ମମତାଙ୍କୁ ମୋଦିଙ୍କ ବିରଳ ପ୍ରଶଂସା


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ଅମ୍ପନ ପ୍ରଭାବିତ ବେଙ୍ଗଲର କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିବା ସହ ୧ ହଜାର କୋଟିର ଅଗ୍ରିମ ସହାୟତା ଘୋଷଣା କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରୀୟ ଟିମର ଅନୁଧ୍ୟାନ ପରେ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ଏହାରି ଭିତରେ ରାଜଭବନରେ ବାତ୍ୟା କ୍ଷତି ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ମମତାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ବେଳେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମମତାଙ୍କ ବାତ୍ୟା ମୁକାବିଲା ପଦକ୍ଷେପକୁ ପ୍ରଶଂସା କରିବା ଦେଖିବାକୁ ମିଳିଥିଲା। କୋରୋନା ପରି ମହାମାରୀ ବେଳେ ମମତାଙ୍କ ନେତୃତ୍ବରେ ବେଙ୍ଗଲ ବାତ୍ୟା ମୁକାବିଲା କରିବାରେ ବଳିଷ୍ଠ ପଦକ୍ଷେପ ନେଇଛି। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏହି ଦୁର୍ଦ୍ଦିନରେ ବେଙ୍ଗଲବାସୀଙ୍କ ସହ ରହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଯଦି ଆମେ ଅତୀତର ରାଜନୈତିକ ଘଟଣାବଳୀ ଉପରେ ନଜର ପକାଇବା ତାହେଲେ ଦେଶର ସଂଘୀୟ ବ୍ୟବସ୍ଥାରେ ବେଙ୍ଗଲ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସବୁବେଳେ ମୁକାବିଲା ମନୋଭାବ ନେଇ ଚର୍ଚ୍ଚା ହୋଇଛି। ମୁଖ୍ୟମନ୍ତ୍ରୀ ମମତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟୁ ସମାଲୋଚନା କରିବା ସହ କେନ୍ଦ୍ରୀୟ ଯୋଜନାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇବାର ନଜିର ରହିଛି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀ ମମତାଙ୍କୁ କଡ଼ା ସମାଲୋଚନା କରିବାରେ ଊଣା କରି ନାହାନ୍ତି। ମାତ୍ର ବାତ୍ୟା ମୁକାବିଲା ପାଇଁ ମୋଦି ବେଙ୍ଗଲ ଗସ୍ତ କରିବା ଓ ମମତା ତାଙ୍କ ମନ୍ତ୍ରିପରିଷଦର ଜଣେ ମନ୍ତ୍ରୀଙ୍କୁ ବିମାନବନ୍ଦରକୁ ପଠାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ରାଜଭବନରେ ମୋଦି ଓ ମମତାଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥିଲା। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ