ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆୟୋଜନକୁ କେନ୍ଦ୍ରର ଅନୁମତି


ନୂଆଦିଲ୍ଲୀ: ଲକଡାଉନ୍ ଘୋଷଣା ହେବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର କେତୋଟି ପେପରରେ ପରୀକ୍ଷା ବାକି ରହିଯାଇଥିବା ବେଳେ ଏହାକୁ ଆସନ୍ତା ଜୁଲାଇ ୧ରୁ ଆରମ୍ଭ କରିବା ସକାଶେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ବିଭିନ୍ନ ରାଜ୍ୟରେ ଏହି ପରୀକ୍ଷା ଆୟୋଜନକୁ ଅନୁମତି ମଧ୍ୟ ପ୍ରଦାନ କରାଯାଇଛି। ଏ ନେଇ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖାଯାଇଛି ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲକଡାଉନ୍ ଜନିତ କଟକଣାମୁକ୍ତ କରିବାକୁ କୁହାଯାଇଛି। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ପରୀକ୍ଷା ଆୟୋଜନ କରିବାକୁ ଅନୁମତି ଦିଆଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଟ୍ବିଟ୍ କରି କହିବା ସହ ପରୀକ୍ଷା ପରିଚାଳନା ବେଳେ ସମସ୍ତ ପ୍ରକାର ନିୟମ ପାଳନ କରିବାକୁ ତାଗିଦ କରିଛନ୍ତି। ଅର୍ଥାତ୍ ପରୀକ୍ଷା ବେଳେ ସାମାଜିକ ଦୂରତା ରକ୍ଷା ସହ ମୁହଁରେ ମାସ୍କ ପିନ୍ଧିବା ଓ ଅନ୍ୟାନ୍ୟ ନିୟମ ପାଳନ କରିବାକୁ ଶାହ ସମସ୍ତଙ୍କୁ ନିବେଦନ କରିଛନ୍ତି।

ଏ ସଂକ୍ରାନ୍ତରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ସଚିବ ଅଜୟ ଭଲ୍ଲା କହିଛନ୍ତି ଯେ ଲକଡାଉନ୍ ଜାରି ହେବାରୁ ସ୍କୁଲ୍‌ଗୁଡ଼ିକୁ ବନ୍ଦ କରାଯାଇଥିଲା। ଫଳସ୍ବରୂପ ବିଭିନ୍ନ ରାଜ୍ୟ ଶିକ୍ଷା ବୋର୍ଡ, ସିବିଏସ୍ଇ ଓ ଆଇସିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର କେତୋଟି ପେପରରେ ପରୀକ୍ଷା ବାକି ରହିଯାଇଥିଲା। ଏହି ପରୀକ୍ଷା ସମ୍ପନ୍ନ କରିବା ସକାଶେ ବିଭିନ୍ନ ରାଜ୍ୟ ସରକାର ଓ ସିବିଏସ୍ଇ ପକ୍ଷରୁ ନିବେଦନ କରାଯାଇଥିଲା। ଏହି ପରୀକ୍ଷା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜଡ଼ିତ ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆୟୋଜନ ପାଇଁ ଅନୁମତି ଦିଆଯାଇଛି। କିନ୍ତୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ କୌଣସି ସେଣ୍ଟର୍ କରାଯିବ ନାହିଁ ଏବଂ ଛାତ୍ରଛାତ୍ରୀ, କର୍ମଚାରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ପାଳନ କରିବା ବାଧ୍ୟତାମୂଳକ। ତା’ଛଡ଼ା ପରୀକ୍ଷା କେନ୍ଦ୍ରର ସମ୍ପୂର୍ଣ୍ଣ ସାନିଟାଇଜେସନ୍ ଓ ଥର୍ମାଲ୍ ସ୍କ୍ରିନିଂ ଅପରିହାର୍ଯ୍ୟ ବୋଲି ଭଲ୍ଲା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ