ଓଡ଼ିଶାରେ ଉପକୂଳରେ ଅମ୍ପନ୍‌ର ତାଣ୍ଡବ: ୪୮ ଘଣ୍ଟାରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ


ଭୁବନେଶ୍ବର: ଓଡ଼ିଶା ଉପକୂଳ ଅତିକ୍ରମ କରି ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି ବାତ୍ୟା ଅମ୍ପନ୍‌। ସ୍ଥଳଭାଗ ମୁହାଁ ହେବା ବେଳେ ଓଡ଼ିଶା ଉପକୂଳରେ କିଛି ସମୟ ପାଇଁ ତାଣ୍ଡବ ରଚିଛି। ବାତ୍ୟା ଅମ୍ପନ୍‌ ପ୍ରଭାବରେ ରାଜ୍ୟର ଉତ୍ତର ଓ ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷକରି ବାଲେଶ୍ବର, ଭଦ୍ରକ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହୋଇଛି। କେଉଁଠି ଗଛ ଭାଙ୍ଗିଛି ତ ଆଉ କେଉଁଠି ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। ସେହିପରି କେତେକ ସ୍ଥାନରେ କଚ୍ଚାଘର ଭାଙ୍ଗିଥିବା ବେଳେ ଆଜବେଷ୍ଟସ୍‌ ଉଡ଼ିଯାଇଛି। ପ୍ରବଳ ବର୍ଷା ଯୋଗୁ ଉପକୂଳ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ମଧ୍ୟ ପଶିଛି। ବାତ୍ୟା ଅମ୍ପନ୍‌ କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର। ୪୮ ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ପ୍ରାଥମିକ ରିପୋର୍ଟ ମିଳିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା। ଏହା ପରେ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଏସ୍‌ଆର୍‌ସି କହିଛନ୍ତି।

ସାମୁଦ୍ରିକ ଝଡ଼ ମାଡ଼ରେ କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିବା ବେଳେ ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲାରେ ମଧ୍ୟ ଏହାର କିଛି ପ୍ରଭାବ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଥମେ ଘୂର୍ଣ୍ଣିବାତ୍ୟାର ରୂପ ନେଇଥିଲା। ଏହାପରେ ମହାବାତ୍ୟାର ରୂପ ଧାରଣ କରି ସ୍ଥଳଭାଗ ମୁହାଁ ହୋଇଥିଲା। ବାତ୍ୟା ଅମ୍ପନ୍‌ ଯେତିକି ଯେତିକି ପାଖଉଥିଲା ଭୟ ମଧ୍ୟ ବଢ଼ିବାରେ ଲାଗିଥିଲା। ଅମ୍ପନ୍‌ ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟାରୁ ଦକ୍ଷିଣ ଉପକୂଳରେ ବର୍ଷା ଆରମ୍ଭ ହୋଇଥିଲା। ପରେ ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ମଧ୍ୟ ଗତକାଲି ରାତିରୁ ବର୍ଷା ଓ ପବନ ଲାଗି ରହିଥିଲା। ଏହାପରେ ଅମ୍ପନ୍‌ର ପ୍ରକୃତ ରୂପ ଦେଖିବାକୁ ମିଳିଥିଲା ବୁଧବାର ସକାଳୁ। ଧିରେ ଧିରେ ପବନ ବଢ଼ିବା ସାଙ୍ଗକୁ ବର୍ଷା ମଧ୍ୟ ବଢ଼ିଥିଲା। ଚାହୁଁଚାହୁଁ କେଉଁଠି ଘରର ଛପର ଉଡ଼ିଥିଲା ତ ଆଉ କେଉଁଠି ବଡ଼ ବଡ଼ ଗଛକୁ ଉପୁଡ଼ାଇ ଦେଉଥିଲା। ବିଦ୍ୟୁତ୍‌ ଖୁଣ୍ଟକୁ ବି ମୋଡ଼ି ମକଚି ପକାଉଥିଲା। ଅମ୍ପନ୍‌ ଓଡ଼ିଶା ଉପକୂଳ ଅତିକ୍ରମ କରିବା ଆରମ୍ଭ କରିବା ମାତ୍ରେ ରଚିଥିଲା ପ୍ରଳୟ। ପ୍ରଥମେ ଜଗତ୍‌ସିଂହପୁର ଜିଲ୍ଲାରେ ଅମ୍ପନ୍‌ ତାଣ୍ଡବ ରଚିଥିଲା। ପାରାଦୀପରେ ସାଂଘାତିକ ବର୍ଷା ସାଙ୍ଗକୁ ପ୍ରବଳ ବର୍ଷା। ପାରାଦୀପରେ ସର୍ବାଧିକ ୧୦୬ କିଲୋମିଟର ବେଗରେ ପବନ ବହିଥିଲା। ଏହାସହ ୨୪ ଘଣ୍ଟା ଭିତରେ ୨୧୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପ୍ରବଳ ପବନ ସାଙ୍ଗକୁ ବର୍ଷା ଯୋଗୁ ବଡ଼ବଡ଼ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡିବା ସହ ସହ ଅନେକ ଚାଳଘର ନଷ୍ଟ ହୋଇଛି। କଟକ-ପାରାଦ୍ବୀପ ରାସ୍ତାର ଅନେକ ସ୍ଥାନରେ ଗଛ ପଡ଼ିଅବରୋଧ ହୋଇଛି। ଏରସମାର ୩ ଟି ପଞ୍ଚାୟତର ୧୫ରୁ ଅଧିକ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ପାରାଦୀପରେ ମତ୍ସଜୀବୀଙ୍କ ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି। ସହରର ବଡ଼ବଡ଼ ହୋଡିଂ ଉଡ଼ି ରାସ୍ତାରେ ପଡ଼ିଛି।

ଜଗତସିଂହପୁର ଭଳି କେନ୍ଦ୍ରାପଡ଼ାରେ ବି ତାଣ୍ଡବ ରଚିଥିଲା ବାତ୍ୟା ଅମ୍ପନ୍‌। ତୁହାକୁ ତୁହା ବର୍ଷା ପ୍ରବଳ ପବନ ଲୋକମାନଙ୍କୁ ଆତଙ୍କିତ କରିଦେଇଥିଲା। ବର୍ଷାର ପରିମାଣ ଏତେ ଥିଲା ଯେ ସମୁଦ୍ରକୂଳିଆ ଲୋକ ଆତଙ୍କିତ ହୋଇ ଯାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ରାଜନଗର ଅଞ୍ଚଳକୁ ପ୍ରଭାବିତ କରିଛି ଅମ୍ପନ୍‌। ଅନେକ ସ୍ଥାନର ଗଛ ଉପୁଡ଼ି ରାସ୍ତା ଓ ଘର ଉପରେ ପଡ଼ିଥିବା ବେଳେ କଚ୍ଚାଘର ଓ ଆଜବେଷ୍ଟସ୍‌ ଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଆଜି ସକାଳୁ ପଟ୍ଟାମୁଣ୍ଡାଇ ବ୍ଳକ୍‌ର ପୁରୁଷୋତ୍ତମପୂର ଗାଁରେ ବନ୍ଧ ଡେଇଁ ଲୁଣା ପାଣି ପଶି ଯାଇଥିଲା। ୬୨ ପରିବାର ପାଣିଘେରରେ ରହିଥିଲେ। ସେହିପରି ରାଜନଗର ବ୍ଲକର ସମୁଦ୍ରକୂଳିଆ ଲୋକେ ମଧ୍ୟ ଭୟଭୀତ ହୋଇଯାଇଥିଲେ। ବାତ୍ୟା ଅମ୍ପନ ପ୍ରଭାବରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍‌ର କାମ୍ପଡ଼ା ପଞ୍ଚାୟତର ଦକ୍ଷିଣପାରି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। କାନ୍ଥ ମାଡ଼ି ଜଣେ ୨ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଭଦ୍ରକ ଧାମରା ଅଞ୍ଚଳରେ ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ତେଣୁ ଅନେକ ସ୍ଥାନରେ ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍‌ ସରବରାହ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଧାମରା ବନ୍ଦର ନିକଟରେ ଥିବା ଅନେକ ମାଛଧରା ଡଙ୍ଗା ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ବିଦ୍ୟୁତ୍‌ ଓ ଟେଲିଫୋନ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ବାଲେଶ୍ବର ଜିଲ୍ଲାରେ ବି ବିଭିନ୍ନ ଅଞ୍ଚଳରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବିଭିନ୍ନ ଛାତଘରର କାଚ ଭାଙ୍ଗିବା ସହ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ବାହାରେ ଥିବା ଚାରିଚକିଆ ଗାଡ଼ିଗୁଡିକ କ୍ଷତିଗ୍ରସ୍ତ ହୋଇଛି। ବାଲେଶ୍ୱରରେ ଘଣ୍ଟାକୁ ୯୧ କିଲୋମିଟର ବେଗରେ ପବନ ବହିଥିଲା। ସେହିପରି ଭଦ୍ରକରେ ବି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିଥିଲା।

ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଛି। ଫଳରେ ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ରାସ୍ତା ସଫା କରିବାରେ ଲାଗି ପଡ଼ିଛନ୍ତି। ସେହିପରି ଯଥାଶୀଘ୍ର ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରୋବରାହ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ଜଗତସିଂହପୁର ଓ ପାରାଦୀପରେ ଆଜି ସନ୍ଧ୍ୟାରେ ବାତ୍ୟା ଆଶ୍ରୟସ୍ଥଳରୁ ଲୋକେ ଘରକୁ ଫେରିଯାଇଛନ୍ତି। ତେବେ ବାଲେଶ୍ୱର ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳରୁ ଆଜି ଲୋକେ ଘରକୁ ଫେରିବା ନେଇ ସ୍ଥାନୀୟ ଜିଲ୍ଲାପାଳ ନିଷ୍ପତ୍ତି ନେବେ। ବାତ୍ୟା ଅମ୍ପନ ପାଇଁ ୧ଲକ୍ଷ ୪୮ ହଜାର ୪୮୨ ଲୋକଙ୍କୁ ୨୯୨୧ଟି ଆଶ୍ରୟସ୍ଥଳରେ ରଖାଯାଇଥିଲା ହେଲେ କୌଣସି ସ୍ଥାନରେ ଟେଲିକମ୍ ଟାଓ୍ୱାର ଭୁଶୁଡ଼ିନାହିଁ। ବାତ୍ୟା ପ୍ରଭାବିତ ଜିଲ୍ଲାରେ ୨ଦିନ ଭିତରେ ୧୮୮୫ଜଣ ଗର୍ଭବତୀଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ