ଓଆଇସି ବୈଠକରେ ପାକିସ୍ତାନକୁ କଡ଼ା ଜବାବ ଦେଲା ମାଳଦ୍ବୀପ


ନିକଟରେ ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋ-ଅପରେସନ୍ (ଓଆଇସି)ର ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାଳଦ୍ବୀପ ପ୍ରତିନିଧି ଭାରତକୁ ସମର୍ଥନ କରିଛନ୍ତି। ଏହି ବୈଠକରେ ଯୋଗଦେଇଥିବା ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଜାତିସଂଘ ପାଇଁ ରାଷ୍ଟ୍ରଦୂତ ମୁନୀର ଆକ୍ରମ ଭାରତ ଇସଲାମବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଥିବା ନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗର କଡ଼ା ଜବାବ ଦେଇ ମାଳଦ୍ବୀପ ପ୍ରତିନିଧି ଭାରତ ବିରୋଧରେ ଏପରି ମନ୍ତବ୍ୟ ଦିଆଯିବା ଅନୁଚିତ ବୋଲି କହିଛନ୍ତି।  ମାଳଦ୍ବୀପ ପ୍ରତିନିଧି କହିଥିଲେ ଯେ ଭାରତ ହେଉଛି ବିଶ୍ବର ସର୍ବବ୍‌ହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ଏହି ଦେଶରେ ୨ ଶହ ନିୟୁତରୁ ଅଧିକ ମୁସଲିମ୍ ଧର୍ମାବଲମ୍ବୀ ବସବାସ କରିଆସୁଛନ୍ତି। ଏହି ଦେଶ ବିରୋଧରେ ଇସଲାମବିରୋଧୀ ପ୍ରଚାର ନେଇ ଉଠୁଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ। ବରଂ ଏପରି ଅଭିଯୋଗ ଦକ୍ଷିଣ ଏସୀୟ ରାଷ୍ଟ୍ର ମଧ୍ୟରେ ରହିଥିବା ଧାର୍ମିକ ସଦଭାବକୁ ଆଘାତ ପହଞ୍ଚାଇବାର ଆଶଙ୍କା ରହିଛି ବୋଲି ମାଳଦ୍ବୀପ ପକ୍ଷରୁ କୁହାଯାଇଛି।

ଏହାଛଡ଼ା ମାଳଦ୍ବୀପ ପ୍ରତିନିଧି ଜଣକ ଆହୁରି କହିଛନ୍ତି ଯେ କେବଳ ସୋସାଲ୍ ମିଡିଆରେ ହେଉଥିବା ଚର୍ଚ୍ଚା ଆଧାରରେ ୧.୩ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବିରୋଧରେ ନକାରାତ୍ମକ ମନୋଭାବ ପୋଷଣ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଏପରି ମନୋଭାବ ୧୩୦ କୋଟି ଜନସାଧାରଣଙ୍କ ଭାବନାକୁ ପ୍ରତିହତ କରିବାର ଆଶଙ୍କା ରହିଛି। ବରଂ ଭାରତ ସାଉଦି ଆରବ, ୟୁଏଇ, ଆଫଗାନିସ୍ତାନ, ପାଲେଷ୍ଟାଇନ୍, ମରିସସ୍ ଆଦି ଇସଲାମୀୟ ଦେଶ ସହ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ କରିଆସିଛି। ଏହିସବୁ ଦେଶ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେମାନଙ୍କ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟ ପ୍ରଦାନ କରିଛନ୍ତି। ତେଣୁ ଦକ୍ଷିଣ ଏସୀୟ ଦେଶମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଦେଶ ଉପରେ ଅଙ୍ଗୁଳି ନ ଉଠାଇ ବରଂ ପରସ୍ପର ସହ ହାତ ମିଳାଇ କାର୍ଯ୍ୟ କରିବା ଉଚିତ ବୋଲି ମାଳଦ୍ବୀପ ପକ୍ଷରୁ ଆହ୍ବାନ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ନିକଟ ଅତୀତରେ ଭାରତ ମାଳଦ୍ବୀପ ସହ ତା’ର କୂଟନୈତିକ ସମ୍ପର୍କକୁ ମଜଭୁତ କରିପାରିଛି। ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ତା’ଛଡ଼ା ୧୯୬୫ରେ ସ୍ବାଧୀନତା ଲାଭ କରିଥିବା ମାଳଦ୍ବୀପର ଅଖଣ୍ଡତାକୁ ସ୍ବୀକାର କରିବା କ୍ଷେତ୍ରରେ ଭାରତ ପ୍ରଥମ ଦେଶ ହୋଇଛି। ଗତ ବର୍ଷ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବା ପରେ ମୋଦି ସର୍ବପ୍ରଥମେ ମାଳଦ୍ବୀପ ଗସ୍ତ କରିଥିଲେ। ମାଳଦ୍ବୀପର ରାଷ୍ଟ୍ରପତି ଭାବେ ସୋଲିହ ଦାୟିତ୍ବ ନେବା ପରେ ଉଭୟ ଦେଶ ମଧ୍ୟରେ ଏକାଧିକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ସେହିପରି ୨୦୧୮ରେ ସୋଲିହ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବା ବେଳେ ଉକ୍ତ ଉତ୍ସବରେ ଅନ୍ୟତମ ଅତିଥି ଭାବେ ମୋଦି ମଧ୍ୟ ଯୋଗ ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ