ପୁଣି ୫୧ ଆକ୍ରାନ୍ତ ଚିହ୍ନଟ: ୧୧ ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା


ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମଣ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ରାଜ୍ୟରେ ୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ସକାଳେ ରାଜ୍ୟରେ ପୁଣି ଚିହ୍ନଟ ହୋଇଛନ୍ତି ୫୧ ଆକ୍ରାନ୍ତ। ଏହି ୫୧ ଆକ୍ରାନ୍ତଙ୍କ ମଧ୍ୟରୁ ବୁଧବାର ସନ୍ଧ୍ୟାରେ କଳାହାଣ୍ଡିରେ ସର୍ବାଧିକ ୧୧ଜଣ କୋରୋନା ପଜିଟିଭ୍‌ ଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ହୋଇଛି। ତେବେ ଗୁରୁବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ନୟାଗଡ ଜିଲ୍ଲାରୁ ୧୧ ଜଣ, କଟକ ଜିଲ୍ଲାରୁ ୯ ଜଣ, ଯାଜପୁର ଜିଲ୍ଲାରୁ ୫ ଜଣ, ଗଞ୍ଜାମ ଜିଲ୍ଲାରୁ ୪ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ସମ୍ବଲପୁର, ମାଲକାନଗିରି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ୫୧ ଆକ୍ରନ୍ତଙ୍କ ମଧ୍ୟରୁ ୪୮ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ ୩ଟି ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ଏହି ୩ ଜଣ ଆକ୍ରାନ୍ତ କାହାକାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୦୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭୫୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗୁରୁବାର ଗଞ୍ଜାମରେ ଆଉ ଜଣେ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ଗଞ୍ଜାମର ୩ ଜଣ, ଖୋର୍ଦ୍ଧାର ୩ ଜଣ ଓ କଟକର ଜଣେ ଥିବା ସୂଚନା ମିଳିଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡିରୁ ୧୧ ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ସେହିପରି ନୟାଗଡ଼ରେ ୧୧ ଆକ୍ରାନ୍ତ ଚିହ୍ନଟ ହେବାପରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୧ ହୋଇଛି। ସେହିପରି କଟକରେ ନୂଆ ୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି। ଯାଜପୁରରେ ୫ ଆକ୍ରାନ୍ତ ଚିହ୍ନଟ ପରେ ଏହି ସଂଖ୍ୟା ୧୭୯ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରେ ନୂଆ ୪ ପଜିଟିଭ ଚିହ୍ନଟ ପରେ ଏହି ସଂଖ୍ୟା ୩୧୭ ଛୁଇଁଲା। ସେହିପରି ମୟୁରଭଞ୍ଜରେ ନୂଆ ୩  ଆକ୍ରାନ୍ତ ଚିହ୍ନଟ ପରେ ସଂଖ୍ୟା ୧୪ରେ ପହଞ୍ଚିଥିବା ଜଣାପଡ଼ିଛି। ଜଗତସିଂହପୁରରେ ୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା। ଅନୁଗୁଳରେ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ୧୯ ଛୁଇଁଛି। ସମ୍ବଲପୁର ଆକ୍ରାନ୍ତଙ୍କ ସଂଖ୍ୟା ୨ରୁ ବୃଦ୍ଧି ପାଇ ମୋଟ ସଂଖ୍ୟା ୫ରେ ପହଞ୍ଚିଛି। ମାଲକାନଗିରିରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହୋଇଥିବା ବେଳେ ପୁରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ