ମହାରାଷ୍ଟ୍ରର ମଦର ଟେରେସା: ପଣତକାନି ତଳେ ଅସଂଖ୍ୟ ଅନାଥ ପିଲାଙ୍କୁ ଦେଇଛନ୍ତି ସାହାରା


ମା’ କେବଳ ଏକ ଶବ୍ଦ ନୁହେଁ। ମା’ଙ୍କ ଭୂମିକା ସବୁବେଳେ ନିଜ ପିଲାଙ୍କ ପାଇଁ ମମତାରେ ଭରା ହୋଇଥାଏ। ଆଜି ଏଠାରେ ଏଭଳି ଜଣେ ମା’ଙ୍କ କାହାଣୀ ସମ୍ପର୍କରେ କୁହାଯାଉଛି, ଯିଏ ନିଜ ପଣତକାନିରେ କେବଳ ୨ରୁ ୩ ଜଣ ପିଲା ନୁହନ୍ତି, ବରଂ ଅନେକ ଅନାଥ ପିଲାଙ୍କୁ ସାହାରା ଦେଇଛନ୍ତି। ଏହି କାହାଣୀର ନାୟିକା ହେଉଛନ୍ତି ଲକ୍ଷ ଲକ୍ଷ ଅନାଥ ପିଲାଙ୍କୁ ସାହାରା ଦେଇଥିବା ‘ମହାରାଷ୍ଟ୍ରର ମଦର ଟେରେସା’ ସିନ୍ଧୁତାଇ ସପକାଲ। ଚାଲନ୍ତୁ ଜାଣିବା ସିନ୍ଧୁତାଇଙ୍କ ସାଧାରଣ ମହିଳାରୁ ମଦର ଟେରେସା ହେବାର ଯାତ୍ରା ସମ୍ପର୍କରେ।

ସିନ୍ଧୁତାଇ ଏଭଳି ଜଣେ ମା’, ଯିଏ ହଜାର ହଜାର ପିଲାଙ୍କୁ ସ୍ନେହରେ ବାନ୍ଧି ରଖିଛନ୍ତି। ଖାସ ସେଥିପାଇଁ ସିନ୍ଧୁତାଇଙ୍କୁ ମହାରାଷ୍ଟ୍ରର ମଦର ଟେରେସା ଓ ଅନାଥଙ୍କ ମା’ ବୋଲି କୁହାଯାଏ। ପୁଣେର ରହୁଥିବା ସିନ୍ଧୁତାଇଙ୍କ ଜନ୍ମ ୧୪ ନଭେମ୍ବର ୧୯୪୮ରେ ମହାରାଷ୍ଟ୍ରର ୱାର୍ଧାସ୍ଥିତ ପିପରି ଗାଁରେ।

ଆତ୍ମନିର୍ଭର ହେବାକୁ ଚାହୁଥଲେ ପିତା
ଝିଅ ହୋଇଥିବାରୁ ତାଙ୍କୁ ଘର ଲୋକ ପସନ୍ଦ କରୁ ନ ଥିଲେ। କେବଳ ତାଙ୍କୁ ତାଙ୍କ ବାପା ଭଲ ପାଉଥିଲେ। ତାଙ୍କ ପିତା ମୁର୍ଖ ଥିଲେ, କିନ୍ତୁ ସେ ସିନ୍ଧୁତାଇଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଚାହୁଥିଲେ। ପତ୍ନୀଙ୍କ ବିରୋଧ ପରେ ମଧ୍ୟ ତାଙ୍କ ପିତା ତାଙ୍କୁ ସ୍କୁଲ୍ ପଠାଇଥିଲେ। ଯଦିଓ ଆର୍ଥିକ ସଙ୍କଟ କାରଣରୁ ତାଙ୍କୁ ସ୍କୁଲ୍ ଛାଡ଼ିବାକୁ  ପଡ଼ିଥିଲା। ସେ କେବଳ ଚତୁର୍ଥ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ।

ପତି ଘରୁ ତଡ଼ିଦେବା ପରେ ମଧ୍ୟ ସାହସ ହରାଇ ନ ଥିଲେ
ସିନ୍ଧୁତାଇଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ବୟସ, ସେତେବେଳେ ତାଙ୍କ ବାହାଘର ୩୦ ବର୍ଷୀୟ ଶ୍ରୀହରିଙ୍କ ସହିତ ହୋଇଥିଲା। ୨୦ ବର୍ଷ ବୟସରେ ସେ ୩ଟି ସନ୍ତାନର ମା’ ପାଲଟିଯାଇଥିଲେ।  ସିନ୍ଧୁତାଇ କହିଛନ୍ତି ଯେ ତାଙ୍କୁ ଯେତେବେଳେ ୨୦ ବର୍ଷ ହୋଇଥିଲା ଓ ତାଙ୍କ ଝିଅ ମମତା ମାତ୍ର ୧୦ ଦିନର ହୋଇଥିବା ବେଳେ ତାଙ୍କ ପତି ତାଙ୍କୁ ଘରୁ ତଡ଼ିଦେଇଥିଲେ। ତାଙ୍କ ପତିଙ୍କୁ ଝିଅ ଦରକାର ନ ଥିବାରୁ ସେ ତାଙ୍କୁ ପଥର ମାରି ଘରୁ ବାହାର କରି ଦେଇଥିଲେ ବୋଲି ସିନ୍ଧୁତାଇ କହିଛନ୍ତି। ସେତେବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଥିବାରୁ ବାପଘର ଲୋକେ ମଧ୍ୟ ତାଙ୍କୁ ଗ୍ରହଣ କରି ନ ଥିଲେ।

ଟ୍ରେନରେ ଗୀତ ଗାଇ ପେଟ ପୋଷୁଥିଲେ
ସିନ୍ଧୁତାଇ କହିଛନ୍ତି ଯେ ସେହି ସମୟରେ ସେ ଜାଣିପାରୁ ନ ଥିଲେ, କ’ଣ କରିବେ? ଏତେ ଛୋଟପିଲାକୁ ନେଇ କୁଆଡ଼େ ଯିବେ? ତାଙ୍କ ପାଖରେ ଖାଇବାକୁ ଟଙ୍କା କି ରହିବା ପାଇଁ ସ୍ଥାନ ନ ଥିଲା। ତେଣୁ ଟ୍ରେନରେ ଗୀତ ଗାଇ ପେଟ ପୋଷୁଥିଲେ ବୋଲି ସିନ୍ଧୁତାଇ କହିଛନ୍ତି।

ମଶାଣିରେ ବିତାଉଥିଲେ ରାତି

ସିନ୍ଧୁତାଇ କହଛନ୍ତି ଯେ ସେ ଦିନରେ ଭିକାରିଙ୍କ ସହିତ ଖାଇ ନେଉଥିଲେ। କିନ୍ତୁ ରାତିରେ ରହିବା ପାଇଁ ସ୍ଥାନ ନ ଥିଲା। ସେତେବେଳେ ସେ ଶଶ୍ମାନରେ ଯାଇ ଶୋଇବାରେ ଲାଗିଥିଲେ। କେହି ତାଙ୍କୁ ରାତିରେ ସେଠାରେ ଦେଖିଲେ ଭୂତ ବୋଲି କହି ଡରି ପଳାଉଥିଲେ।

ଏପରି ପାଲଟିଥିଲେ ଅନାଥଙ୍କ ମା’
ସିନ୍ଧୁତାଇ କହିଛନ୍ତି ଯେ ସେ ଭୋକ କ’ଣ ବୁଝି ପାରିଥିଲେ। ସେତେବେଳେ ସେ ବାଣ୍ଟିକୁଣ୍ଟି ଖାଦ୍ୟ ଖାଉଥିଲେ ଓ ଅନାଥଙ୍କ ମା’ ପାଲଟିଯାଇଥିଲେ। ଯାହାର କେହି ନାହିଁ, ସେମାନଙ୍କର ସେ ମା’। ଏହାପରେ ସେ ଅନାଥ ପିଲାଙ୍କ ଦେଖାଶୁଣା କରିବା ଆରମ୍ଭ କରି ଦେଇଥିଲେ।

୧୪୦୦ ପିଲା, ୩୬ ବୋହୂ ଓ ୨୭୨ ଜ୍ବାଇଁ
ଯେତେବେଳେ ସେ କାନ୍ଦୁଥିବା କୌଣସି ପିଲାଙ୍କୁ ଦେଖୁଥିଲେ, ନିଜ ମମତାର ପଣତକାନିରେ ବାନ୍ଧି ନେଉଥିଲେ। କେବଳ ସେତିକି ନୁହେଁ, ଅନାଥ ପିଲାଙ୍କ ପେଟ ଭରିବା ପାଇଁ ସେ ଭିକ ମଧ୍ୟ ମାଗୁଥିଲେ। କିନ୍ତୁ ଏବେ ସେ ମୋଟିଭେସନାଲ ସ୍ପିଚ୍ ଦେଇ ଟଙ୍କା ଜମା କରୁଛନ୍ତି। ଏବେ ତାଙ୍କ ପରିବାରରେ ୧୪୦୦ ପିଲା, ୨୦୭ ଜ୍ବାଇଁ, ୩୬ ବୋହୂ ଓ ୪୫୦ରୁ ଅଧିକ ନାତି ନାତୁଣୀ ଅଛନ୍ତି। ସେ ପିଲାଙ୍କୁ ପାଠ ପଢ଼ାଇବା ସହିତ ଝିଅମାନଙ୍କ ବିବାହ ମଧ୍ୟ କରାଉଛନ୍ତି। ତାଙ୍କ ଝିଅ ମଧ୍ୟ ଏକ ଅନାଥାଶ୍ରମ ଚଳାଉଛନ୍ତି।

ଅନାଥ ପିଲାଙ୍କ ପାଇଁ ଚଳାଉଛନ୍ତି ଅନେକ ସଂସ୍ଥା
ସିନ୍ଧୁତାଇ ସର୍ବପ୍ରଥମେ ଦୀପକ ନାମକ ଏକ ପିଲାକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ତାଙ୍କୁ ସେ ଟ୍ରେନ୍ ଲାଇନ୍ କଡ଼ରୁ ପାଇଥିଲେ। ସିନ୍ଧୁତାଇ ତାଙ୍କର ପ୍ରଥମ ଆଶ୍ରମ ମହାରାଷ୍ଟ୍ରସ୍ଥିତ ଅମରାବତୀର ଚିକଲଧାରାରେ ଖୋଲିଥିଲେ। ଏବେ ସିନ୍ଧୁତାଇ ପୁଣେରେ ସନ୍ମତି ବାଳ ନିକେତନ, ମମତା ବାଳ ନିକେତନ, ଅମରାବତୀରେ ମାଇ କା ଆଶ୍ରମ, ୱାର୍ଧାରେ ଅଭିଯାନ ବାଳ ଭବନ, ଗୁହାରେ ଗଙ୍ଗାଧର ବାବା ଛାତ୍ରାଳୟ ଓ ପୁଣେରେ ସପ୍ତସିନ୍ଧୁ ମହିଳା ଆଧାର, ବାଳପୋଷଣ ଶିକ୍ଷା ଅନୁଷ୍ଠାନ ଚଳାଉଛନ୍ତି।

୭୫୦ରୁ ଅଧିକ ସମ୍ମାନରେ ସମ୍ମାନିତ
ନିଜର ଏହି ମହାନ କାମ ପାଇଁ ସିନ୍ଧୁତାଇଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି। ୨୦୧୬ରେ ଡିୱାଇ ପାଟିଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଏଣ୍ଡ ରିସର୍ଚ୍ଚ ପୁଣେ ତରଫରୁ ତାଙ୍କୁ ଡକ୍ଟରେଟ୍ ଇନ୍ ଲିଟରେଚର ସମ୍ମାନରେ ସମ୍ମାନିତ କରାଯାଇଥିଲା। ମହାରାଷ୍ଟ୍ର ସରକାର ୨୦୧୦ରେ ଅହଲ୍ୟାବାଇ ହୋଲକର ପୁରସ୍କାର ପ୍ରଦାନ କରିଥିଲେ। ୨୦୧୨ରେ ସିଏନ୍ଏନ୍ ଆଇବିଏନ୍ ଓ ରିଲାଏନ୍ସ ଫାଉଣ୍ଡେସନ୍ ଦ୍ବାରା ରିଅଲ ହିରୋଜ ପୁରସ୍କାର ଓ ଚଳିତ ବର୍ଷ କଲେଜ୍ ଅଫ୍ ଇିଞ୍ଜିନିଅର ପୁଣେ ଦ୍ବାରା ଗୌରବ ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୮ରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସିନ୍ଧୁତାଇଙ୍କୁ ନାରୀଶକ୍ତି ପୁରସ୍କାରରେ ସମ୍ମାନିତ କରିଥିଲେ। ଏପର୍ଯ୍ୟନ୍ତ ସେ ୭୫୦ରୁ ଅଧିକ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ