରିବେ ବୋଲି ଦର୍ଶାଯାଇଛି। କିନ୍ତୁ ଦେଶର ସ୍ବାସ୍ଥ୍ୟସେବା ମହାନିର୍ଦେଶକଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ପ୍ରକାର ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଏହି ସିନେମା ହଲଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏନେଇ ସମସ୍ତ ସିନେମା ହଲର ପରିଚାଳକଙ୍କୁ ଏକ ଶପଥପାଠ ଦାଖଲ କରିବାକୁ ମଧ୍ୟ କୁହାଯାଇଛି।

ଶ୍ରୀଲଙ୍କାରେ ଶନିବାରଠାରୁ ସିନେମା ହଲ୍ କାର୍ଯ୍ୟ କରିବା ଆରମ୍ଭ କରିବା ପରେ ଆସନ୍ତା ଜୁଲାଇ ୧ ତାରିଖଠାରୁ ସମସ୍ତ ପ୍ରକାର ସଂଗ୍ରହାଳୟ ଓ ଅନ୍ୟାନ୍ୟ ସାଂସ୍କ୍‌ତିକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିରେ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରୁଥିବା ଜାତୀୟ ଅଭିଲେଖାଗାର ପରିଚାଳିତ ଗ୍ରନ୍ଥାଗାରଗୁଡ଼ିକ ମଧ୍ୟ ସାମିଲ୍ ରହିଛି। କିନ୍ତୁ ସୀମିତ ସଂଖ୍ୟାରେ ଜନସାଧାରଣଙ୍କୁ ଗ୍ରନ୍ଥାଗାର ଭିତରେ ପ୍ରବେଶ କରିବାକୁ ଦିଆଯିବ। ସମସ୍ତେ କୋଭିଡ୍-୧୯ ନିର୍ଦେଶାବଳୀ ପାଳନ କରିବା ବାଧ୍ୟତାମୂଳକ ବୋଲି ନିର୍ଦେଶନାମାରେ କୁହାଯାଇଛି। ସେହିପରି ଆସନ୍ତା ଅଗଷ୍ଟ ୧ ତାରିଖରୁ ଦେଶରେ ବିଦେଶୀ ଯାତ୍ରୀଙ୍କ ସକାଶେ ବିମାନ ସେବା ମଧ୍ୟ ଆରମ୍ଭ କରାଯିବ। କିନ୍ତୁ ବିମାନବନ୍ଦରଗୁଡ଼ିକ ସମସ୍ତ ପ୍ରକାର ନିର୍ଦେଶାବଳୀର ଉପଯୁକ୍ତ ପରିପାଳନ କରିବା ଦରକାର ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ଏହି ଆଇଲାଣ୍ଡରେ ଅଦ୍ୟାବଧି ୨ ହଜାର ସଂକ୍ରମିତ ଠାବ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ହଜାର ୬ ଶହ ସୁସ୍ଥ ହୋଇସାରିଛନ୍ତି ଏବଂ ମାତ୍ର ୧୧ ଜଣଙ୍କର ମୃତ୍ୟୁ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ