ପୁଣି ପ୍ରବାସୀ ହେବେ କି ଓଡ଼ିଆ ଶ୍ରମିକ?


ବିଶ୍ବ ମହାମାରୀ କୋରୋନା ପାଇଁ ଲକଡାଉନ ଘୋଷଣା ହେବା ପରେ ଦାନା ପାଇଁ ଦାଦନ ଯାଇଥିବା ଶ୍ରମିକଙ୍କ ଅସଲ ଦୁର୍ଦ୍ଦଶା ଆରମ୍ଭ ହୋଇଥିଲା। କାର୍ଯ୍ୟସ୍ଥଳୀରେ କାମ ବନ୍ଦ ହେବାରେ ଜୀବିକାର ସଙ୍କଟ ସହିତ ରୋଗର ଭୟ ଘାରିଥିଲା। ଏଭଳି ସମୟରେ ସେମାନେ ନିଜ ଭିଟାମାଟି ଓ ଘରମୁହାଁ ହେବାକୁ ଆରମ୍ଭ କଲେ। ପ୍ରବାସରେ ଥିବା ନିଜ ରାଜ୍ୟର ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ରାଜ୍ୟର ପ୍ରଶାସନ ପ୍ରକ୍ରିୟା ଆରମ୍ଭ କଲେ। ଓଡ଼ିଶା ସରକାର ମଧ୍ୟ ଏଥିପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ବାର୍ପଣ କରିଥିଲେ। ଘରମୁହାଁ ଶ୍ରମିକଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ ହେଲା। ଏଥିରୁ ସାମ୍ନାକୁ ଆସିଲା ପ୍ରବାସରେ ଥିବା ରାଜ୍ୟର ଅସଲ ଶ୍ରମିକଙ୍କ ସଂଖ୍ୟା। ଯାହାକୁ ବର୍ଷ ବର୍ଷ ଧରି ସରକାର ଅସ୍ବୀକାର କରିଚାଲିଥିଲେ। ଶ୍ରମିକମାନେ ଫେରିବା ପରେ ଘର ଲୋକେ ଯେଉଁଭଳି ଆାଶ୍ବସ୍ତ ହୋଇଥିଲେ, ଏବେ ସେ ଖୁସି ମଉଳିଯିବାକୁ ବସିଛି। ଗାଁରେ କାମଧନ୍ଦା ନାହିଁ। କାମଧନ୍ଦା ଯେଉଁଠି ଅଛି, ସେଠାରେ ଦକ୍ଷତା ଅନୁଯାୟୀ ମଜୁରି ନାହିଁ। ସର୍ବାଧିକ ଲୋକଙ୍କ ସାମର୍ଥ୍ୟ ଅନୁଯାୟୀ କାମଧନ୍ଦା ଯୋଗାଣର ସୁବିଧା ନାହିଁ। ପୁଣି ପୂର୍ବ ରୋଜଗାରରୁ ଅଧାରୁ ଅଧିକ ଆୟ ହ୍ରାସ ପାଇଛି। ଆୟର ନିଶ୍ଚିତତା ଓ ସାମର୍ଥ୍ୟ ଅନୁଯାୟୀ କାମ ଖୋଜିବା ପାଇଁ ଅନେକ ଶ୍ରମିକ ପୁଣିଥରେ ପ୍ରବାସକୁ ଫେରିବାକୁ ଚାହୁଁଥିବା ବେଳେ ଅତୀତର ତିକ୍ତ ଅଭିଞତା ସେମାନଙ୍କ ପାଦକୁ ପଛରୁ ଜାବୁଡ଼ି ଧରୁଛି। ଏଭଳି ସ୍ଥିତିରେ ଦାନା ପାଇଁ ଦାଦନ ଖଟିବାକୁ ଯାଇ ଲକଡାଉନ ପାଇଁ ଘରକୁ ଫେରିଥିବା ଶ୍ରମିକ କ’ଣ ପୁଣିଥରେ ପ୍ରବାସୀ ହେବେ କି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏଭଳି ପ୍‌ଷ୍ଠଭୂମିରେ ଆମର ଏ ଗ୍ରାଉଣ୍ଡ ଜିରୋ ରିପୋର୍ଟ।

ଘରକୁ ଫେରିଛନ୍ତି, ମରିଛି ସରାଗ
୨୧ ଦିନ ସଙ୍ଗରୋଧ ପରେ ପ୍ରବାସରୁ ଫେରି ଆସିଥିବା ଭାଇମାନେ ପରିବାର ସହ ମିଶିଛନ୍ତି। ମନରେ ଖୁସି ଆତ୍ମୀୟଙ୍କ ସହ ମିଶିବେ। ମା’ ବାପା ଆଉ ସ୍ତ୍ରୀ ପିଲାଙ୍କ ସହ ସମୟ କାଟିବେ। ଆରପଟେ ଦୁଃଖ ଯେ ଗାଁରେ କରିବେ କ’ଣ? ରୋଜଗାର କେମିତି ହେବ? ପରିବାର ପ୍ରତିପୋଷଣ କରିବେ କିପରି? ଭବିଷ୍ୟତ ଅନ୍ଧକାରମୟ। ସଙ୍ଗରୋଧ କେନ୍ଦ୍ରରେ ସରକାର କୋଭିଡ ଯୋଦ୍ଧା ହେବା ପାଇଁ ପ୍ରଶିକ୍ଷଣ ଦେଲେ। ସାର୍ଟିଫିକେଟ ଦେଲେ। ଫେରିଲା ବେଳେ ଫୁଲ ଆଉ ବେଲୁନ ଲଗାଇ ଆଡମ୍ବରପୂର୍ଣ୍ଣ ବିଦାୟ ବି ଦେଲେ। ହେଲେ ଭୁଲିଗଲେ, ସେମାନଙ୍କ ହାତରେ ରୋଜଗାର ଦେବା ପାର୍ଇଁ। ପ୍ରବାସରୁ ଭାଇମାନେ ଖାଲିହାତରେ ଫେରିଥିଲେ। ଟଙ୍କାଟିଏ ପାଖରେ ନାହିଁ ନିଜ ଛୁଆଙ୍କ ପାଇଁ ପୋଷାକ ଆଉ ଚପଲ ହଳେ କିଣିନେବା ପାଇଁ । ଏଭଳି ସ୍ଥିତିରେ ପରିବାର ସହ କେତେଦିନ ବିନା ଆୟରେ ଦହଗଞ୍ଜ ହେବେ, ତାହା ଏବେ ବଡ଼ ପ୍ରଶ୍ନ।

ସ୍ଥିତି ଓ ସଂଖ୍ୟା ଜାଣନ୍ତିନି ସରକାର: ସମାଧାନ ବା କିଭଳି ହେବ
ରାଜ୍ୟର କେଉଁ ଜିଲାରୁ କେତେ ଲୋକ କେତେ ମାସ ପାଇଁ ବାହାର ରାଜ୍ୟକୁ ଯାଆନ୍ତି, ତାର ତଥ୍ୟ ଶ୍ରମ ବିଭାଗ ନିକଟରେ ନାହିଁ। ଦାଦନର ଗଡ଼ କୁହାଯାଉଥିବା ବଲାଙ୍ଗିର ଜିଲାରୁ ମାତ୍ର ୮ ହଜାର ଶ୍ରମିକ ଦାଦନ ଯାଇଥିବା ଶ୍ରମ ବିଭାଗ ରେକର୍ଡ କହୁଥିବା ବେଳେ ଏବେ ୨ ଲକ୍ଷ ଲୋକ ଫେରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାରୁ ଦାଦନ ଖଟିବା ପାଇଁ ୭ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ନିଜ ଭିଟାମାଟି ଛାଡ଼ି ପ୍ରବାସୀ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗଞ୍ଜାମର କେବଳ ୩ ଲକ୍ଷ ଲୋକ। ଏମାନଙ୍କ ନାମ ଶ୍ରମ ବିଭାଗର ରେକର୍ଡରେ ନାହିଁ। ସେମାନେ କେଉଁ ରାଜ୍ୟରେ କିଭଳି ସ୍ଥିତିରେ କେତେ ଆୟ କରନ୍ତି, ତାହାର କୌଣସି ଖବର ସରକାର ରଖନ୍ତିନି। ଦାଦନଙ୍କ ସ୍ଥିତି ଓ ଦୁର୍ଦ୍ଦିନ ଖବର ସରକାର ଜାଣୁ ନ ଥିବାରୁ ସମାଧାନ ଦିଗରେ ଆନ୍ତରିକତା ଦେଖାଇ ନାହାନ୍ତି।

ଫେରିବାକୁ ବାଧ୍ୟ: ଜନ୍ମ ତ କଷ୍ଟ ସହିବା
ଭାରତର ସବୁଠୁ ଅଣସଂଗଠିତ କ୍ଷେତ୍ର କୁହାଯାଉଥିବା ଇଟାଭାଟି ଗୁଡ଼ିକରେ ୧୦ ମିଲିଅନ ଶ୍ରମିକ କାମ କରନ୍ତି। ସେଥିରେ ଓଡ଼ିଶାର ଭାଗ ଅଧିକ। ଅସ୍ବାସ୍ଥ୍ୟକର ପରିବେଶ ସାଙ୍ଗକୁ ସବୁ ପ୍ରକାର ଶ୍ରମ ଆଇନ ଏଠାରେ ଉଲ୍ଲଂଘନ ହୁଏ। ମାଲିକ ଅନେକ ସମୟରେ ଶାରୀରିକ ଆଘାତ ବି ଦେବାର ଦ୍‌ଷ୍ଟାନ୍ତ ରହିଛି। ଏହି କାମ କରୁଥିବା ରାଜ୍ୟର ୨ ଲକ୍ଷ କୁଶଳୀ ଶ୍ରମିକଙ୍କ ଜୀବିକା ପାଇଁ ଗାଁରେ କିଛି ବ୍ୟବସ୍ଥା ନାହିଁ। ସେହିପରି ଗଞ୍ଜାମର ୩ ଲକ୍ଷ କୁଶଳୀ ଶ୍ରମିକ ସୁରତର ସୁତାମିଲରୁ ଜୀବିକା ହରାଇ ରାଜ୍ୟକୁ ଫେରିଛନ୍ତି। ସେମାନେ ଅଧା ମଜୁରିରେ ଗାଁରେ କ’ଣ ଘାସ ଉପାଡ଼ିବେ କି ବୋଲି ପ୍ରଶ୍ନ ଉଠିଛି।

ଗାନ୍ଧିଙ୍କ ରାସ୍ତାରେ ଗାଁକୁ ଛିଡ଼ା କରିହେବ କି?
ଖଦୀ, ଗ୍ରାମୋଦ୍ୟୋଗ, କୁଟୀର ଶିଳ୍ପ ଗାଁ ଗାଁରେ କରାଯାଇ ପାରିବ କି? ରିଲିଫକୁ ରଚନାତ୍ମକ କାମରେ ବଦଳାଇବାକୁ ପଡ଼ିବ। ଗାଁରେ ରୋଜଗାରର ରାସ୍ତା ବାହାର କରିବାକୁ ହେବ। ନ ହେଲେ ଆମେ ପୁଣି ବିପଦକୁ ବାରମ୍ବାର ଏଭଳି ନିମନ୍ତ୍ରଣ କରି ଆଣୁଥିବା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ