ଆତ୍ମନିର୍ଭର ୟୁପି ରୋଜଗାର ଅଭିଯାନର ଶୁଭାରମ୍ଭ: ୧.୨୫ କୋଟିଙ୍କୁ ମିଳିବ ନିଯୁକ୍ତି


ଶୁକ୍ରବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ୟୁପି ରୋଜଗାର ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ ସ୍ଥାନୀୟ ଉଦ୍ୟୋଗର ବିକାଶ ହେବା ସହ ବିଭିନ୍ନ ଔଦ୍ୟୋଗିକ ପ୍ରତିଷ୍ଠାନ ସହ ଭାଗିଦାରୀ ମାଧ୍ୟମରେ ନୂତନ ନିଯୁକ୍ତି ସ୍‌ଷ୍ଟି ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ସହ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ କୋରୋନା ଭୂତାଣୁ ସଂକ୍ରମଣ ରୋକିବା ସକାଶେ ଘୋଷଣା ହୋଇଥିବା ଲକଡାଉନ୍ କାରଣରୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ସେମାନଙ୍କ ରୋଜଗାର ହରାଇଥିବା ବେଳେ ସେମାନଙ୍କୁ ଏହି ଅଭିଯାନ ମାଧ୍ୟମରେ ନିଯୁକ୍ତି ଦିଆଯାଇପାରିବ। ଏହି ଅଭିଯାନ ମାଧ୍ୟମରେ ରାଜ୍ୟରେ ୧.୨୫ କୋଟି ନୂତନ ନିଯୁକ୍ତି ସୃଷ୍ଟି ହେବା ସହ ପ୍ରବାସୀ ଶ୍ରମିକମାନେ ଏହାଦ୍ବାରା ନିଶ୍ଚିତ ଭାବେ ଉପକୃତ ହୋଇପାରିବେ। ଲକଡାଉନ୍ କାରଣରୁ ରାଜ୍ୟକୁ ୩୫ ଲକ୍ଷରୁ ଊର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଦକ୍ଷତା ବିକାଶ ନିମନ୍ତେ ୩୦ ଲକ୍ଷ ପ୍ରବାସୀ ଶ୍ରମିକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ରୋଜଗାର ଯୋଗାଇ ଦିଆଯିବ ବୋଲି ଆଦିତ୍ୟନାଥ କହିଛନ୍ତି।

ଏହି ଅଭିଯାନର ଭର୍ଚୁଆଲ୍ ଉଦ୍‌ଘାଟନ ଅବସରରେ ମୋଦି ଉତ୍ତର ପ୍ରଦେଶର ୬ଟି ଜିଲ୍ଲାର କେତେକ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅଭିଯାନରେ ରାଜ୍ୟର ସମସ୍ତ ଜିଲ୍ଲାବାସୀ ସାମିଲ୍ ହେବେ। ଏପରିକି ଜନସେବା କେନ୍ଦ୍ର (ସିଏସସି) ଓ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ମଧ୍ୟ ଏହି ଅଭିଯାନରେ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ପୂର୍ବରୁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ପ୍ୟାକେଜ ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ନିଯୁକ୍ତି ନେଇ ଘୋଷଣା କରିସାରିଛନ୍ତି। ଦେଶର ପଛୁଆ ଅଞ୍ଚଳରେ ଭିତ୍ତିଭୂମି ବିକାଶ ସକାଶେ ଏହି ଅଭିଯାନ କାର୍ଯ୍ୟ କରିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଏହି ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ ଗତ ଜୁନ୍ ୨୦ ତାରିଖରେ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ