ଜୋକୋଭିଚଙ୍କ କୋଚ୍ କୋରୋନା ପଜିଟିଭ୍, ଦୁଇ ଥର ନେଗେଟିଭ୍ ପରେ ଆକ୍ରାନ୍ତ


ଜୁରିକ୍: ସର୍ବିୟାର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚ୍ ଆଡ୍ରିଆ ଟୁର୍ ଟୁର୍ଣ୍ଣାମେଣ୍ଟର ଆୟୋଜନ କରି କୋରୋନା ଭୂତାଣୁ ସଂକ୍ରମଣର କେନ୍ଦ୍ରବିନ୍ଦୁ ସାଜିବା ସହ ନିଜେ ସଂକ୍ରମିତଙ୍କ ତାଲିକାରେ ରହିଛନ୍ତି। ତାଙ୍କ ବ୍ୟତୀତ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଆହୁରି ୩ ଜଣ ଖେଳାଳି ମଧ୍ୟ ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି। ତେବେ ଏହି ପ୍ରତିଯୋଗିତା ସହ ଜଡ଼ିତ ବ୍ୟକ୍ତିବିଶେଷ ସଂକ୍ରମିତଙ୍କ ସୂଚୀରେ ସାମିଲ୍ ହେବା ଧାରା ବନ୍ଦ ହୋଇନାହିଁ। କାରଣ ଶୁକ୍ରବାର ଜୋକୋଭିଚଙ୍କ କୋଚ୍ ତଥା ପୂର୍ବତନ କ୍ରୋଏସିଆ ଟେନିସ୍ ଖେଳାଳି ଗୋରାନ୍ ଇଭାନିସେଭିଚ୍ କୋରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ତାଙ୍କର ନମୁନା ଦୁଇ ଥର ନେଗେଟିଭ୍ ରହିଥିଲେ ହେଁ ୩ୟ ନମୁନାରେ କୋରୋନା ଭୂତାଣୁ ଠାବ କରାଯାଇଥିବା ଏହି ୪୮ ବର୍ଷୀୟ କୋଚ୍ ଇନଷ୍ଟାଗ୍ରାମ୍ ମାଧ୍ୟମରେ ସୂଚନା ଦେଇଛନ୍ତି।

ଏଥିସହ ଆଡ୍ରିଆ ଟୁରରେ ଅଂଶଗ୍ରହଣ କରିଥିବା ପ୍ରତିଟି ବ୍ୟକ୍ତିବିଶେଷ ଯଦି କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥାନ୍ତି, ତା’ହେଲେ ସେମାନେ ସାମାଜିକ ଦୂରତା ନିୟମ ପାଳନ କରିବା ସହ କୋଭିଡ୍-୧୯ ଟେଷ୍ଟ୍ କରାଇନେବାକୁ ଇଭାନିସେଭିଚ୍ ନିବେଦନ କରିଛନ୍ତି। ତା’ଛଡ଼ା ଗତ ମଙ୍ଗଳବାର ବାତିଲ୍ ହୋଇଥିବା ଆଡ୍ରିଆ ଟୁର୍ ଖେଳି ଯେଉଁସବୁ ଖେଳାଳିମାନେ ସଂକ୍ରମିତ ହୋଇସାରିଛନ୍ତି, ସେମାନଙ୍କ ଆଶୁ ଆରୋଗ୍ୟ ମଧ୍ୟ ସେ କାମନା କରିଛନ୍ତି। ଗତ ୧୦ ଦିନ ଭିତରେ ଇଭାନିସେଭିଚଙ୍କର ସମୁଦାୟ ତିନି ଥର ନମୁନା ପରୀକ୍ଷା ହୋଇଥିଲା। ତେବେ ୩ୟ ନମୁନା ପଜିଟିଭ୍ ଆସିଥିଲେ ହେଁ ତାଙ୍କଠାରେ କୌଣସି ପ୍ରକାର ଲକ୍ଷଣ ନାହିଁ କି ସେ କୌଣସି ଅସୁସ୍ଥତା ଅନୁଭବ କରୁନାହାନ୍ତି ବୋଲି ଏହି ପୂର୍ବତନ ଖେଳାଳି ସ୍ପଷ୍ଟ କରିଛନ୍ତି। ଏଥିସହ ସେ ସେଲ୍ଫ ଆଇସୋଲେସନରେ ଅଛନ୍ତି ଓ ସଂକ୍ରମିତ ହୋଇଥିବା ଖେଳାଳିମାନେ ନିଜ ନିଜର ଅତିରିକ୍ତ ଯତ୍ନ ନେବାକୁ ମଧ୍ୟ ଇଭାନିସେଭିଚ୍ ନିବେଦନ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ