ସମ୍ବଲପୁରରୁ କାନପୁର ଅଭିମୁଖେ ଗଲା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌


ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁଯାୟୀ ରାଜ୍ୟ ସରକାର ଓଡ଼ିଶାରେ ଅଟକି ରହିଥିବା ବାହାର ରାଜ୍ୟର ୨୫ ହଜାରରୁ ଊର୍ଦ୍ଧ୍ବ ଅତିଥି ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରିଛନ୍ତି। ରାଜ୍ୟରେ ଥିବା ସମୟରେ ସେମାନଙ୍କ ଉପଯୁକ୍ତ ଯତ୍ନ ନିଆଯାଇଛି ଏବଂ ପ୍ରତ୍ୟାବର୍ତ୍ତନ ସମୟରେ ସେମାନଙ୍କୁ ଖାଦ୍ୟପୁଡ଼ିଆ ଏବଂ ପାଣି ବୋତଲ ଯୋଗାଇ ଦିଆଯାଇଛି। ସେମାନଙ୍କ ଯାତ୍ରା ପାଇଁ ବ୍ୟବହୃତ ବସ୍‌ଗୁଡ଼ିକୁ ବିଶୋଧନ କରାଯାଇଛି ଓ ସ୍ବାସ୍ଥ୍ୟ ସମ୍ପର୍କିତ ଉପଯୁକ୍ତ ଯତ୍ନ ନିଆଯାଇଛି। ଓଡ଼ିଶା ମଧ୍ୟ ଦେଇ ଯାଉଥିବା ଦଶ ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟର ସୀମା ନିକଟବର୍ତ୍ତୀ ବର୍ଡର ପଏଣ୍ଟ୍‌କୁ ବସ୍‌ରେ ସୁରକ୍ଷିତ ଭାବରେ ପଠାଯାଇଛି। ବୁଧବାର ସମ୍ବଲପୁରରୁ କାନପୁର ଅଭିମୁଖେ ସ୍ବତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍ ଟ୍ରେନ୍‌ ଯାତ୍ରାରମ୍ଭ କରିଛି। ଓଡ଼ିଶାରେ ଅଟକି ରହିଥିବା ଉତ୍ତର ପ୍ରଦେଶର ୧୦୬୮ ଜଣ ଅତିଥି ଶ୍ରମିକ ଓ ୫୦ ଜଣ ଶିଶୁ ଏଥିରେ ସେମାନଙ୍କ ରାଜ୍ୟକୁ ଫେରୁଛନ୍ତି।

୧୭ଟି ଜିଲ୍ଲା ଯଥା କଳାହାଣ୍ଡି, ସୁନ୍ଦରଗଡ଼, ନବରଙ୍ଗପୁର, ମାଲକାନଗିରି, ନୟାଗଡ଼, କନ୍ଧମାଳ, ସୋନପୁର, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ କେନ୍ଦୁଝର ଇତ୍ୟାଦିର ଜିଲ୍ଲାପାଳବୃନ୍ଦ ସମସ୍ତ ଶ୍ରମିକଙ୍କୁ ଏକତ୍ରିତ କରି ୩୦ଟି ବସ୍‌ରେ ସମ୍ବଲପୁରକୁ ପଠାଇଥିଲେ। ସମ୍ବଲପୁର ଜିଲ୍ଲାପାଳ ବୁର୍ଲାଠାରେ ୧୦୦୦ ଶ୍ରମିକଙ୍କର ରହଣି ବନ୍ଦୋବସ୍ତ କରିଥିଲେ। ସେମାନଙ୍କ ପାଇଁ  ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଭୋଜନର ବ୍ୟବସ୍ଥା କରାଯାଇଥିବାବେଳେ ଶୁଖିଲା ଖାଦ୍ୟ ସାମଗ୍ରୀ, ମାସ୍କ ଓ ସାବୁନ ଆଦି  ପ୍ରଦାନ କରାଯାଇଥିଲା।

ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୧୧ ହଜାର ୨୯୫ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୨ ଲକ୍ଷ ୩ ହଜାର ୨୨୦ ଜଣ ଫେରିଛନ୍ତି। ସେମାନେ ବସ୍, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି। କୋଭିଡ୍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ବାରାଣ୍ଟାଇନ୍‌ ସ୍ବାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୫ ହଜାର ୮୬୭ ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଏଥିରେ ମୋଟ ୬,୯୭,୩୫୬  ଶଯ୍ୟାର ବ୍ୟବସ୍ଥା କରାଯାଇଛି। ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମେ’ ୧୯ରୁ ମେ’ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୨ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୧୦ଟି ମାମଲା ଲକ୍‌ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ୧ଟି ହୋମ୍ କ୍ବାରାଣ୍ଟାଇନ୍‌ ଉଲ୍ଲଂଘନ ଏବଂ ଗୋଟିଏ ଅନ୍ୟାନ୍ୟ କାରଣ ପାଇଁ ଅଟେ। ବିଭିନ୍ନ ଅଭିଯୋଗରେ ୩୮ ଜଣଙ୍କୁ ଗିରଫ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ