ସୁପ୍ରିମ ନିଷ୍ପତ୍ତି: ପୁରୀରେ ବିନା ଭକ୍ତରେ ପ୍ରଥମ ଥର ପାଇଁ ଘୋଷଯାତ୍ରା


ଅନିଶ୍ଚିତତାର ଅବସାନ ଘଟିଛି। କଳ୍ପନାଜଳ୍ପନାର ପରିସମାପ୍ତି ହୋଇଛି। ସୋମବାର ସୁପ୍ରିମକୋର୍ଟ ନିଜ ପୂର୍ବ ରାୟକୁ ବଦଳାଇ ପୁରୀରେ ଶ୍ରୀଜଗନ୍ନାଥଙ୍କ ନବଦିନ ବ୍ୟାପୀ ଘୋଷଯାତ୍ରାକୁ ବିନାଭକ୍ତରେ ଆୟୋଜନ ପାଇଁ ରାୟ ଦେଇଛନ୍ତି। ଏହାର ମାଇକ୍ରୋ ମ୍ୟାନେଜମେଣ୍ଟ ପାଇଁ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କ ଉପରେ ଯେଉଁ ଦାୟିତ୍ବ ଦେଇଛନ୍ତି, ରାଜ୍ୟ ସରକାର ତାହାକୁ ଗୁରୁତର ସହ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିବା ବେଳେ ତେଣେ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ ରଥ ଦକ୍ଷିଣାୟନ ହୋଇ ସିଂହଦ୍ବାର ସମ୍ମୁଖରେ ଲାଗିଥିଲା। କୋଭିଡ-୧୯ ଆଇନ ଓ କଟକଣାକୁ ମାନି ସେବାୟତ ଓ ସୁରକ୍ଷାକର୍ମୀମାନେ ରଥର ମୋଡ଼ ବଦଳାଇବା ସହ ଟାଣି ଟାଣି ସିଂହଦ୍ବାର ସମ୍ମୁଖରେ ଉତ୍ତରମୁହାଁ କରି ରଖାଇଥିଲେ।  ଶ୍ରୀମନ୍ଦିର ଇତିହାସରେ ବିନା ଭକ୍ତରେ ରଥଯାତ୍ରା ପ୍ରଥମ ଥର ହେଉଥିବା ବେଳେ ସାରା ବିଶ୍ବର ଜଗନ୍ନାଥପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମନରେ ନୂଆ ଉନ୍ମାଦନା ସ୍‌ଷ୍ଟି ହୋଇଛି।

କୋରୋନା ସଂକ୍ରମଣ ପରିପ୍ରେକ୍ଷୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ବିନା ଭକ୍ତରେ ପ୍ରଥମ ଥର ପାଇଁ ଆୟୋଜନ ହେଉଛି। ପୁରୀ ଜିଲା ପ୍ରଶାସନ ୨୨ ତାରିଖ ରାତି ୯ଟାରୁ ୨୪ ତାରିଖ ଅପରାହ୍ନ ୨ଟା ଯାଏ ସମଗ୍ର ଜିଲାକୁ ଶଟଡାଉନ ଘୋଷଣା କରିଛନ୍ତି। ପୁରୀ ସହରର ସମସ୍ତ ରାସ୍ତା ସିଲ କରି ଦିଆଯାଇଛି। ଦୀର୍ଘଦିନ ଧରି ରଥଯାତ୍ରା ହେବ କି ନ ହେବ ତାକୁ ନେଇ ଲାଗିରହିଥିବା ଦ୍ବନ୍ଦ୍ବ ଦୂର ହେବା ପରେ ସେବାୟତମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି। ଭକ୍ତବିହୀନ ରଥଯାତ୍ରାକୁ ଶ୍‌ଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ପୁରୀରେ ପ୍ରାୟ ୭୫ ପ୍ଲାଟୁନ ଫୋର୍ସ ପହଞ୍ଚିଛନ୍ତି। ଫୋର୍ସମାନେ ସାମାଜିକ ଦୂରତାକୁ ଦେଖିବା ସହ ଅନ୍ୟାନ୍ୟ ଜରୁରୀ ଆଇନଶ୍‌ଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ ବୋଲି ପୁରୀ ଏସପି ଗଣମାଧ୍ୟମ ନିକଟରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି। ସୋମବାର ସପ୍ଲିମେଣ୍ଟାରୀ ଲିଷ୍ଟ ଅନୁଯାୟୀ ଭର୍ଚୁଆଲ କୋର୍ଟ ସଂଖ୍ୟା-୩ରେ ବିଚାରପତି ଏସ.ରବୀନ୍ଦ୍ର ଭଟ୍ଟ ରଥଯାତ୍ରା ମାମଲାର ଶୁଣାଣି କରିଥିଲେ। ଓଡ଼ିଶା ବିକାଶ ପରିଷଦ ବନାମ କେନ୍ଦ୍ର ସରକାର ମାମଲାରେ ପକ୍ଷଭୁକ୍ତ ହେବାକୁ ଏବଂ ରଥଯାତ୍ରା ବନ୍ଦ ନିର୍ଦେଶନାମା ସଂଶୋଧନ ପାଇଁ ଆଗତ ୧୭ଟି ମାମଲାର ବିଚାର ହୋଇଥିଲା। ରଥଯାତ୍ରା ଆୟୋଜନ ସପକ୍ଷରେ ବିଜେପି ନେତା ସମ୍ବିତ ପାତ୍ର ମୋଡିଫିକେସନ ଅର୍ଡର ଆପ୍ଲିକେସନ ଦାଖଲ କରିଥିଲେ। ସର୍ବୋଚ୍ଚ ଅଦାଲତରେ ରାୟ ପ୍ରକାଶ ପାଇବା ପରେ ସାରା ଦେଶ ଏହାକୁ ସ୍ବାଗତ କରିଥିଲା। ଗ୍‌ହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସ୍ବାଗତ କରି ଘୋଷଯାତ୍ରାରେ ଶ୍‌ଙ୍ଖଳା ଓ ସଂଯମତା ଅବଲମ୍ବନର ଆହ୍ବାନ କରିବା ସହିତ ଦେଶବାସୀଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି ସୂଚାଇ ଥିଲେ। ସକାଳ ୭ଟାରୁ ପହଣ୍ଡି ଓ ଦିନ ୧୨ଟାରୁ ରଥଟଣା ହେବ ବୋଲି ନୀତିକାନ୍ତି ତାଲିକା ପ୍ରକାଶ ପାଇଥିଲା। ପୁରୀରେ ଘୋଷଯାତ୍ରାକୁ ଅନୁମତି ଦେଇଥିବାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇବା ସହ ସହଯୋଗ କରିଥିବାରୁ କେନ୍ଦ୍ର ସରକାରଙ୍କୁ କ୍‌ତଜ୍ଞତା ଜଣାଇଥିଲେ।

ସୋମବାର ସୁପ୍ରିକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ସେପଟେ ପରମ୍ପରା ଅନୁଯାୟୀ ସୋମବାର ରଥଖଳାରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ବିଜେ ହୋଇଥିଲା। ଶ୍ରୀମନ୍ଦିରରେ ଦାରୁବ୍ରହ୍ମଙ୍କ ସକାଳଧୂପ ନୀତି ଶେଷ ପରେ ତିନିଜଣ ପୂଜାପଣ୍ଡା ତିନୋଟି ଆଜ୍ଞାମାଳ ସହ ଶୋଭାଯାତ୍ରାରେ ରଥଖଳାରେ ପହଞ୍ଚି ତିନି ରଥରେ ତାହା ଲାଗି କରିଥିଲେ। ସନ୍ଧ୍ୟାରେ ତିନି ରଥକୁ କେବଳ ସେବକମାନେ ପ୍ରଥମ ପାଇଁ ଦକ୍ଷିଣାୟନ କରାଇଥିଲେ।

ସୂଚନାଯୋଗ୍ୟ ଯେ କୋରୋନା ସଂକ୍ରମଣକୁ ନେଇ ପୁରୀରେ ରଥଯାତ୍ରା ବନ୍ଦ ଲାଗି ପିଟିସନ ଦାଖଲ ହୋଇଥିଲା। ଗତ ୧୮ ଜୁନରେ ସୁପ୍ରିମକୋର୍ଟ ରଥଯାତ୍ରାକୁ ନା କରିଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାର ବିକଳ୍ପ ନାହିଁ। ତେଣୁ ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସରକାରଙ୍କ ଦ୍‌ଷ୍ଟି ଆକର୍ଷଣ କରିଥିଲେ ପୁରୀ ଗଜପତି। ଆବଶ୍ୟକ ପଡ଼ିଲେ ଏଥପାଇଁ ଅଧ୍ୟାଦେଶ ଜାରି କରାଯିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଦାବି କରାଯାଇଥିଲା। ରାଜ୍ୟ ସରକାର ଯେଉଁସବୁ ସର୍ତ୍ତ ଓ କଟକଣା ଜାରି କରିବେ, ସେବକମାନେ ତାହାକୁ ପାଳନ କରିବେ ବୋଲି ଦଇତାପତିମାନେ ସ୍ପଷ୍ଟ କରିବା ପରେ ରବିବାର ଏହି ପ୍ରସଙ୍ଗରେ ୫ ଜଣ ପରିଚାଳନା କମିଟି ସଭ୍ୟ ସାମ୍ବାଦିକ ସମ୍ମିଳନୀ ଜରିଆରେ ନ୍ୟାୟାଳୟ କୋଟି କୋଟି ଭକ୍ତଙ୍କ ଭାବାବେଗ ବୁଝନ୍ତୁ ବୋଲି ଅପିଲ କରିଥିଲେ। ରଥ ନିର୍ମାଣ ପରେ ଠାକୁର ଯଦି ସେଥିରେ ନ ବସିବେ, ତାହାହେଲେ ଧାର୍ମିକ ସମସ୍ୟା ସ୍‌ଷ୍ଟି ହେବ ବୋଲି କୁହାଯାଇଥିଲା। ୩୦୦ ବର୍ଷ ହେଲା ରଥଯାତ୍ରା ପରମ୍ପରା ବନ୍ଦ ହୋଇ ନ ଥିଲା। କୋରୋନା କାଳରେ କଟକଣାଯୁକ୍ତ ରଥଯାତ୍ରାକୁ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ଗ୍ରହଣ କରିନେଇଛନ୍ତି। ବଡ଼ଦାଣ୍ଡରେ କାଳିଆ ଠାକୁରଙ୍କୁ ସିନା ଦେଖି ପାରିବୁନି କିନ୍ତୁ ମହାବାହୁ ରଥାରୁଢ଼ ହେବେ, ରଥ ଗଡ଼ିବ ଓ ଆମେ ଦୂରଦର୍ଶନରୁ ଦେଖିବୁ। ଏହା ଆମ ପାଇଁ ସୌଭାଗ୍ୟର କଥା ବୋଲି ବହୁ ଭକ୍ତ ପ୍ରତିକ୍ରିୟାରେ କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ