‘ଅମ୍ଫାନ’ ପାଇଁ ଜିରୋ କାଜୁଆଲିଟି ଟାର୍ଗେଟ


ଗୋଟିଏ ପଟେ ବିଶ୍ବ ମହାମାରୀ କୋରୋନା ସହିତ ରାଜ୍ୟ ଲଢ଼ୁଥିବା ବେଳେ ଅନ୍ୟପଟେ ବଙ୍ଗୋପସାଗରରେ ସ୍‌ଷ୍ଟ ଲଘୁଚାପ ବାତ୍ୟା ରୂପ ନେଇ ଘଣ୍ଟା ପ୍ରତି ୫ କିମି ବେଗରେ ଅଗ୍ରସର ହେବାରେ ଲାଗିଛି। ଓଡ଼ିଶା ମୁଣ୍ଡ ଉପରେ ଏଭଳି ଦ୍ବୈତ ବିପଦ ଲଦି ହୋଇଥିବା ବେଳେ ଏହି ସାମୁଦ୍ରିକ  ବାତ୍ୟା ‘ଅମ୍ଫାନ’ର କ୍ଷୟକ୍ଷତିକୁ ରୋକିବା ଦିଗରେ ବ୍ୟାପକ ପ୍ରୟାସ ଆରମ୍ଭ ହୋଇଯାଇଛି। ଶନିବାର ମୁଖ୍ୟ ରିଲିଫ କମିଶନର ଓ ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ଜିଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ କିଭଳି ଶୂନ୍ୟ ମ୍‌ତ୍ୟୁ ହାର (ଜିରୋ କାଜୁଆଲିଟି)ରହିବ , ତାହା ଉପରେ ଗୁରୁତ୍ବାରୋପ କରିଛନ୍ତି। ଜିଲାପାଳଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି ଯେ ଯଦି ସେଭଳି ପରିସ୍ଥିତି ସ୍‌ଷ୍ଟି ହୁଏ, ତେବେ ବାତ୍ୟାର ମୁହଁରେ ଥିବା ୧୧ ଲକ୍ଷ ଲୋକଙ୍କୁ କିଭଳି ସ୍ଥାନାନ୍ତରିତ କରାଯିବ, ସେ ଦିଗରେ ସଜାଗ ହୋଇ ରୁହ।

ସମ୍ଭାବ୍ୟ ବାତ୍ୟାର ପ୍ରସ୍ତୁତି ଦିଗରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ ବୋଲି ଦୋହରାଇଥିଲେ। ବର୍ତ୍ତମାନର ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ବର୍ଗଙ୍କ ଆକଳନରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବର ଜିଲାର ୧୧ ଲକ୍ଷ ଲୋକଙ୍କ ଜୀବନ କିଭଳି ସୁରକ୍ଷିତ ରଖାଯାଇ ପାରିବ, ସେ ଦିଗରେ ଜୋର ଦେଇଥିଲେ ମୁଖ୍ୟମନ୍ତ୍ରୀ। ଗତବର୍ଷ ମେ ୩ ତାରିଖରେ ଓଡ଼ିଶା ଉପକୂଳକୁ ‘ଫନି’ ସାମୁଦ୍ରିକ ଝଡ଼ ଉଜାଡ଼ି ଦେଇଥିଲା। ସେ ସମୟରେ ରାଜ୍ୟ ସରକାର ୧୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିଥିଲେ। ଏବେ ଠିକ ବର୍ଷକ ପରେ ସମାନ ସମୟରେ ପ୍ରାୟ ୧୫ ଦିନ ବିଳମ୍ବରେ ଅର୍ଥାତ ମେ ୧୮ରେ ଅମ୍ଫାନ ଆସୁଛି। ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ମୁହାଁ ଏହି ବାତ୍ୟା କୋରୋନା ମହାମାରୀ ସମୟରେ ଆସି ଦ୍ବୈତ ବିପଦର ଆଶଙ୍କାକୁ ବଢ଼ାଇ ଦେଇଛି। ଜିଲାପାଳମାନେ ସ୍ଥାନାନ୍ତରୀକରଣ ଯୋଜନା ପ୍ରସ୍ତୁତ କରି ସାରିଛନ୍ତି। ତଳିଆ ଅଞ୍ଚଳର କଚାଘର ଗୁଡ଼ିକରେ ରହୁଥିବା ଲୋକଙ୍କ ନିକଟରେ ସୂଚନା ପହଞ୍ଚାଇ ଦିଆଯାଇଛି। ବାତ୍ୟା ସମ୍ପର୍କରେ ୩-୪ ଦିନ ପୂର୍ବରୁ ସୂଚନା ପାଇଯିବାରୁ ପ୍ରଶାସନ ସମୁଦ୍ର ଭିତରେ ଥିବା ଡଙ୍ଗା ଓ ଟ୍ରଲର ଗୁଡ଼ିକୁ କୂଳକୁ ଫେରାଇ ଆଣିବାରେ ସକ୍ଷମ ହୋଇଛି।

ଶ୍ରମିକ ସ୍ବତନ୍ତ୍ର ଟ୍ରେନକୁ ବାତିଲ କଲା ଓଡ଼ିଶା
ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ଦିଗରେ କେନ୍ଦ୍ର ସରକାର ସହଯୋଗ କରୁ ନ ଥିବା ନେଇ ଅନେକ ରାଜ୍ୟ କେନ୍ଦ୍ର ଉପରେ ଦୋଷ ଲଦୁଥିବା ବେଳେ ଏବେ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଅମ୍ଫାନ ଓଡ଼ିଶା ମୁହାଁ ହେଉଥିବାରୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନକୁ ୩ ଦିନ ପାଇଁ ବାତିଲ ନିର୍ଦେଶ ଦେଇଛନ୍ତି ଓଡ଼ିଶା ସରକାର। ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ରାଜ୍ୟକୁ ଏହି ଟ୍ରେନ ଆସିପାରିବ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି। ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିବାରୁ କୌଣସି ଅଧିକାରୀ ଷ୍ଟେସନ ଆସି ଶ୍ରମିକମାନଙ୍କୁ ସହାୟତା କରିପାରିବେ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟକୁ ମେ ୩ ତାରିଖ ପରଠାରୁ ୪୯ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଓ ବସରେ ୧ ଲକ୍ଷ ୩୩ ହଜାର ୨୪୫ ଜଣ ପ୍ରବାସୀ ଶ୍ରମିକ ଫେରିଛନ୍ତି। ଷ୍ଟେସନରୁ ପ୍ରବାସୀ ଶ୍ରମିକମାନଙ୍କୁ କ୍ବାରେଣ୍ଟାଇନ କେନ୍ଦ୍ରକୁ ନେବା ପାଇଁ ନିୟୋଜିତ ହେଉଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରୁ ଅନେକଙ୍କୁ ବାତ୍ୟା ପରିଚାଳନା ଦାୟିତ୍ବ ଦିଆଯାଇଥିବାରୁ ଆସିବାକୁ ଥିବା ଟ୍ରେନକୁ ବାତିଲ କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ସମୁଦ୍ରକୂଳ ଠାରୁ ୩ କିମି ଦୂରରେ ଥିବା ସାମୟିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଦୂରକୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି।

ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଖପାଖ ସମୁଦ୍ରରେ ସ୍‌ଷ୍ଟ ସାମୁଦ୍ରିକ ବାତ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ଭୀଷଣ ଓ ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଅତି ଉଗ୍ର ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଅଗ୍ନିଶମ ବିଭାଗ, ଏନଡିଆରଏଫ ଓ ଓଡ୍ରାଫ ଟିମ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିବା ଜଣାପଡ଼ିଛି। ୨୦ ତାରିଖ ଅପରାହ୍ନରେ ଦୀଘା ଓ ହାତିଆ ଦ୍ବୀପପୁଞ୍ଜ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ସଂସ୍ଥା (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଓଡ଼ିଶା ଉପରେ ଏହି ବାତ୍ୟା ଅଧିକ ପ୍ରଭାବ ପକାଇବ ବୋଲି ମଧ୍ୟ ଆଇଏମଡି ସ୍ପଷ୍ଟ କରିଛି। ତଦନୁଯାୟୀ ରାଜ୍ୟର ୧୨ଟି ଜିଲା ଓ ବିଶେଷକରି ୪ଟି ଜିଲାର ଜିରୋ କାଜୁଆଲିଟି ଓ କମ କ୍ଷୟକ୍ଷତି ଉପରେ ପ୍ରଶାସନ ଫୋକସ ରହିଛି।

କ୍ୟାବିନେଟ ସଚିବଙ୍କ ସମୀକ୍ଷା
ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ପୌରୋହିତ୍ୟରେ ବିପର୍ଯ୍ୟୟ ପରିଚାଳନା କମିଟିର ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ସେ ଓଡ଼ିଶା ଓ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ଅଧିକାରୀମାନେ ଭିଡିଓ ଆଲୋଚନାରେ ଭାଗ ନେଇଥିଲେ। ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦ୍‌ଷ୍ଟିରେ ରଖି କିଭଳି ଉଦ୍ଧାର ଓ ସହାୟତା କାର୍ଯ୍ୟ କରାଯିବ, ସେ ଦିଗରେ ଆଲୋଚନା ହୋଇଛି। ଏଭଳି ଭୟଙ୍କର ବାତ୍ୟା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରୁଥିବାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ଏହାର ଅଧିକ ପ୍ରଭାବ ରହିବ। ଶନିବାର ଶକ୍ତିମନ୍ତ୍ରୀ ଶକ୍ତି ବିଭାଗର ପ୍ରମୁଖ ସଚିବ, ଗ୍ରୀଡ଼କୋ ଅଧ୍ୟକ୍ଷ, ସେସୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ୨୪ ଘଣ୍ଟିଆ ମନିଟରିଂ ସେଲ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ