ଜାଣନ୍ତୁ ନିଦ୍ରାହୀନତାର କାରଣ, କରନ୍ତୁ ଉପଚାର


ଘରେ କିମ୍ବା ସାଙ୍ଗଙ୍କ ଠାରୁ ଆମକୁ ସାଧାରଣତଃ ଶୁଣିବାକୁ ମିଳିଥାଏ ଯେ ରାତିରେ ନିଦ ହେଉ ନାହିଁ କିମ୍ବା ରାତିରେ ଶୋଇପାରି ନାହାନ୍ତି। କେହି କେହି କହୁଥିବା ଶୁଣିବାକୁ ମିଳିଥାଏ ଯେ କ’ଣ ପାଇଁ କେଜାଣି ରାତିରେ ନିଦ ହେଲାନି ବୋଲି। କିନ୍ତୁ ଏପରି କହୁଥିବା ଲୋକେ ତାଙ୍କ ଜୀବନଶେଳୀ କିପରି ତାହା କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି? ଯେଉଁମାନେ ରାତିରେ ଭଲ ଭାବେ ଶୋଇ ପାରି ନ ଥାନ୍ତି, ପରଦିନ ଉଦାସ ଓ ଥକା ଅନୁଭବ କରିଥାନ୍ତି। କାରଣ ରାତିରେ ଠିକ୍ ଭାବେ ଆମ ଶରୀର ଓ ମସ୍ତିଷ୍କ ଶୋଇ ନ ପାରିଲେ, ପରଦିନ ଶରୀର ଓ ମସ୍ତିଷ୍କରେ ହର୍ମୋନ ସ୍ତର ଏପଟସେପଟ ହୋଇଯାଏ।

ଭାରତରେ ସ୍ଲିପିଂ ଡିଜଅର୍ଡର ରୋଗୀ
ସାଇକାଏଟ୍ରିଷ୍ଟଙ୍କ ଅନୁସାରେ ଆମ ଦେଶରେ ପାଖାପାଖି ପ୍ରତ୍ୟେକ ୭ ଜଣରେ ଜଣେ ବ୍ୟକ୍ତି ନିଦ ନ ହେବା କିମ୍ବା ଭଲରେ ନିଦ ନ ହେବା ସମସ୍ୟା ଭୋଗିଥାନ୍ତି। ଏହାର ମୁଖ୍ୟ କାରଣ ଗୋଟିଏ ନୁହେଁ, ଅନେକଗୁଡ଼ିଏ ରହିଛି। ସାମାଜିକ, ମାନସିକ ଓ ଶାରୀରିକ ତିନି ପ୍ରକାର କାରଣ ହୋଇପାରେ। ଏହା ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ପରିସ୍ଥିତି ଉପରେ ନିର୍ଭର କରିଥାଏ। ଯେଉଁଥିପାଇଁ ସେମାନଙ୍କୁ ନିଦ ସମସ୍ୟା ଲାଗି ରହିଥାଏ। ଆମ ଜୀବନଶୈଳୀ ଦ୍ରୁତଗତିରେ ବଦଳି ଚାଲିଛି। ଆମେ ଲଗାତର ପ୍ରକୃତି ଓ ପ୍ରାକୃତିକ ଜୀବନ ଠାରୁ ଦୂରେଇବାରେ ଲାଗିଛୁ। ଏହି କାରଣରୁ ପ୍ରତ୍ୟେକ ସମୟରେ ଆମେ ଏକ ଅଜଣା ମାନସିକ ଚାପରେ ରହିଥାଉ। ଏହି ଚାପ ଚିନ୍ତାର ରୂପ ନେଉଥିବାରୁ ହର୍ମୋନର ସ୍ତର ବିଗିଡ଼ି ଯାଏ ଓ ଆମେ ସ୍ଲିପିଂ ଡିସଅର୍ଡରର ଶିକାର ହୋଇଥାଉ।

କେତେକ ଲୋକେ ଆନୁବଂଶିକ ରୂପରେ ଚିନ୍ତାଳୁ ପ୍ରକୃତିର ରହିଥାନ୍ତି। ସେହିପରି କେତେକ ଲୋକଙ୍କ କ୍ଷେତ୍ରରେ ହର୍ମୋନ ଅସନ୍ତୁଳିତ ହେଉଥିବାରୁ ସମସ୍ୟା ଘର କରିଥାଏ।  ଯଦି କେହି ଠିକ୍ ସମୟରେ ପରାମର୍ଶ ଓ ଔଷଧ ନ ନିଅନ୍ତି, ତେବେ ଏହି ସମସ୍ୟା ଗମ୍ଭୀର ମାନସିକ ରୋଗର ରୂପ ନେଇପାରେ। ଶାରୀରିକ ଭାବେ ମୁଖ୍ୟତଃ ଦୁଇଟି କାରଣରୁ ନିଦ ନ ଆସିବା ସ୍ଥିତି ଉପୁଜିଥାଏ। ଯଦି କୌଣସି ବ୍ୟକ୍ତି ଅଧିକ ଥକି ଯାଇଥାନ୍ତି ଓ ଦ୍ବିତୀୟଟି ହେଉଛି ଶାରୀରିକ କାର୍ଯ୍ୟକଳାପ ନ କରିବା। ଏହି କାରଣ ପାଇଁ ରାତିରେ ନିଦ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ।

ସାଧାରଣତଃ ସମାଜରେ ଏକ ଭ୍ରାନ୍ତ ଧାରଣା ରହିଛି, ଯଦି କୌଣସି ବ୍ୟକ୍ତି ଘୁଙ୍ଗୁଡ଼ି ମାରୁଛନ୍ତି, ତେବେ ସେ ଗଭୀର ନିଦରେ ଶୋଇଛନ୍ତି। କିନ୍ତୁ ଏହି ଚିନ୍ତାଧାରା ଠିକ୍ ନୁହେଁ। ବିଶେଷକରି ଆମ ଶରୀରରେ ଥିବା ଫୁସଫୁସ ପର୍ଯ୍ୟନ୍ତ ଆବଶ୍ୟକ ମାତ୍ରାରେ ଅମ୍ଳଜାନ ପହଞ୍ଚି ନ ପାରିଲେ ଶ୍ବଶନତନ୍ତ୍ରରେ ଘୁଙ୍ଗୁଡ଼ି ସ୍ଥିତି ଉତ୍ପନ୍ନ ହୋଇଥାଏ। ଶୋଇବା ସମୟରେ ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଅମ୍ଳଜାନ ନ ମିଳିବା କାରଣରୁ ବ୍ୟକ୍ତିର ସ୍ବଭାବ ଚିଡଚିଡ଼ା ହୋଇଯାଏ  ଓ ସ୍ମରଣଶକ୍ତି ମଧ୍ୟ ଦୁର୍ବଳ ହୋଇଯାଏ।  ଏପରି ଲୋକଙ୍କଠାରେ ଏହି ସମସ୍ୟା ଦୀର୍ଘ ସମୟ ଧରି ରହିଲେ, ପର୍ସନାଲିଟି ଡିଜଅର୍ଡର ଆଶଙ୍କା ରହିଥାଏ।

ଏଠାରେ ରହୁଥିବା ଲୋକଙ୍କୁ ଅଧିକ ସମସ୍ୟା
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ସ୍ଲିପିଂ ଡିଜଅର୍ଡର ସମସ୍ୟା ମୁଖ୍ୟ ରୂପରେ ସହରରେ ରହୁଥିବା ଲୋକଙ୍କଠାରେ ଅଧିକ ଦେଖିବାକୁ ମିଳିଥାଏ। ଏହାର ବଡ଼ କାରଣ ସହରରେ ଲଗାତର ବଢ଼ୁଥିବା ପ୍ରଦୂଷଣ ସ୍ତର। ଯାହା ଶରୀରରେ ଅମ୍ଳଜାନର ଅଭାବ କରିଥାଏ ଓ ରକ୍ତ ପ୍ରବାହକୁ କମ୍ କରିଥାଏ। ଏହାଦ୍ବାରା ବ୍ୟକ୍ତି ସବୁବେଳେ ଥକା ରହିଥାଏ। ସହରରେ ରହୁଥିବା ଲୋକେ ଚା’ ଓ କଫି ରୂପରେ କ୍ୟାଫେନର ଅଧିକ ଉପଯୋଗ କରିଥାଏ। କ୍ୟାଫେନର ଅଧିକ ମାତ୍ରା ମସ୍ତିଷ୍କରେ ନିଦ ସମ୍ବନ୍ଧିତ ହର୍ମୋନ ମେଲାନିନ ନିର୍ଗମନର ସନ୍ତୁଳନକୁ ବିଗାଡ଼ି ଦିଏ। ଏହା ଫଳରେ ନିଦ ନ ଆସିବା ସମସ୍ୟା ହୋଇଥାଏ।

ଏହି ଲୋକଙ୍କୁ ହୋଇଥାଏ ଏହି ସମସ୍ୟା
ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ମନୋବେଜ୍ଞାନିକଙ୍କ କହିବାନୁସାରେ ସ୍ଲିପିଂ ଡିଜ୍ଅର୍ଡର ଅଧିକାଂଶ ସେହି ଲୋକଙ୍କୁ ଶିକାର କରିଥାଏ, ଯେଉଁମାନେ ପେସାରେ ଶାରୀରିକ ରୂପରେ କମ୍ ଓ ମାନସିକ ଭାବେ ଅଧିକ ଥକା ହୋଇଥାନ୍ତି। ଯେପରିକି ମିଡିଆ, ହସ୍ପିଟାଲ ଷ୍ଟାଫ୍, ଏୟାରଲାଇନ୍ସ ଓ ଅନ୍ୟ ପେସାରେ ସିଟିଂ ଜବ୍ କରୁଥିବା ଲୋକଙ୍କୁ ଏହି ସମସ୍ୟା ହୋଇଥାଏ।

ଏହା କରିବ ସାହାଯ୍ୟ
ଦିନରେ କିମ୍ବା ସନ୍ଧ୍ୟାରେ ଶୁଅନ୍ତୁ ନାହିଁ। ମଧ୍ୟାହ୍ନ ପରେ ଚା’ କଫି ପିଅନ୍ତୁ ନାହିଁ। ଶୋଇବା ଓ ଉଠିବା ସମୟ ସ୍ଥିର କରନ୍ତୁ। ଶୋଇବା ପୂର୍ବରୁ ହାତ, ମୁହଁ ଧୋଇ ସଫା କପଡ଼ା ପିନ୍ଧି ଶୁଅନ୍ତୁ। ଯଦି ସମ୍ଭବ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ରାତ୍ରିଭୋଜନ ସାରି ନିଅନ୍ତୁ। ଶାରୀରିକ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିଲେ ମଧ୍ୟ ଏହା ଆପଣଙ୍କ ନିଦରେ ସାହାଯ୍ୟ କରିପାରିବ। ଯଦି ଏସବୁରେ ସାହାଯ୍ୟ ମିଳୁ ନାହିଁ, ତେବେ ସମୟ ନଷ୍ଟ ନ କରି ତୁରନ୍ତ ସାଇକାଏଟ୍ରିଷ୍ଟଙ୍କ ପରାମର୍ଶ ନିଅନ୍ତୁ। ଫଳରେ ସମସ୍ୟା ବଢ଼ିବା ପୂର୍ବରୁ ଶେଷ କରାଯାଇପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ