କୋରୋନା ରୋଗୀଙ୍କ ଅପେକ୍ଷାରେ ରେଲୱେର ସ୍ବତନ୍ତ୍ର କୋଚ


ଜୁଲାଇ ୩୧ ସୁଦ୍ଧା ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷରେ ପହଞ୍ଚିଥିବାର ଆଶଙ୍କା ପ୍ରକଟ କରିଥିଲେ ଦିଲ୍ଲୀ ସରକାର। ଏତେ ରୋଗୀଙ୍କ ପାଇଁ ଦିଲ୍ଲୀରେ ଶଯ୍ୟାର ଅଭାବ ହେବା କଥା ମଧ୍ୟ ସୂଚାଇଥିଲେ। ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଦିଲ୍ଳୀ ପାଇଁ ଏକ ନିଷ୍ପତ୍ତି ନେଲେ। କେରାନା ରୋଗୀଙ୍କ ସଂଖ୍ୟା ବଢ଼ିଲେ ରେଳବାଇର ଆଇସୋଲେସନ କୋଚ କୋଭିଡ-୧୯ର ରୋଗୀମାନଙ୍କୁ ଆଇସୋଲେଟ କରିବା କାମରେ ଲଗାଯାଉ ବୋଲି କହିଲେ। ଦିଲ୍ଲୀ ସରକାରଙ୍କୁ ୫୦୦ ଆଇସୋଲେସନ କୋଚ ଦିଆଯିବା କଥା ସୂଚାଇଦେଲେ ସରକାର। ଜୁନ ୧୬ରେ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରୁ ଚାଲିବାକୁ ଥିବା ରେଳଗାଡ଼ିକୁ ଶିଫ୍ଟ ମଧ୍ୟ କରିଦିଆଗଲା। ଫଳରେ ରେଳ ଆଇସୋଲେସନ କୋଚ ଗୁଡ଼ିକ ଏଠାରେ ଛିଡ଼ାହୋଇ ପାରିବ। ଦିଲ୍ଲୀ ସରକାର ଗ୍‌ହ ମନ୍ତ୍ରାଳୟ ଏବଂ ରେଳ ମନ୍ତ୍ରାଳୟର ଏହି ପ୍ରସ୍ତାବ ସ୍ବୀକାର କଲେ ଏବଂ ଏପରି ସୁବିଧା ନେବାର ନିଷ୍ପତ୍ତି ମଧ୍ୟ କରିନେଲେ। କିନ୍ତୁ ଆଇସୋଲେସନ କୋଚ ଗୁଡ଼ିକର ବ୍ୟବହାର ଦିଗରେ ମନ ବଳାଇଲେ ନାହିଁ।

ସମସ୍ୟା କେଉଁଠି
ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୁଧବାର ଏଗୁଡ଼ିକର ତଦାରଖ କରିବା ପାଇଁ ଶକୁର ବସ୍ତି ଠାରେ ପହଞ୍ଚିଥିଲେ। ଏଠାରେ ଉତ୍ତର ରେଳର ଏଭଳି ୧୦ଟି ଆଇସୋଲେସନ କୋଚ ଠିଆହୋଇଥିଲା। ଏଗୁଡ଼ିକୁ ନିରୀକ୍ଷଣ କରିବା ପରେ ମନୀଷ ଜାଣିବାକୁ ପାଇଲେ ଯେ ଏତେ ଗରମରେ ଏହି କୋଚର ବ୍ୟବହାର କୋଭିଡ କେୟାର ୟୁନିଟ ଭାବେ କରିବା କଠିନ ହେବ। ଉପମୁଖ୍ୟମନ୍ତ୍ରୀ ମନୀଷ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଚିନ୍ତା ଉନ୍ନତ, ପ୍ରୟାସ ପ୍ରଶଂସନୀୟ। ମାତ୍ର ଖରା ପ୍ରବଳ ହେଉଥିବା ବେଳେ ଏଗୁଡ଼ିକୁ ରୋଗୀମାନଙ୍କ ପାଇଁ ବ୍ୟବହାର କରିବା ଠିକ ନୁହେଁ। ସ୍ବାସ୍ଥ୍ୟ କର୍ମଚାରୀ, ଡାକ୍ତର ଓ ନର୍ସମାନେ ବ୍ୟକ୍ତିଗତ ସୁରକ୍ଷା କିଟ ପରିଧାନ କରି ଏହା ଭିତରେ ରହିପାରିବେନି। ରୋଗୀମାନଙ୍କ ପାଇଁ ବି ମୁସ୍କିଲ ହେବ। ଉତ୍ତର ରେଳବାଇର ମ୍ୟାନେଜର ରାଜୀବ ଚୌଧୁରୀ ବୁଧବାର ସାମ୍ବାଦିକ ସମ୍ମିଳନୀରେ କୋଚ ଭିତରେ ଗରମ ହେବା କଥାକୁ ସ୍ବୀକାର କରିବା ସହିତ ଆଇସୋଲେସନ କୋଚରେ ଗରମର ପ୍ରଭାବକୁ କିଭଳି କମ କରିହେବ, ଉତ୍ତର ରେଳବାଇ ସେ ପ୍ରକାର ଉଦ୍ୟମ କରୁଛି ବୋଲି କହିଛି।

କିଭଳି ରହିଛି ଏହି କୋଚ

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀର ୯ଟି ଷ୍ଟେସନରେ ୫୦୦ ରେଳ ଆଇସୋଲେସନ କୋଚ ମୁତୟନ କରାଯିବ। ଏଗୁଡ଼ିକ ମଧ୍ୟରୁ ସର୍ବାଧିକ ୨୭୬ କୋଚ ଆନନ୍ଦବିହାର ଷ୍ଟେସନ, ଏହା ପଛକୁ ଶକୁର ବସ୍ତି ଏବଂ ସରାୟ ରୋହିଲ୍ଲାରେ ୫୦-୫୦ କୋଚ ମୁତୟନ କରାଯିବା ଧାର୍ଯ୍ୟ ହୋଇଛି। ଏଭଳି ସୁବିଧା ସଫଦରଜଙ୍ଗ, ଶାହଦରା ଆଦର୍ଶ ନଗର, ଦିଲ୍ଲୀ କ୍ୟାଣ୍ଟ, ପଟେଲ ନଗର ଏବଂ ତୁଗଲକାବାଦରେ ରଖାଯିବାର ପ୍ରାବଧାନ ରହିଛି। ସରକାରଙ୍କ ଅନୁଯାୟୀ ଏସବୁ କୋଚର ବ୍ୟବହାର କୋଭିଡ କେୟାର ୟୁନିଟ ଭାବେ କରାଯିବ। ଅର୍ଥାତ ଯେଉଁ ଲୋକଙ୍କ ସାମାନ୍ୟ ଲକ୍ଷଣ ଦେଖାଦେବ ଏବଂ ହୋମ ଆଇସୋଲେସନର ସୁବିଧାର ଅଭାବ ଥିବ, ସେମାନଙ୍କୁ ଆଇସୋଲେଟ କରିବା ପାଇଁ ଏଠାରେ ରଖାଯିବ। ଯଦି କେଉଁ ଜରୁରୀ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସର ଆବଶ୍ୟକତା ପଡ଼େ, ତେବେ ଏହି ଷ୍ଟେସନ ଗୁଡ଼ିକରୁ ହିଁ ଉପଲବ୍ଧ କରାଯିବ। ସାରା ଦେଶରେ ଏଭଳି ଆଇସୋଲେସନ କୋଚ ପ୍ରସ୍ତୁତ କରିବା ପାଇଁ ରେଳବାଇ ୯୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ଏହି କୋଚରେ ମେଡିକାଲ ଉପକରଣ ଲଗାଇବା ପାଇଁ ପ୍ଲଗ ପଏଣ୍ଟ ତିଆରି କରାଯାଇଛି। ଏସବୁ କୋଚ ନନ ଏସି। କୋଚଗୁଡ଼ିକରେ ଟଏଲେଟ ଏବଂ ବାଥରୁମ ମଧ୍ୟ ବଦଳାଯାଇଛି। ଅତିରିକ୍ତ ଫ୍ୟାନ ଏବଂ ଅକ୍ସିଜେନ ସିଲିଣ୍ଡରର ବ୍ୟବସ୍ଥା କରାଯାଇଛି। ଗୋଟିଏ କୋଚରେ ଏକ ସମୟରେ ୧୬ ଜଣ ରୋଗୀ ଚିକିତ୍ସିତ ହୋଇପାରିବେ। କିନ୍ତୁ ଏଥିରେ କେବଳ ଗୋଟିଏ ସମସ୍ୟା, କୋରୋନା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କୋଚରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି।

ଉତ୍ତର ରଖିଲା ରେଳବାଇ

ସେଣ୍ଟ୍ରାଲାଇଜଡ ଏସି କୋଚରେ କୋରୋନା ରୋଗୀ ମାନଙ୍କ ଚିକିତ୍ସାରେ ସମସ୍ୟା ସାମ୍ନାକୁ ଆସିବା ପରେ ରେଳ ମନ୍ତ୍ରାଳୟ ନନ ଏସି କୋଚର ବ୍ୟବହାର ପାଇଁ ନିଷ୍ପତ୍ତି ନେଲା। ଉତ୍ତର ରେଳବାଇ ଏବଂ ସେଣ୍ଟ୍ରାଲ ରେଲୱେର ଜେନେରାଲ ମ୍ୟାନେଜର ରାଜୀବ ଚୌଧୁରୀଙ୍କ ସୂଚନା ଅନୁଯାୟୀ ଆଇସୋଲେସନ କୋଚରେ ରୋଗୀମାନଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। କୋଚ ଭିତରେ ପବନ ଯାତାୟାତ ପାଇଁ ଟ୍ରେନର ଛାତ ଉପରେ ଏବଂ ପାର୍ଶ୍ବରେ ଇନସୁଲେସନ ମ୍ୟାଟେରିଆଲ ଲଗାଯିବ। ରେଳବାଇର କହିବା କଥା ଏଭଳି କଲେ କୋଚ ଭିତରର ତାପମାତ୍ରାରେ ୨-୪ ଡିଗ୍ରୀର ବ୍ୟବଧାନ ଆସିପାରିବ। ଡାକ୍ତର, ପାରାମେଡିକାଲ ଷ୍ଟାଫ ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ଟ୍ରେନରେ ଦୁଇ ଦୁଇଟି ଏସି କୋଚ ମଧ୍ୟ ଲଗାଇ ଦିଆଯିବ। ଦେଖାରଖା, ସ୍ବଚ୍ଛତା ଦାୟିତ୍ବ ଉତ୍ତର ରେଳପଥର। ରେଲୱେ ଡାକ୍ତର ଏବଂ ସଂଯୋଜନା ଅଧିକାରୀ ଉପସ୍ଥିତ ରହିବେ।

ଦିଲ୍ଲୀ ଭଳି ଝାଡ଼ଖଣ୍ଡ ମଧ୍ୟ ଆଇସୋଲେସନ କୋଚ ବ୍ୟବହାର କରୁନାହିଁ। ଟ୍ରେନ କୋଚକୁ ଆଇସୋଲେସନ କୋଚ ଭାବେ ବଦଳାଯିବା ପଛରେ ଏକ ବଡ଼ ଘୋଟାଲା ଅଛି ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଅଭିଯୋଗ କରିଛି। ଉତ୍ତର ପ୍ରଦେଶ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶରେ ଏଭଳି ଆଇସୋଲେସନ କୋଚର ସଂଖ୍ୟା ଏବେ ୯୬୦ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି କୋଚର ବ୍ୟବହାର ପାଇଁ ନିର୍ଦେଶାବଳୀ ଜାରି କରିଛନ୍ତି। ଏବେ ଅପେକ୍ଷା ଏଗୁଡ଼ିକ କେବେ ବ୍ୟବହାର ହେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ