ପାକ୍ ସରକାରଙ୍କ ୱେବ୍‌ସାଇଟ୍‌ରେ ‘ପିଓକେ ଭାରତର ଅଂଶବିଶେଷ’ ମ୍ୟାପ୍


ଭାରତ ଓ ପାକିସ୍ତାନ ମଧ୍ୟରେ କଶ୍ମୀର ପ୍ରସଙ୍ଗକୁ ନେଇ ଆବହମାନ କାଳରୁ ବିବାଦ ରହିଆସିଛି। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସବୁବେଳେ ଦାବି କରିଆସିଛି। ଏହାଛଡ଼ା ପାକିସ୍ତାନ ଦ୍ୱାରା ବେଆଇନ୍ ଭାବେ ଦଖଲ କରାଯାଇଥିବା ‘ପାକ୍ ଅଧିକୃତ କଶ୍ମୀର’ (ପିଓକେ)କୁ ମଧ୍ୟ ଭାରତର ଅଂଶବିଶେଷ ବୋଲି ସରକାର କହିଆସିଛନ୍ତି। ପାକିସ୍ତାନ ଏହାକୁ ସବୁବେଳେ ଟାଳି ଆସିଥିଲେ ମଧ୍ୟ ଏବେ ପାକିସ୍ତାନ ସରକାରଙ୍କ ୱେବ୍‌ସାଇଟ୍‌ରେ ଉପସ୍ଥାପିତ ଏକ ମ୍ୟାପ୍ ଭାରତ ସରକାରଙ୍କ ଏହି ଦାବିକୁ ସତ୍ୟ ପ୍ରମାଣିତ କରିଛି। ଉକ୍ତ ମ୍ୟାପ୍‌ରେ ପିଓକେ ଭାରତର ଅଂଶବିଶେଷ ବୋଲି ଦର୍ଶାଯାଇଛି। ଗତବର୍ଷ ଜମ୍ମୁ-କଶ୍ମୀରଠାରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାର କରିବା ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ପିଓକେ ଭାରତର ଅଂଶବିଶେଷ ଓ ଆଗାମୀ ଦିନରେ ଏହାକୁ ପାକିସ୍ତାନ ସରକାରଙ୍କ ଦଖଲରୁ ମୁକ୍ତ କରାଯିବ ବୋଲି ଘୋଷଣା କରିଥିଲେ।

ତା’ଛଡ଼ା ନିକଟ ଅତୀତରେ ମଧ୍ୟ ଭାରତ ପକ୍ଷରୁ ପିଓକେ ଓ ଗିଲଗିଟ୍-ବଲ୍ଟିସ୍ତାନ ଆଦି ନିଜସ୍ବ ପ୍ରଦେଶ ବୋଲି ଦାବି ପୂର୍ବକ ଏକାଧିକ ସେବା ଆରମ୍ଭ କରାଯାଇଛି। ଏଥିସହ ପାକିସ୍ତାନ ସରକାରଙ୍କୁ ଉକ୍ତ ଅଞ୍ଚଳ ଉପରେ କରିଥିବା ବେଆଇନ୍ କବଜାକୁ ପ୍ରତ୍ୟାହାର କରିବାକୁ କୁହାଯାଇଛି। ତା’ଛଡ଼ା  ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପାଣିପାଗ ସୂଚନାରେ ମଧ୍ୟ ପିଓକେ ଅଞ୍ଚଳକୁ ସାମିଲ୍ କରାଯାଇଛି। ସୂଚନାଯୋଗ୍ୟ ଯେ ନିକଟରେ ନେପାଳ ସରକାରଙ୍କ ପକ୍ଷରୁ ଜାରି ଏକ ମ୍ୟାପ୍‌ରେ ଲଦାଖ୍‌ର ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରା ଆଦି ଭାରତୀୟ ଅଞ୍ଚଳକୁ ନିଜ ସୀମାରେ ଥିବା ଦର୍ଶାଇଥିଲା। ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏପରି ଦାବିକୁ ଖଣ୍ଡନ କରାଯିବା ସହ ଏହା କୌଣସି ଐତିହାସିକ ପୃଷ୍ଠଭୂମି ଓ ପ୍ରମାଣ ଉପରେ ଆଧାରିତ ନୁହେଁ ବୋଲି କୁହାଯାଇଛି। ଏଥିସହ ସୀମା ବିବାଦ ସଂକ୍ରାନ୍ତରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମାର ଏହା ଉଲ୍ଲଙ୍ଘନ ବୋଲି ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ