ଜନପଦରେ ଖସିପଡ଼ିଲା ପାକିସ୍ତାନୀ ବିମାନ, ଶତାଧିକ ମୃତ ଆଶଙ୍କା


କରାଚୀ: ପାକିସ୍ତାନରେ ଶୁକ୍ରବାର ଅପରାହ୍ନରେ ଏକ ଭୟାବହ ବିମାନ ଦୁର୍ଘଟଣା ଘଟିଛି। ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ (ପିଆଇଏ)ର ଏକ ଯାତ୍ରୀବାହୀ ଅବତରଣର ମାତ୍ର କେଇ ସେକେଣ୍ଡ୍ ପୂର୍ବରୁ କରାଚୀସ୍ଥିତ ଜିନ୍ନାହ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ନିକଟସ୍ଥ କରାଚୀ ମଡେଲ୍ କଲୋନୀରେ ଖସିପଡ଼ିଥିଲା। ଫଳରେ ସମ୍ପୂର୍ଣ୍ଣ ବିମାନଟି ପୋଡ଼ିଜଳି ପାଉଁଶ ହୋଇଯାଇଥିବା ବେଳେ ଏହି ଘଟଣାରେ ଶତାଧିକ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି। ପିଆଇଏର ବରିଷ୍ଠ କର୍ମକର୍ତ୍ତା ଓ ସ୍ଥାନୀୟ ପ୍ରଶାସନର ଅଧିକାରୀ, ଆମ୍ବୁଲାନ୍ସ, ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ହେଁ କ୍ଷୟକ୍ଷତି ନେଇ କୌଣସି ପ୍ରକାର ପ୍ରାଥମିକ ସୂଚନା ମିଳିପାରିନାହିଁ। କିନ୍ତୁ ଉକ୍ତ ବିମାନରେ ଯାତ୍ରୀ ଓ କର୍ମଚାରୀଙ୍କୁ ମିଶାଇ ୧୦୭ ଜଣ ରହିଥିବା କୁହଯାଉଥିବା ବେଳେ ଦୁର୍ଘଟଣା ପରେ କରାଚୀ ସହରର ଆକାଶ ପୂରା ଧୂଆଁମୟ ହୋଇଯାଇଛି। ଏହି ଘଟଣା ପରେ କରାଚୀ ସହରରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି।

ଏହି ଦୁର୍ଘଟଣା ସମ୍ପର୍କରେ ପିଆଇଏ ମୁଖପାତ୍ର ଅବଦୁଲ୍ ସତ୍ତାର ଏହା ସ୍ପଷ୍ଟ କରିଥିଲେ ମଧ୍ୟ କ୍ଷୟକ୍ଷତି ସମ୍ପର୍କରେ କିଛି ବି କହିନାହାନ୍ତି। ପିଆଇଏର ପାଇଲଟମାନେ କୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ସକ୍ଷମ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥାଆନ୍ତୁ, ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ତେବେ କୌଣସି ପ୍ରକାର ସୂଚନା ହସ୍ତଗତ ହେବା ପରେ ତୁରନ୍ତ ଗଣମାଧ୍ୟମକୁ ଅବଗତ କରାଯିବ ବୋଲି ସତ୍ତାର କହିଛନ୍ତି। ପିଆଇଏର ଏହି ଏୟାରବସ୍ ଏ୩୨୦ ବିମାନଟି ଲାହୋରରୁ କରାଚୀ ଅଭିମୁଖେ ଯାତ୍ରା କରୁଥିଲା। ତେବେ କରାଚୀ ଏୟାରପୋର୍ଟରେ ଅବତରଣ ଉଦ୍ୟମ ବେଳେ ଭୂଭାଗରୁ ମାତ୍ର ୮୦୦ ମିଟର ଦୂରତାରେ ଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହା କଲୋନୀ ଉପରେ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଓ କର୍ମଚାରୀ ଏବଂ ଉକ୍ତ କଲୋନୀର କେତେକ ଲୋକ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପାକିସ୍ତାନର ଏକ ପ୍ରମୁଖ ଗଣମାଧ୍ୟମର ଜଣେ ବରିଷ୍ଠ ସଦସ୍ୟ ମଧ୍ୟ ପ୍ରାଣ ହରାଇଥିବା ଉକ୍ତ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ପାକିସ୍ତାନର ସ୍ବାସ୍ଥ୍ୟ ଓ ଜନକଲ୍ୟାଣ ବିଭାଗ ମନ୍ତ୍ରୀ କରାଚୀର ସମସ୍ତ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ ଲକଡାଉନ୍ କାରଣରୁ ପାକିସ୍ତାନରେ ବିମାନ ସେବା ବନ୍ଦ ରହିବା ପରେ ଗତ ମେ’ ୧୬ ତାରିଖରେ ବିମାନ ସେବା ସ୍ବାଭାବିକ ହୋଇଥିଲା।

ଦୁର୍ଘଟଣା ଯୋଗୁଁ ୫ଟି କୋଠା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜନପଦ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଉଦ୍ଧାର କାର୍ଯ୍ୟରେ ମୁତୟନ ଥିବା ପାକିସ୍ତାନୀ ସେନା ପକ୍ଷରୁ କୁହାଯାଇଛି। ଏହାଛଡ଼ା ପାକିସ୍ତାନୀ ବାୟୁସେନା ପକ୍ଷରୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରାଯାଉଛି। ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କରାଚୀସ୍ଥିତ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଏହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦେଶ ଦେଇଥିବା ଅସିମ୍ ସଲିମ୍ ବାଜୱା ନାମକ ଜଣେ ବରିଷ୍ଠ ଅମଲା କହିଛନ୍ତି। ବିମାନଟି ଲାହୋରରୁ ଅପରାହ୍ନ ୧ଟା ବେଳେ ବାହାରି କରାଚୀରେ ୨ଟା ୪୫ ମିନିଟରେ ପହଞ୍ଚିବାର ଥିଲା।  ଦୁର୍ଘଟଣାର କାରଣ ବିଷୟରେ କିଛି ଠୋସ୍ ସୂଚନା ନ ଥିଲେ ମଧ୍ୟ ଏହାର ଲ୍ୟାଣ୍ଡ ଗିଅରରେ ସମସ୍ୟା ହେବାରୁ ବୋଧହୁଏ ଏପରି ଦୁର୍ଘଟଣା ଘଟିଥିବା ଆକଳନ କରାଯାଉଛି। ଅନ୍ୟପକ୍ଷରେ ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ରନୱେ ବ୍ୟସ୍ତ ଥିବାରୁ ଉକ୍ତ ବିମାନର ପାଇଲଟଙ୍କୁ ଆକାଶ ମାର୍ଗରେ କିଛି ସମୟ ଅପେକ୍ଷା କରିବାକୁ କୁହାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ