ବିଶ୍ବ ଦେଖିଲା ନିଆରା ଘୋଷଯାତ୍ରା: ରହିଲା କଟକଣା, ରହିଲେନି ଭକ୍ତ

ସଂକ୍ରମଣ ପାଇଁ ସତର୍କତା ସହ ବଡ଼ଦାଣ୍ଡରେ ପରମ୍ପରା ପାଳନରେ ଭରପୂର ଉତ୍ସାହ

ଏକ ନିଆରା ରଥଯାତ୍ରା ଦେଖିଲା ପୁରୀ ବଡ଼ଦାଣ୍ଡ। ପ୍ରଥମ ଥର ପାଇଁ ଭାବଗ୍ରାହୀ କାଳିଆ ସାଆନ୍ତ ବିନା ଭକ୍ତରେ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରରୁ ଓହ୍ଲାଇଆସିଲେ। ହେବ ନ ହେବ ଅନିଶ୍ଚିତତା ମଧ୍ୟରେ ଥିବା ନବଦିନ ବ୍ୟାପୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଶେଷ ମୁହୂର୍ତ୍ତରେ ସୁପ୍ରିମକୋର୍ଟଙ୍କ ସର୍ତ୍ତ ପାଳନର ପ୍ରତିଶ୍ରୁତି ରାଜ୍ୟ ଦେବା ପରେ ଏହାର ଆୟୋଜନ ପାଇଁ ଅନୁମତିପ୍ରାପ୍ତ ହୋଇଥିଲା। ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ପ୍ରତି ରଥକୁ ଟାଣିବା ପାଇଁ ଅତି ବେଶୀରେ ୫୦୦ ସେବାୟତ ନିୟୋଜିତ ହୋଇଥିଲେ। ରଥଟଣାରେ ନିୟୋଜିତ ସେବାୟତଙ୍କ କୋରୋନା ଟେଷ୍ଟ ଜରୁରୀ ବୋଲି କୋର୍ଟ ନିର୍ଦେଶ ଦେବା ପରେ ଜରୁରୀକାଳୀନ ଟେଷ୍ଟ କରାଯାଇଥିଲା। ସମୁଦାୟ ୧୧୪୩ ଜଣଙ୍କ ସେବାୟତଙ୍କ ମଧ୍ୟରୁ ଜଣଙ୍କ ନମୁନା ପଜିଟିଭ ଜଣାପଡ଼ିଥିଲା। ନେଗେଟିଭ ଥିବା ସେବାୟତମାନେ ଅପୂର୍ବ ଉତ୍ସାହ ଓ ଉଦ୍ଦୀପନାରେ ରଥ ଟଣା କାର୍ଯ୍ୟରେ ନିୟୋଜିତ ଥିଲେ। ତିନୋଟି ରଥ ଟାଣିବା ପାଇଁ ୧୫୦୦ ଲୋକଙ୍କୁ ନିୟୋଜିତ ପାଇଁ ପ୍ରଶାସନ ପୂର୍ବରୁ ସମସ୍ତ ବ୍ୟବସ୍ଥା କରିଥିଲେ। ଶେଷ ମୁହୂର୍ତ୍ତରେ ସର୍ବୋଚ୍ଚ ଅଦାଲତଙ୍କ ରଥଯାତ୍ରାକୁ ହଁ କୁହାଯିବା ପରଠାରୁ ସେବାୟତମାନଙ୍କ ଅପୂର୍ବ ଉନ୍ମାଦନା ଦେଖିବାକୁ ମିଳିଥିଲା।

ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ମହାପ୍ରଭୁମାନଙ୍କ ମଙ୍ଗଳ ଆଳତି ଭୋର ୩ଟାରେ ସମ୍ପନ୍ନ ହୋଇଥଲା। ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ପରେ ସକାଳ ୫ଟାରେ ବେଶନୀତି ସରିଥିଲା। ସକାଳ ୬ଟା ୪୫ ପରଠାରୁ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ ପରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି, ପରେ ଶ୍ରୀବଳଦେବଙ୍କ ପହଣ୍ଡି ବିଜେ ନୀତି ହୋଇଥିଲା। ବଳଭଦ୍ରଙ୍କ ପରେ ମା’ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ଜଗନ୍ନାଥ ଧାଡ଼ି ପହଣ୍ଡିରେ ରଥାରୁଢ଼ ହୋଇଥିଲେ। ଘଣ୍ଟୁଆମାନଙ୍କ ପାରମ୍ପରିକ ଘଣ୍ଟ ଘଣ୍ଟାର ନିନାଦ, ଆଲଟ ଚାମରରେ ସୁଶୋଭିତ କାଳିଆ ଠାକୁର ୨୨ ପାହାଚ ଦେଇ ରଥକୁ ପହଣ୍ଡିରେ ଆସିବା ପରେ ମଦନମୋହନ ବିଜେ କରିଥିଲେ। ଚିତାଲାଗି ପରେ ବେଶର ଶେଷ ନୀତି ସମାପନ ହୋଇଥିଲା। ଗଜପତି ଦିବ୍ୟସିଂହ ଦେବ ମହାରାଜ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥରେ ପର୍ଯ୍ୟାୟକ୍ରମେ ଛେରାପହଁରା କରିଥିଲେ। ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ରଥ ଉପରେ ତାଙ୍କର ଛେରାପହଁରା କରିବାରେ ଆଉ କିଛି ସମସ୍ୟା ନ ଥିବା ଗଜପତି ପୂର୍ବ ସନ୍ଧ୍ୟାରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଥିଲେ। ଛେରାପହଁରା ପୂର୍ବରୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ତିନି ଠାକୁରଙ୍କ ଦର୍ଶନ କରିଥିଲେ।

ବଡ଼ଦେଉଳର ସମସ୍ତ ସୁଖ ସମ୍ପଦ, ଭୋଗ ବିଳାସ ଆଉ ଆକର୍ଷଣକୁ ତ୍ୟାଗ କରି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି। ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଥୀରେ ନେଇ ଜନ୍ମବେଦୀ, ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି। ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ରଥଯାତ୍ରାରେ ମାନବୀୟ ଲୀଳା କରିଛନ୍ତି।

କୋରୋନା କଟକଣା ପାଇଁ ଭକ୍ତଙ୍କୁ ବଡ଼ଦାଣ୍ଡ ମନା ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁ ନିଜ ନିଜ ଘରମାନଙ୍କରେ ଟେଲିଭିଜନ ପରଦାରୁ ମହାପ୍ରଭୁଙ୍କ ଏହି ଅଲୌକିକ ମାନବୀୟ ଲୀଳାକୁ ଉପଭୋଗ କରିଛନ୍ତି। ଶେଷ ମୁହୂର୍ତ୍ତରେ ସୁପ୍ରିମକୋର୍ଟଙ୍କ ରାୟ ଭକ୍ତମାନଙ୍କ ମନରେ ଖୁସି ଆଣିଦେଇଛି। ଅନେକେ ଏହାକୁ କାଳିଆର ଚମତ୍କାର ବୋଲି କହୁଛନ୍ତି। କୋଟି କୋଟି ଲୋକଙ୍କ ଆସ୍ଥା ଓ ଶହ ଶହ ବର୍ଷର ପରମ୍ପରା ବନ୍ଦ କରାଯାଇ ପାରିବ ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ। ଥରେ ଯଦି ରଥଯାତ୍ରା ନୀତି ନ ହୁଏ, ତେବେ ୧୨ ବର୍ଷ ଯାଏ ରଥଯାତ୍ରା ହୋଇପାରିବ ନାହିଁ। କୋଭିଡ କଟକଣା ଭିତରେ ବିନା ଭକ୍ତରେ ସ୍ନାନଯାତ୍ରା ଭଳି ରଥଯାତ୍ରା ସମ୍ଭବ ବୋଲି ସୂଚାଇବା ସହ ରାଜ୍ୟ ସରକାର କର୍ଫ୍ୟୁ ଜାରି କରି ରଥଯାତ୍ରା ଆୟୋଜନ କରିପାରିବେ ବୋଲି ଯୁକ୍ତି ଦର୍ଶାଇଥିଲେ। କେନ୍ଦ୍ର ସରକାରଙ୍କ ବଳିଷ୍ଠ ଯୁକ୍ତି ସହ ସହମତ ହୋଇଥିଲେ ରାଜ୍ୟ ସରକାର। ବିନା ଭକ୍ତରେ ଓ କେବଳ ପୁରୀରେ ରଥଯାତ୍ରା ପାଇଁ ମହାରାଜ ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ପ୍ରସ୍ତାବକୁ ଶେଷରେ ସର୍ବୋଚ୍ଚ ଅଦାଲତ ସଠିକ ବୋଲି ଧରିନେଇଥିଲେ। ରାୟ ଆସିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେଇ ରଥଯାତ୍ରାକୁ ଶାନ୍ତିଶ୍‌ଙ୍ଖଳାର ସହ ଫଳପ୍ରଦ କରାଇଥିଲେ। ଧାର୍ଯ୍ୟ ସମୟାନୁଯାୟୀ ସମସ୍ତ ରୀତିନୀତି ସମ୍ପାଦିତ ହୋଇଥିଲା। ରଥ ଉପରେ ମାତ୍ର ୧୦ ଜଣ ସେବାୟତ ରହିଥିଲେ। ପୂର୍ବରୁ ୫୦ରୁ ଅଧିକ ସେବାୟତ ଗୋଟିଏ ରଥ ଉପରେ ଆସ୍ଥାନ ଜମାଉଥିଲେ। ରଥ ଟାଣିବା ପାଇଁ ଧାର୍ଯ୍ୟ ସେବାୟତଙ୍କ ସହ ଘଣ୍ଟାଏ ବ୍ୟବଧାନରେ ଗୋଟିକ ପରେ ଗୋଟିଏ ରଥ ଟଣାଯିବା ବ୍ୟବସ୍ଥାକୁ ମଧ୍ୟ ସୁଚାରୁ ରୂପେ ପାଳନ କରାଯାଇଛି। ରଥଟଣା ସମୟରେ ସାମାଜିକ ଦୂରତ୍ବକୁ ବି ସମ୍ମାନ ଦିଆଯାଇଛି।

ଏକାଧିକ ଥର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅତି ଗୋପନୀୟ ଓ ନିରାଡମ୍ବର ଭାବେ ହୋଇଥିବା ଦ୍‌ଷ୍ଟାନ୍ତକୁ ନେଇ ଏଥର ବ୍ୟାପକ ଚର୍ଚ୍ଚା ହୋଇଛି। ମହାପ୍ରଭୁ ରଥ ଅଭାବରୁ ରଥାକ୍‌ତିର ଶଗଡ଼ିରେ ମଧ୍ୟ ଯାତ୍ରା କରିଥିବାର ରଥଯାତ୍ରାର ଇତିହାସରେ ରହିଛି। ୧୬୨୨ରେ ଚକାନାସିରୁ ସିପନାସି ୩ କିମି ଦୂର ଶଗଡ଼ିରେ ଯାଇଥିଲେ ଶ୍ରୀଜିଉ। ମହାରାଜ ରାମଚନ୍ଦ୍ର ଦେବ ବାରବାଟିରେ ନଜରବନ୍ଦୀରେ ଥିବାବେଳେ ବିଗ୍ରହମାନେ ନଇରୀରେ ଅତି ଗୋପନୀୟ ଭାବେ ରଥଯାତ୍ରାରେ ବିଜେ ହୋଇଥିଲେ। ମନୁଷ୍ୟର ସୁଖଦୁଃଖ, ହସକାନ୍ଦ ସହିତ ମହାପ୍ରଭୁଙ୍କ ଏଭଳି ଅଲୌକିକ ଲୀଳାଖେଳାର ମହାର୍ଘ ସ୍ମ୍‌ତି ସହିତ ଚଳିତ ବର୍ଷର ରଥଯାତ୍ରା ପରମ୍ପରା କଟକଣାଯୁକ୍ତ ଓ ଭକ୍ତଶୂନ୍ୟ ରଥଯାତ୍ରା ଭାବେ ଯୋଡ଼ିହୋଇ ରହିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ