ଆଶ୍ଚର୍ଯ୍ୟ: ବଦଳିଲା ୫୦ ହଜାର ବର୍ଷ ତଳର ହ୍ରଦର ରଙ୍ଗ


ନିଜର ସୌନ୍ଦର୍ଯ୍ୟ ପାଇଁ ମହାରାଷ୍ଟ୍ରର ଲୋନାର ହ୍ରଦ ଖୁବ୍ ଲୋକପ୍ରିୟ। ୫୦ ହଜାର ବର୍ଷର ଏହି ପୁରୁଣା ହ୍ରଦକୁ ଦେଖିବା ଲାଗି ପ୍ରତ୍ୟେକ ବର୍ଷ ଅନେକ ପର୍ଯ୍ୟଟକ ଆସିଥାନ୍ତି। କିନ୍ତୁ କିଛି ଦିନ ତଳେ ଏହି ହ୍ରଦରେ ଏପରି କିଛି ହୋଇଥିଲା, ଯାହାକୁ ଦେଖି ବୈଜ୍ଞାନିକମାନେ ମଧ୍ୟ ଚକିତ ହୋଇଯାଇଥିଲେ।

ଲୋନାର ହ୍ରଦର ପାଣିର ରଙ୍ଗ ରାତାରାତି ବଦଳି ଗୋଲାପି ହୋଇଯାଇଥିଲା। ଏହି ହ୍ରଦର ପାଣି ଲୁଣିଆ ଓ ଏହାର ପିଏଚ୍ ସ୍ତର ୧୦.୫ ଅଟେ। ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ହ୍ରଦରେ ଶୈବାଳ ଅଛି। ଏପରି ରଙ୍ଗ ବଦଳିବାର କାରଣ ଏହାର ଲବଣାକ୍ତ ଗୁଣ ଓ ଶୈବାଳ ହୋଇପାରେ। ଲୋନାର ହ୍ରଦରେ ଏବେ ପାଣି କମ୍ ରହିଛି। କାରଣ ବର୍ଷା ହୋଇ ନ ଥିବାରୁ ଏଥିରେ ତାଜା ପାଣି ପ୍ରବେଶ କରିନି। ଜଳସ୍ତର କମ୍ ହୋଇଥିବା କାରଣରୁ ହ୍ରଦର ଲବଣାଂଶ ଆହୁରି ବଢ଼ି ଥାଇପାରେ ଓ ଶୈବାଳର ପ୍ରକୃତି ମଧ୍ୟ ବଦଳିଥାଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ପ୍ରଥମ ଥର ପାଇଁ ଏହି ଲୋନାର ହ୍ରଦ ପାଣିର ରଙ୍ଗ ବଦଳିନି। କିନ୍ତୁ ଏଥର ସ୍ପଷ୍ଟ ଭାବେ ଏହାର ରଙ୍ଗ ବଦଳି ପୂରାପୂରି ଗୋଲାପି ହୋଇଥିଲା। ବିଶେଷଜ୍ଞମାନେ ହ୍ରଦର ଏଭଳି ପରିବର୍ତ୍ତିତ ରଙ୍ଗର କାରଣ ଖୋଜିବାରେ ଲାଗିପଡ଼ିଛନ୍ତି।

ଉଲକା ପିଣ୍ଡ ଖସି ସୃଷ୍ଟି ହୋଇଥିଲା
ଲୋନାର ହ୍ରଦ ମୁମ୍ବାଇ ଠାରୁ ୫୦୦ କିମି ଦୂର ବୁଲଢାଣା ଜିଲ୍ଲାରେ ଅବସ୍ଥିତ। ଏହି ହ୍ରଦ ପ୍ରାୟ ୫୦ ହଜାର ବର୍ଷ ତଳର ବୋଲି କୁହାଯାଏ। ଏକ ଉଲକାପିଣ୍ଡ ଖସି ଏହି ହ୍ରଦ ସୃଷ୍ଟି ହୋଇଥିଲା ବୋଲି କୁହାଯାଉଥିବା ବେଳେ ଉକ୍ତ ଉଲକାପିଣ୍ଡ କୁଆଡ଼େ ଗଲା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସାରା ବିଶ୍ବର ବୈଜ୍ଞାନିକମାନଙ୍କର ମଧ୍ୟ ଏହି ହ୍ରଦକୁ ନେଇ ଆଗ୍ରହ ରହିଛି। ପାଖାପାଖି ୧.୨ କିମି ବ୍ୟାସ ଯୁକ୍ତ ଲୋନାର ହ୍ରଦର ପାଣିର ରଙ୍ଗ ବଦଳିବା ପରେ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରକୃତିବିତ୍ ଓ ବିଶେଷଜ୍ଞମାନେ ମଧ୍ୟ ଚକିତ ହୋଇଯାଇଛନ୍ତି।

ବେଦ ପୁରାଣରେ ରହିଛି ସୂଚନା
ସୂଚନାଯୋଗ୍ୟ ଯେ ୧୫୦ ମିଟର ଗଭୀର ଏହି ଲୋନାର ହ୍ରଦ ସମ୍ପର୍କରେ ପୁରାଣ, ବେଦ ଓ କିମ୍ବଦନ୍ତୀରେ ରହିଛି। ନାସାଠାରୁ ଆରମ୍ଭ କରି ବିଶ୍ବର ସମସ୍ତ ଏଜେନ୍ସି ଏହା ଉପରେ ଗବେଷଣା କରି ସାରିଛନ୍ତି। କେବଳ ସେତିକି ନୁହେଁ, ସ୍କନ୍ଦ ପୁରାଣରେ ମଧ୍ୟ ଲୋନାର ହ୍ରଦ ସମ୍ପର୍କରେ ଉଲ୍ଲେଖ ରହିଛି।

ଆକବରଙ୍କ ସହ ରହିଛି ସମ୍ପର୍କ
ଏହି ହ୍ରଦ ସମ୍ପର୍କରେ ପଦ୍ମ ପୁରାଣ ଓ ଆଇନ୍-ଏ-ଆକବରୀରେ ମଧ୍ୟ ଉଲ୍ଲେଖ ରହିଛି। କୁହାଯାଉଛି, ଆକବର ଏହି ହ୍ରଦର ପାଣି ସେବନ କରୁଥିଲେ। ୧୮୨୩ ମସିହାରେ ବ୍ରିଟିଶ ଅଧିକାରୀ ଜେଇ ଆଲେକଜାଣ୍ଡାର ଏହାର ପରିଚୟ ଦେଇଥିଲେ।

୨୦୦୬ରେ ଶୁଖିଯାଇଥିଲା ଏହି ହ୍ରଦ
ଲୋନାର ହ୍ରଦ ପାଖରେ ଉଲକାପିଣ୍ଡ ଧକ୍କା ହୋଇଥିବାରୁ ଆହୁରି ୨ଟି ହ୍ରଦ ସୃଷ୍ଟି ହୋଇଥିଲା। ଏବେ ଏହା ଆଉ ସେଠାରେ ଦେଖିବାକୁ ମିଳୁନି। ୨୦୦୬ରେ ଏହି ହ୍ରଦ ଶୁଖି ଯାଇଥିଲା। କିନ୍ତୁ ବର୍ଷା ହେବା ପରେ ଏହା ପୁଣି ଜଳପୂର୍ଣ୍ଣ ହୋଇଯାଇଥିଲା। ପାଣି ନ ଥିବାବେଳେ ଗ୍ରାମବାସୀ ଏହି ହ୍ରଦ ଭିତରେ ଲୁଣ ଓ ଚମକୁଥିବା ଅନ୍ୟ ଖଣିଜ ପଦାର୍ଥ ଦେଖିଥିଲେ ବୋଲି କୁହାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ