ଓଡ଼ିଶା ପାଇଁ ୫୦୦ କୋଟିର ଅଗ୍ରୀମ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନବୀନ, ରାଜ୍ୟ ପ୍ରଶାସନ ଓ ଓଡ଼ିଶାବାସୀଙ୍କୁ ପ୍ରଶଂସା କଲେ ମୋଦି

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ଅମ୍ପନ ଅତି ଭୀଷଣ ବାତ୍ୟା ଅମ୍ପନ ଦ୍ୱାରା କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର  ଅଗ୍ରୀମ ସହାୟତା ରାଶି ଘୋଷଣା କରିଛନ୍ତି। ଆକାଶମାର୍ଗରୁ ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ରାଜ୍ୟରେ ବାତ୍ୟା କ୍ଷୟକ୍ଷତି ପାଇଁ  ତତ୍କାଳ ଆବଶ୍ୟକତା ଲାଗି ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି। ବାତ୍ୟାଞ୍ଚଳ ପରିଦର୍ଶନ ପରେ ହୋଇଥିବା ଏକ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହିତ ସହାୟତା ରାଶି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ଟିମ୍  ଓଡ଼ିଶାକୁ ଆସି ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତି ନେଇ ପୁଙ୍ଖାନୁପୁଙ୍ଖ ଆକଳନ କରିବେ। କ୍ଷୟକ୍ଷତି ନେଇ ସଂପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ। ଏଥିସହ ସେ କହିଛନ୍ତି, କୋଭିଡ୧୯ ମହାମାରୀ ସମୟରେ ଏପରି ମହାବାତ୍ୟା ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସଠିକ ଢଙ୍ଗରେ ବାତ୍ୟାର ପରିଚାଳନା ଓ ମୁକାବିଲା କରିଥିବାରୁ ଅନେକ ଜୀବନରକ୍ଷା ହୋଇପାରିଛି। ସେଥିପାଇଁ ଓଡ଼ିଶା ସରକାରଙ୍କୁ ଅନେକ ଧନ୍ୟବାଦ ଦେଇଛନ୍ତି।

ବାତ୍ୟାଞ୍ଚଳ ପରିଦର୍ଶନରୁ ଫେରିବା ପରେ କ୍ଷୟକ୍ଷତିର ସମୀକ୍ଷା ପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରସ୍ଥିତ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକ ବୈଠକ ହୋଇଥିଲା। ଏହି ଅବସରରେ ମୋଦି କହିଛନ୍ତି, କୋରୋନା ସଙ୍କଟ ବେଳେ ମହାବାତ୍ୟା ମାଡ଼ିଆସିଥିଲା। ପଶ୍ଚିମବଙ୍ଗ ଯିବା ବେଳେ ଓଡ଼ିଶାରେ ବି ଏହା କ୍ଷତି କରିବା ଆଶଙ୍କା କରାଯାଉଥିଲା। କିନ୍ତୁ ଏଠାରେ ଯେମିତି ବ୍ୟବସ୍ଥା ହୋଇଥିଲା, ତାହା ବାତ୍ୟା ମୁକାବିଲା ପାଇଁ ସହାୟକ ହେଲା। ଲୋକଙ୍କୁ ଠିକ୍ ସୂଚନା ମିଳିଥିବାରୁ ଏଠାରେ ଜୀବନ ରକ୍ଷା ହେଲା। ଏଥିସହିତ ଲୋକଙ୍କୁ କ’ଣ କରିବାକୁ ପଡ଼ିବ, ତାହା ଜଣାଇ ଦିଆଯାଇଥିଲା। ଓଡ଼ିଶାବାସୀ ବହୁତ ଭଲ ଭାବରେ ବାତ୍ୟାର ମୁକାବିଲା କରିଛନ୍ତି। ଓଡ଼ିଶା ପ୍ରଶାସନ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଫଳରେ ଜୀବନ ବଞ୍ଚିଯାଇଛି ବୋଲି ସେ କହିଛନ୍ତି। ଏଥିପାଇଁ ଓଡ଼ିଶାବାସୀ, ନବୀନ ବାବୁ ଓ ତାଙ୍କ ଟିମ୍‌କୁ ଅଭିନନ୍ଦନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପଶ୍ଚିମବଙ୍ଗଠାରୁ ଓଡ଼ିଶାରେ ବେଶି କ୍ଷତି ହୋଇ ନାହିଁ। ତେଣୁ ରାଜ୍ୟ ସରକାର କ୍ଷୟକ୍ଷତି ଆକାଳନ କରି ରିପୋର୍ଟ ଦେବେ। ଏଥିସହିତ କେନ୍ଦ୍ରୀୟ ଟିମ୍‌ ମଧ୍ୟ ଆସି କ୍ଷୟକ୍ଷତି ଆକଳନ କରିବେ। ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ। ରାଜ୍ୟ ସହ କେନ୍ଦ୍ର କାନ୍ଧ ମିଳାଇ ପୁନର୍ବିନ୍ୟାସ କାର୍ଯ୍ୟ କରିବ। ତେବେ ଆଗୁଆ ସହାୟତା ପାଇଁ ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା କେନ୍ଦ୍ର ଦେବ ବୋଲି ସମୀକ୍ଷା ବୈଠକରେ ମୋଦି କହିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ସାମାଜିକ ଦୂରତ୍ୱ ରକ୍ଷା କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବାତ୍ୟା ଅମ୍ପନର କ୍ଷୟକ୍ଷତି ପରିଦର୍ଶନ ପାଇଁ ଆଜି ଅପରାହ୍ନରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ। ମୋଦି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଡିଜିପି ଅଭୟଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ତାଙ୍କ ସହିତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମତେ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବାତ୍ୟାଞ୍ଚଳ ପରିଦର୍ଶନ  କରିବା ପାଇଁ ବାହାରିଥିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ