ଚୀନ୍ ସହ ସୀମା ବିବାଦରେ ଭାରତକୁ ସମର୍ଥନ କଲା ଆମେରିକା


କୋରୋନା ଭୂତାଣୁ ସଂକ୍ରମଣ ପାଇଁ ଆମେରିକା ନିୟମିତ ଭାବେ ଚୀନକୁ ସମାଲୋଚନା କରିଆସୁଥିବା ବେଳେ ଏହି ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ପୂର୍ବର ତିକ୍ତ ସମ୍ପର୍କ ଅଧିକ ଜଟିଳ ହୋଇଛି। କୋରୋନା ଭୂତାଣୁ ସଂକ୍ରମଣ ପୂର୍ବରୁ ଆମେରିକା ଚୀନ୍ ସାମଗ୍ରୀ ଉପରେ ଅତ୍ୟଧିକ ଟିକସ ଲାଗୁ କରିବା ସହ ଯାବତୀୟ ବ୍ୟବସାୟିକ କଟକଣା ଲାଗୁ କରିଥିଲା। ଏବେ କୋରୋନା ଭୂତାଣୁ ମାମଲାରେ ଉଭୟ ଦେଶ ମଧ୍ୟରେ ଅହିନକୂଳ ସମ୍ପର୍କ ସୃଷ୍ଟି ହୋଇଛି। ନିକଟରେ ଚୀନ୍ ଭାରତ ସହ ସୀମା ବିବାଦରେ ଲିପ୍ତ ରହିବା ମାମଲାରେ ବୁଧବାର ଆମେରିକା ଭାରତକୁ ସମର୍ଥନ କରିଛି। ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ ଚୀନର ଏପରି ଆଚରଣକୁ ଉତ୍ତେଜନା ଓ ବିଶ୍‌ଙ୍ଖଳା ସୃଷ୍ଟି ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ପାଖାପାଖି ଦୁଇ ସପ୍ତାହ ତଳେ ଚୀନ୍ ସେନାର କେତେକ ଯବାନ ଲଦାଖର ପାନଗୋଙ୍ଗ୍ ସୋ ହ୍ରଦ ଓ ଗଲୱାନ୍ ଉପତ୍ୟକାରେ ପ୍ରବେଶ କରିଥିବା ନେଇ ଭାରତୀୟ ସେନାବାହିନୀ ଜାଣିବାକୁ ପାଇଥିଲା। ଏହି ଘଟଣାରେ ଉଭୟ ଦେଶର ସେନା ମଧ୍ୟରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା।

ଏ ସଂକ୍ରାନ୍ତରେ ବୁଧବାର ଆମେରିକା ବୈଦେଶିକ ବିଭାଗ ଅଧୀନସ୍ଥ ସାଉଥ୍ ଏଣ୍ଡ୍ ସେଣ୍ଟ୍ରାଲ୍ ଏସିଆ ବ୍ୟୁରୋର ବିଦାୟୀ ମୁଖ୍ୟ ଆଲାଇସ୍ ଜି. ୱେଲ୍ସ କହିଛନ୍ତି ଯେ ବିଗତ ଦିନରେ ଚୀନ୍ ପକ୍ଷରୁ ଦକ୍ଷିଣ ଚୀନ୍ ସାଗର ହେଉ ଅବା ଭାରତର ସୀମା ହେଉ, ସବୁଠି ଉତ୍ତେଜନା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଆସୁଥିବାର ପ୍ରମାଣ ରହିଛି। ଚୀନର ଏପରି ଉଦ୍ୟମ ପଡ଼ୋଶୀ ଦେଶ ଉପରେ ନିଜର କର୍ତ୍ତ୍‌ତ୍ବ ଜାହିର୍ କରିବା କ୍ଷେତ୍ରରେ ଏକ ପ୍ରୟାସ ବୋଲି ୱେଲ୍ସ କହିଛନ୍ତି। ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗରେ ଏକ ଗଣମାଧ୍ୟମ ପକ୍ଷରୁ ତାଙ୍କୁ ପ୍ରଶ୍ନ କରାଯିବାରେ ୱେଲ୍ସ ଉପରୋକ୍ତ ମତାମତ ଦେଇଛନ୍ତି। ଏହି ଅବସରରେ ୱେଲ୍ସ ଦକ୍ଷିଣ ଚୀନ୍ ସାଗରରେ ଚୀନର ଅନୁପ୍ରବେଶ ନେଇ କହିଛନ୍ତି ଯେ ଚୀନ୍ ସବୁବେଳେ ଦକ୍ଷିଣ ଚୀନ୍ ସାଗରରେ ନିଜର ଅଖଣ୍ଡତା ପ୍ରମାଣିତ କରିବାକୁ ଉଦ୍ୟମ କରିଆସିଛି। କିନ୍ତୁ ଚୀନର ଏପରି ଆଚରଣକୁ ଭିଏତନାମ, ମାଲେସିଆ, ଫିଲିପାଇନ୍ସ, ବ୍ରୁନେଇ ଓ ତାଇୱାନ୍ ପରି ଦେଶ ବିରୋଧ କରିଆସିଛନ୍ତି। ବିଗତ ଦିନରେ ଚୀନ୍ ଉଭୟ ଦକ୍ଷିଣ ଚୀନ୍ ସାଗର ଓ ପୂର୍ବ ଚୀନ୍ ସାଗରରେ ସେନା ଯବାନମାନଙ୍କୁ ମୁତୟନ କରି ଏହି ଅଞ୍ଚଳ ଉପରେ ନିୟନ୍ତ୍ରଣ ହାସଲ ଉଦ୍ୟମ ପାଇଁ କରିଆସିଥିବା ଉଦ୍ୟମକୁ ମଧ୍ୟ ୱେଲ୍ସ ନିନ୍ଦା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ