ଆୟୁଷ୍ମାନ ଭାରତରୁ ୨୦ ମାସରେ କୋଟିଏ ଉଠାଇଲେ ଲାଭ

କୋରୋନା ସମୟରେ ବି ବିଶ୍ବର ଏହି ବ୍‌ହତ୍ତମ ସ୍ବାସ୍ଥ୍ୟ ଯୋଜନା ଗରିବଙ୍କୁ ସାହା

ବୁଧବାର ଆୟୁଷ୍ମାନ ଭାରତ ଯୋଜନାରେ ଲାଭ ପାଇଥିବା ହିତାଧିକାରୀଙ୍କ ସଂଖ୍ୟା କୋଟିଏରେ ପହଞ୍ଚିଛି। ଏ ସୂଚନା ଦେଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଏହି ଅବସରରେ ସମସ୍ତ ହିତାଧିକାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭକାମନା ମଧ୍ୟ ଜଣାଇଛନ୍ତି। ଏହି ଯୋଜନା ଲୋକଙ୍କ ଜୀବନ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇଛି। ଏହି ସରକାରୀ ପ୍ରାୟୋଜିତ ଯୋଜନା ବିଶ୍ବର ସବୁଠୁ ବଡ଼ ସ୍ବାସ୍ଥ୍ୟ ଯୋଜନା ବୋଲି ପ୍ରଧାନମନ୍ତ୍ରୀ ସୂଚାଇଛନ୍ତି।

ଆୟୁଷ୍ମାନ ଭାରତ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚିବାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବ କରିବା କଥା ବୋଲି ଟ୍ବିଟର ଜରିଆରେ ମୋଦି କହିଛନ୍ତି। ଦୁଇବର୍ଷରୁ କମ ସମୟ ମଧ୍ୟରେ ଏହି ଯୋଜନା ଯଥେଷ୍ଟ ସଂଖ୍ୟକ ଦେଶବାସୀଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଛି। ଆୟୁଷ୍ମାନ ଭାରତ ସହିତ ଜଡ଼ିତ ସମସ୍ତ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ସାମୂହିକ ଶ୍ରମ ଫଳରେ ଏହି ଯୋଜନା ସବୁଠୁ ବଡ଼ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଗରିବ ଓ ପଛୁଆବର୍ଗଙ୍କ ସରକାରୀ ସ୍ବାସ୍ଥ୍ୟ ସେବା ଓ ବ୍ୟବସ୍ଥା ଉପରେ ବିଶ୍ବାସ ବଢ଼ିଛି।

ଏକ କୋଟି ତମ ହିତାଧିକାରୀଙ୍କ ସହ କଥା ହେଲେ ମୋଦି
୨୦ ମାସ ମଧ୍ୟରେ ଆୟୁଷ୍ମାନ ଭାରତର ହିତାଧିକାରୀଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିଛି। କୋଟିଏ ତମ ହିତାଧିକାରୀ ପୂଜା ଥାପ୍ପାଙ୍କ ସହ ମୋଦି ଟେଲିଫୋନ ଯୋଗେ କଥା ହୋଇଛନ୍ତି। ପୂଜା ଜଣେ ସୈନିକଙ୍କ ପତ୍ନୀ। ତାଙ୍କର ପତି ମଣିପୁରରେ ନିୟୋଜିତ ଥିବା ବେଳେ ସେ ଶିଲଂରେ ଏକ ସର୍ଜରୀ ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଲକଡାଉନ କାରଣରୁ ତାଙ୍କର ପତି ହସ୍ପିଟାଲରେ ପହଞ୍ଚି ପାରି ନ ଥିଲେ। ପୂଜା ନିଜର ଦୁଇ ଛୋଟ ପିଲାଙ୍କୁ ଧରି ମେଡିକାଲରେ ପହଞ୍ଚି ଏହି ଯୋଜନାରେ ନିଜର ସର୍ଜରୀ କରାଇଥିଲେ।

ମିଳିଛି ୧୩ ହଜାର କୋଟିର ମାଗଣା ଚିକିତ୍ସା

ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା ଯୋଜନା ଆରମ୍ଭ ଦିନରୁ ବର୍ତ୍ତମାନ ସୁଦ୍ଧା ଏକ କୋଟିରୁ ଅଧିକ ଲୋକ ଏହି ଯୋଜନା ଅନ୍ତର୍ଗତ ଦେଶର ହସ୍ପିଟାଲ ଗୁଡ଼ିକରେ ୧୩,୪୧୨ କୋଟି ଟଙ୍କା ମୂଲ୍ୟର ମାଗଣା ଚିକିତ୍ସା ପାଇ ପାରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ (ନ୍ୟାସନାଲ ହେଲଥ ଅଥରିଟି) ପକ୍ଷରୁ କୁହାଯାଇଛି ଯେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ୩,୧୩୨ ଜଣ କୋରୋନା ସଂକ୍ରମିତ ଏବେ ଚିକିତ୍ସା କରାଉଛନ୍ତି।

କେନ୍ଦ୍ର ସରକାର ଏହି ଯୋଜନାକୁ ୨୩ ସେପ୍ଟେମ୍ବର ୨୦୧୮ରେ କାର୍ଯ୍ୟକାରୀ କରାଇଥିଲେ। ୨୦ ମାସରେ ଏକ କୋଟି ଲୋକ ଏହି ଯୋଜନାର ସୁବିଧା ପାଇ ନିଜର ଚିକିତ୍ସା କରାଇ ପାରିଛନ୍ତି। ଯୋଜନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୧,୫୬୫ ହସ୍ପିଟାଲକୁ ତାଲିକାଭୁକ୍ତ କରାଯାଇଛି। ଗୁଜରାଟ, ତାମିଲନାଡ଼ୁ, ଛତିଶଗଡ଼, କେରଳ ଏବଂ ରାଜସ୍ଥାନ ଏହି ଯୋଜନାର ସର୍ବୋତ୍କ୍‌ଷ୍ଟ ଲାଭ ଉଠାଇଛନ୍ତି। ଅସ୍ଥିଶଲ୍ୟ ରୋଗ, କାର୍ଡିଓଲୋଜି, ଅଙ୍କୋଲୋଜି, କାର୍ଡିଓ ଥୋରାସିକ ଏବଂ ୟୁରୋଲୋଜି ସମ୍ପର୍କିତ ରୋଗୀମାନେ ଅଧିକ ପରିମାଣର ଚିକିତ୍ସା ସେବା ପାଇଥିବା ସ୍ପଷ୍ଟ ହୋଇଛି।

ବର୍ଷକୁ ୫ ଲକ୍ଷର ଚିକିତ୍ସା ସୁବିଧା
ଯୋଜନା ଅନ୍ତର୍ଗତ ଗୋଟିଏ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଥାଏ। ଏଥିପାଇଁ ରୋଗ ଏବଂ ହସ୍ପିଟାଲ ଗୁଡ଼ିକର ତାଳିକା ପ୍ରସ୍ତୁତ କରାଯାଇଛି। ସମ୍ପ୍‌କ୍ତ ରୋଗରେ ଆକ୍ରାନ୍ତ ବ୍ୟକ୍ତି ତାଲିକାବଦ୍ଧ ସ୍ଥାନୀୟ ହସ୍ପିଟାଲରେ ନିଃଶୁଳ୍‌କ ଚିକିତ୍ସା ସେବା ପାଇପାରିବେ। ଏଥିରେ ପ୍ରଦତ୍ତ ଚିକିତ୍ସା ତାଲିକାରେ ନିକଟରେ କୋଭିଡ ପରୀକ୍ଷା ଏବଂ ଚିକିତ୍ସାକୁ ମଧ୍ୟ ଯୋଡ଼ାଯାଇଛି।

ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡ଼ିଶା ଓ ତେଲେଙ୍ଗାନା ହୋଇନି ସାମିଲ
ସାରା ଦେଶ ଏହି ମହତ୍ତ୍ବାକାଂକ୍ଷୀ ଯୋଜନାରେ ସାମିଲ ହୋଇଥିବା ବେଳେ ଓଡ଼ିଶା ସମେତ ୪ଟି ରାଜ୍ୟ ଆୟୁଷ୍ମାନ ଭାରତ ଯୋଜନାରୁ ନିଜକୁ ଦୂରେଇ ରଖିଛନ୍ତି। ବିଶ୍ବ ମହାମାରୀ କୋଭିଡ-୧୯ ସମୟରେ ଏହି ଯୋଜନା ସହାୟତା କରିପାରନ୍ତା। ଯୋଜନାର ସୁବିଧା ନେଇ ପ୍ରବାସୀ ଶ୍ରମିକମାନେ ହସ୍ପିଟାଲର ଆଇସୋଲେସନରେ ରହିପାରନ୍ତେ ଓ ଘରୋଇ ହସ୍ପିଟାଲ ଗୁଡ଼ିକରେ ନିଃଶୁଳ୍‌କ ଟେଷ୍ଟ କରାଇପାରନ୍ତେ। କିନ୍ତୁ ବିଭିନ୍ନ ଆଳ ଦେଖାଇ ଏସବୁ ରାଜ୍ୟ ଗୁଡ଼ିକ ଏଭଳି ଯୋଜନାରୁ ଦୂରେଇ ରହିଛନ୍ତି। ସୂଚନାଯୋଗ୍ୟ, ଆୟୁଷ୍ମାନ ଭାରତ ଯୋଜନାକୁ ସମ୍ପାଦିତ କରୁଥିବା ନ୍ୟାସନାଲ ହେଲଥ ଅଥରିଟି କୋଭିଡ ଚିକିତ୍ସା ଓ ପରୀକ୍ଷଣ ପାଇଁ ୧୫୦୦ରୁ ଅଧିକ ହସ୍ପିଟାଲକୁ ମନୋନୀତ କରିଛନ୍ତି।

ଓଡ଼ିଶାରେ ରହିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା
୧୫ ଅଗଷ୍ଟ ୨୦୧୮ରୁ ପ୍ରଚଳିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୭ ଲକ୍ଷର ଚିକିତ୍ସା ସୁବିଧା ରହିଛି। ଏଥିରେ ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ହସ୍ପିଟାଲକୁ ସୂଚୀବଦ୍ଧ କରାଯାଇଥିବାରୁ ଏହାର ସୁବିଧା ଶ୍ରମିକ ଓ ଗରିବ ଲୋକମାନେ ନେଇପାରି ନାହାନ୍ତି। ଆମ କ୍ଲିନିକ ଯୋଜନା ମଧ୍ୟ ରାଜ୍ୟରେ ଦିଗହରା ହୋଇଛି। ଓଡ଼ିଶା ନିଦାନ ଯୋଜନା, ଅନମୋଲ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ଆଦି ଯୋଜନା ତ ରହିଛି କିନ୍ତୁ ଘରୋଇ ଡାକ୍ତରଖାନା ଓ ସରକାରୀ ଡାକ୍ତରଖାନାରୁ ଠିକ ସମୟରେ ଚିକିତ୍ସା ସେବା ଉପଲବ୍ଧ ହୋଇପାରୁନି। ଏଣୁ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ