୨୩ ଦେଶର ସୀମା ଉପରେ ଚୀନର ନଜର!


ଚୀନ ନିଜର ସାମ୍ରାଜ୍ୟବାଦୀ ନୀତି ଗୁଡ଼ିକର ସଫଳ ରୂପାୟନ ପାଇଁ ଅନ୍ୟ ଦେଶର ସୀମାଗୁଡ଼ିକ ଉପରେ ନଜର ରଖିଛି। ଚୀନର ସୀମା ସ୍ଥଳଭାଗରେ ୧୪ଟି ଦେଶକୁ ଲାଗିରହିଥିବା ବେଳେ ଅନ୍ୟୁନ ୨୩ଟି ଦେଶର ଜମି ଓ ସମୁଦ୍ର ସୀମା ଉପରେ ନିଜର ଅଧିକାର ଜାହିର କରିବା ଲାଳସାରୁ କ୍ଷାନ୍ତ ହେଉନାହିଁ। ଲା ଟ୍ରୋବେ ବିଶ୍ବବିଦ୍ୟାଳୟର ଏସିଆ ସୁରକ୍ଷା ରିପୋର୍ଟରୁ ଚୀନର ଏଭଳି କାରସାଦି ସାମ୍ନାକୁ ଆସିଛି। ଚୀନ ଅନ୍ୟ ଦେଶ ଗୁଡ଼ିକର ୪୧ ଲକ୍ଷ ବର୍ଗ କିଲୋମିଟର ଜମି ନିଜ କବଜାକୁ ନେଇଛି। ୧୪ଟି ଦେଶର ସୀମାନ୍ତ ସହ ଯୋଡ଼ିହୋଇ ରହିଥିବା ଚୀନର ସୀମା ୨୨ ହଜାର ୧୧୭ କିମି ପରିବ୍ୟାପ୍ତ। ୩୪୮୮ ବର୍ଗ କିଲୋମିଟର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)କୁ ନେଇ ଚୀନ ଓ ଭାରତ ମଧ୍ୟରେ ଦ୍ବନ୍ଦ୍ବ ବଢ଼ିଚାଲିଛି। ଚୀନ ୱାନ ବେଲଟ ୱାନ ରୋଡ ପ୍ରକଳ୍ପ ଜରିଆରେ ସମଗ୍ର ଏସିଆ ଏବଂ ୟୁରୋପ ସହ ଦେଶକୁ ଯୋଡ଼ିବାର ଲକ୍ଷ୍ୟ ରଖିଥିଲା। ଯାହା ଆଜି ପର୍ଯ୍ୟନ୍ତ ପୂରା ହୋଇପାରିନି।

ଜିନପିଙ୍ଗଙ୍କ ସାମ୍ରାଜ୍ୟବାଦୀ ଚିନ୍ତାଧାରା

ଚୀନରେ ୧୯୪୯ରେ କମ୍ୟୁନିଷ୍ଟ ଶାସନର ସ୍ଥାପନା ହେବା ପରେ ଚୀନର ଭୂମି ଅଧିଗ୍ରହଣ ଓ କବ୍‌ଜା କରିବା ଲୋଭ ବିକଶିତ ହେଲା। ଜମି ହାତେଇବା ପାଇଁ ବିଭିନ୍ନ ପ୍ରକାର ନୀତି ଆରମ୍ଭ ହୋଇଗଲା। ରାଷ୍ଟ୍ରପତି ସି ଜିନପିଙ୍ଗ ୨୦୧୩ରେ କ୍ଷମତାସୀନ ହେବା ପରେ ଚୀନ ଭାରତ ସହିତ ଯୋଡ଼ି ହୋଇଥିବା ସୀମାରେ ବ୍ୟାପକ ସେନା ନିୟୋଜନ ଓ ମୁତୟନ ପ୍ରକ୍ରିୟାକୁ ବ୍ୟାପକ କରିଥିଲା। ୧୯୩୪ରେ ପ୍ରଥମ ଆକ୍ରମଣ ପରେ ଚୀନ ୧୯୪୯ ମଧ୍ୟରେ ପୂର୍ବ ତୁର୍କିସ୍ଥାନ ଉପରେ ନିଜର କବଜା ବିସ୍ତାର କରିଥିଲା। ୪୫ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଉଇଘର ମୁସଲିମ ସମ୍ପ୍ରଦାୟଙ୍କ ଅଞ୍ଚଳ ଉପରେ ଚୀନ ନିଜର ଜୁଲମ ଚଳାଇ ଆସିଛି। ୭ ଅକ୍ଟୋବର ୧୯୫୦ରେ ଚୀନ ୧୨୩ ଲକ୍ଷ ବର୍ଗ କିଲୋମିଟର ପରିବ୍ୟାପ୍ତ ତଥା ୮୦ ପ୍ରତିଶତ ବୌଦ୍ଧ ଧର୍ମାବଲମ୍ବୀ ବାସ କରୁଥିବା ତିବ୍ଦତକୁ ନିଜ ନିୟନ୍ତ୍ରଣକୁ ନେଇଗଲା। ୧୨ ଲକ୍ଷ କୋଟି ଟଙ୍କାର ଖଣିଜ ସମ୍ପଦ, ସିନ୍ଧୁ, ବ୍ରହ୍ମପୁତ୍ର ଭଳି ନଦୀର ଜଳସ୍ରୋତ ନିଜ ମାଲିକାନାକୁ କରିବାରେ ଚୀନକୁ ସଫଳତା ମିଳିଥିଲା। ୧୯୪୫ ଅକ୍ଟୋବରରେ ମଙ୍ଗୋଲିଆ ଉପରେ ଆକ୍ରମଣ କରି ଚୀନ ନିଜର ସାମ୍ରାଜ୍ୟ ବିସ୍ତାରରେ ସଫଳ ହେଲା। ମଙ୍ଗୋଲିଆକୁ କବ୍‌ଜା କରି ଚୀନ ବିଶ୍ବର ୨୫ ପ୍ରତିଶତ କୋଇଲାର ଭଣ୍ଡାରକୁ ନିଜ ଦଖଲକୁ ନେଇଗଲା। ତାଇୱାନର ୩୫ ହଜାର ବର୍ଗ କିଲୋମିଟର ଉପରେ ଏବେ ଡ୍ରାଗନର ନଜର ନିବଦ୍ଧ ରହିଛି।

ଜାତୀୟ ସୁରକ୍ଷା ଆଇନ ଲାଗୁ କରି ଚୀନ ହଂକଂ ଉପରେ କଡ଼ା ପ୍ରତିବନ୍ଧକମାନ ସ୍‌ଷ୍ଟି କରିଛି। ଚୀନ ହଂକଂରେ ୫୦ ପ୍ରତିଶତ ବୈଦେଶିକ ପୁଞ୍ଜି ନିବେଶ କରିଛି। ସେହିପରି ୪୫୦ ବର୍ଷର ଶାସନ ପରେ ୧୯୯୯ରେ ପର୍ତ୍ତୁଗିଜ ମାନେ ମକାଉକୁ ଚୀନ ହାତରେ ଟେକି ଦେଇଛନ୍ତି। ମକାଉକୁ ଚୀନ ୫୦ ବର୍ଷ ପର୍ଯ୍ୟନ୍ତ ରାଜନୈତିକ ସ୍ବାଧୀନତା ଦେଇଛି। ସବୁଠୁ ବିଡ଼ମ୍ବନାର କଥା ହେଉଛି, ହିନ୍ଦୀ-ଚୀନ ଭାଇଭାଇ ଘୋଷୁଥିବା ଭାରତର ୩୮ ହଜାର ବର୍ଗ କିମି ଭୂମି ଉପରେ ଚୀନ କବଜା କରିଛି। କେବଳ ଏତିକିରେ ଚୀନର ସାମ୍ରାଜ୍ୟ ବିସ୍ତାରର ଭୋକ ମେଣ୍ଟିନି। ୮୧ ହଜାର ବର୍ଗ କିମିର ଆଖପାଖର ୮ଟି ଦ୍ବୀପ ଉପରେ ମଧ୍ୟ ଏବେ ଚୀନର ନଜର। ୨୦୧୩ରେ ଚୀନର ଆକାଶ ସୀମା ଜୋନ ସ୍‌ଷ୍ଟିକୁ ନେଇ ବିବାଦ ଉଗ୍ରରୂପ ଧାରଣ କରିଥିଲା। ପୂର୍ବ ଚୀନ ସାଗରକୁ ନେଇ ଚୀନ ଓ  ଜାପାନ ମଧ୍ୟରେ ମତଭେଦ ଉଗ୍ରରୂପ ଧାରଣ କରି ଏବେ ସୁପ୍ତ ଅବସ୍ଥାରେ ରହିଛି। ରୁଷ ସହ ଚୀନର ମିତ୍ରତା ଥିବା କୁହାଯାଉଥିବା ବେଳେ ରୁଷର ଜମି ଦଖଲ ପ୍ରୟାସ ମଧ୍ୟ ସହିପାରୁନି ଚୀନ। ରୁଷ ସହ ଚୀନର ୫୨ ହଜାର ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ବିବାଦ ସ୍‌ଷ୍ଟି ହୋଇଛି। ୧୯୬୯ରେ ଚୀନ-ରୁଷ ବିବାଦ ଯୁଦ୍ଧରେ ପରିଣତ ହେବାକୁ ଯାଉଥିଲା। ତାଇୱାନ, ବ୍ରୁନେଇ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ଭିଏତନାମ, ସିଙ୍ଗାପୁର ସହ ଚୀନର ମତଭେଦ ରହିଛି। ଚୀନ ଦକ୍ଷିଣ ଚୀନ ସାଗରର ୩୫.୫ ଲକ୍ଷ ବର୍ଗ କିମି ଅଞ୍ଚଳ ମଧ୍ୟରୁ ୯୦ ପ୍ରତିଶତ ଅଞ୍ଚଳ ଉପରେ ଦାବି କରୁଥିବାରୁ ଏସବୁ ଦେଶଗୁଡ଼ିକ ନିକଟରେ ଚୀନର ସାମ୍ରାଜ୍ୟ କ୍ଷୁଧା ଧରାପଡ଼ିଯାଇଛି।

ଅନ୍ୟଦେଶ ଗୁଡ଼ିକ ଉପରେ ଚୀନର ଦାଉ ସାଧିବା ନୀତି କାରଣରୁ ସମ୍ପ୍ରତି ଚୀନ-ଭାରତ ଗଲୱାନ ଉପତ୍ୟକାରେ ମୁହାଁମୁହିଁ ଲଢ଼ୁଥିବା ସମୟରେ ଭାରତକୁ ଆମେରିକା, ଅଷ୍ଟ୍ରେଲିଆ ଭଳି ଦେଶ ଗୁଡ଼ିକର ନୈତିକ ସମର୍ଥନ ମିଳିଛି। ବିଶ୍ବ ସ୍ତରରେ ଭାରତକୁ କୂଟନୈତିକ ସମର୍ଥନ ଚୀନ ଉପରେ ପ୍ରଭାବ ପକାଇବ। ତେବେ ଚାପ ଆଗରେ ଯେ ଚୀନ ନଇଁଯିବ, ଏହା ମନେକରାଯାଇ ପାରୁନି। ଚୀନ ଅଧିକ ଆକ୍ରମଣକାରୀ ମଧ୍ୟ ହୋଇପାରେ। ଆକ୍ରମଣ ଜରିଆରେ ଚୀନ ଯେ ସଶକ୍ତ ଓ ଆକ୍ରମଣ କରି ଯେ କୌଣସି ଦେଶର ସମ୍ପତ୍ତି ଅକ୍ତିଆର କରିପାରେ ଏହି ବାର୍ତ୍ତା ଦେବା ପାଇଁ ହୁଏତ ଚାହିଁପାରେ। ଭାରତ ଅନ୍ୟ ଦେଶଗୁଡ଼ିକର ସମର୍ଥନକୁ ବ୍ୟବହାର କରିବା ସହିତ ବିଶ୍ବସନୀୟତାର ବିସ୍ତାର ମଧ୍ୟ କରିପାରିବ। ଚୀନ ଉପରେ ଏବେ ଅନେକ ଚାପ। କିନ୍ତୁ ସେ ଭାରତ ଉପରେ ଆକ୍ରମଣ କରି ବିଶ୍ବବାସୀଙ୍କ ନଜର ହଟାଇବାର ପ୍ରୟାସ କରୁଛି। ଅପରପକ୍ଷେ ଭାରତ ଏବେ ଆକ୍ରମଣାତ୍ମକ କୂଟନୀତିର ଯୋଜନା ତିଆରିରେ ଲାଗିପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ