ଚାକିରି ପାଇଁ ସାକ୍ଷାତକାର ଦେବାକୁ ଯାଉଥିଲେ ଟିକେ ପ୍ରସ୍ତୁତ ରହନ୍ତୁ


ନୂଆ ଚାକିରି ପାଇଁ ସାକ୍ଷାତକାର ଦେବାକୁ ଯିବାବେଳେ ସାଧାରଣତଃ ଅନେକ ନର୍ଭସ ହୋଇଯାନ୍ତି। ଯାହାଫଳରେ ସାକ୍ଷାତକାର ଦେବାକୁ ଯିବେ କି ନାହିଁ ଦ୍ବନ୍ଦରେ ପଡ଼ିଯାନ୍ତି। ବର୍ତ୍ତମାନ ସମୟରେ ଅଧିକାଂଶ ଯୁବପିଢ଼ିଙ୍କ ପାଖରେ ଏହି ସମସ୍ୟା। ସାକ୍ଷାତକାର ଦେବାକୁ ଯିବା ପୂର୍ବରୁ ନିଯୁକ୍ତିଦାତା କେଉଁ ବିଷୟରେ ପ୍ରଶ୍ନ କରିବେ, ତାହାକୁ ନେଇ ଚିନ୍ତାରେ ପଡ଼ିବା ସହ ନର୍ଭସ ହୋଇଯାନ୍ତି। ଯାହାଫଳରେ ହେବାକୁ ଯାଉଥିବା କାମ ବି ବିଗିଡ଼ିଯାଏ। ତେବେ ଏମିତି କିଛି ପ୍ରଶ୍ନ ଅଛି, ଯାହା ସବୁ ସାକ୍ଷାତକାର ସମୟରେ ପଚରାଯାଇଥାଏ। ଚାଲନ୍ତୁ ଜାଣିବା ସାକ୍ଷାତକାର ସମୟରେ ପଚରାଯାଉଥିବା ଏମିତି କିଛି ସାଧାରଣ ପ୍ରଶ୍ନ ସମ୍ପର୍କରେ।

ପ୍ରତ୍ୟେକ ସାକ୍ଷାତକାର ସମୟରେ ନିଯୁକ୍ତିଦାତା ନିଜ ବିଷୟରେ କିଛି କହିବାକୁ କହିଥାନ୍ତି। ଏହି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଚିନ୍ତା କରନ୍ତୁ ନିଯୁକ୍ତିଦାତା କ’ଣ ଜାଣିବାକୁ ଚାହୁଛନ୍ତି। ସେ ଆପଣଙ୍କ ବ୍ୟକ୍ତିତ୍ବ ସମ୍ପର୍କରେ ଜାଣିବାକୁ ଚାହୁଛନ୍ତି ନା ପାଠପଢ଼ା ସମ୍ପର୍କରେ। ଉତ୍ତର ଦେବାବେଳେ ନିଜ ପ୍ରକୃତି, ହବି ଏବଂ ବ୍ୟାକ୍‌ଗ୍ରାଉଣ୍ଡ ବିଷୟରେ ମଧ୍ୟ କହିପାରିବେ।

କାମ କଲାବେଳେ ସବୁଠାରୁ ବଡ଼ ଚ୍ୟାଲେଞ୍ଜକୁ କିପରି ସାମ୍ନା କରିଛନ୍ତି ବୋଲି ନିଯୁକ୍ତିଦାତା ପ୍ରଶ୍ନ କରିପାରନ୍ତି। ଏହି ପ୍ରଶ୍ନର ଉତ୍ତର ଦେବାବେଳେ ନିଶ୍ଚିତ ଭାବେ ଯେ କେହି ଦ୍ବନ୍ଦ୍ବରେ ପଡ଼ିଯିବେ। ସେହି କଠିନ ସ୍ଥିତି ସମ୍ପର୍କରେ ହୁଏତ ମନେ ପକାଇ କହିବା ମୁସ୍କିଲ ହୋଇପାରେ। ତେଣୁ ଯଦି ଏହାର ଉତ୍ତର ନିଜ ପାଖରେ ରହିଛି, ତେବେ ଡରିବାର କୌଣସି କାରଣ ନାହିଁ।

ସାକ୍ଷାତକାର ଦେବା ସମୟରେ ଚାକିରି କାହିଁକି ଛାଡ଼ିବାକୁ ଚାହୁଛନ୍ତି ବୋଲି ନିଯୁକ୍ତିଦାତା ପ୍ରଶ୍ନ କରିଥାନ୍ତି। ତେବେ ଏହି ପ୍ରଶ୍ନର ଉତ୍ତର ଦେବା ସମୟରେ ପୁରୁଣା ଅଫିସ୍‌ କିମ୍ବା ବସ୍‌ଙ୍କର ସମାଲୋଚନା କରନ୍ତୁ ନାହିଁ। ଆପଣ ନୂଆ କିଛି କରିବାକୁ ଚାହୁଛନ୍ତି। ନୂଆ ଚ୍ୟାଲେଞ୍ଜର ସାମ୍ନା କରିବାକୁ ଚାହୁଛନ୍ତି। ନିଜ ଦକ୍ଷତାକୁ ଭଲ ଭାବେ ଉପଯୋଗ କରିବାକୁ ଚାହୁଛନ୍ତି ବୋଲି ଉତ୍ତର ଦେଇପାରିବେ।

କର୍ମକ୍ଷେତ୍ରରେ ଚାପକୁ କିପରି ନିୟନ୍ତ୍ରଣ କରନ୍ତି ବୋଲି ନିଯୁକ୍ତିଦାତା ପ୍ରଶ୍ନ କରିପାରନ୍ତି। ଚ୍ୟାଲେଞ୍ଜ ନେଇ କାମ କରିବାକୁ ଅଧିକ ଭଲ ଲାଗେ। କାମ କରିବାର ସ୍ପୃହାକୁ ଏହା ଅଧିକ ପ୍ରେରଣା ଦିଏ। ଡେଡ୍‌ଲାଇନ୍‌ ମଧ୍ୟରେ କାମ କରିବାକୁ ଅଧିକ ପସନ୍ଦ କରନ୍ତି ବୋଲି ଉତ୍ତର ଦେଇପାରିବେ।

ନିଯୁକ୍ତିଦାତା ବେଳେ ବେଳେ ଚାଲାକିରେ ଆପଣଙ୍କର ସବୁଠାରୁ ବଡ଼ ଦୁର୍ବଳତା କ’ଣ ବୋଲି ପଚାରିପାରନ୍ତି। ଏହା ଏକ ଜଟିଳ ପ୍ରଶ୍ନ। ତେବେ ଏହି ସମୟରେ ଆପଣ ମଧ୍ୟ ବୁଦ୍ଧି ଖର୍ଚ୍ଚ କରିବାକୁ ପଡ଼ିବ। ନିଜର କୌଣସି ଦକ୍ଷତାକୁ ନିଜ ଦୁର୍ବଳତା ଭାବେ ଉପସ୍ଥାପନ କରନ୍ତୁ। ଯେପରି ଆପଣ ଜଣେ ପରଫେକ୍ସନିଷ୍ଟ। ସବୁଠାରୁ ଭଲ ଫଳାଫଳ ନ ମିଳିବା ପର୍ଯ୍ୟନ୍ତ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ ବୋଲି ଉତ୍ତର ଦେଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ