କୋରୋନା ମୁକ୍ତ ୧୪ ଜିଲ୍ଲା


ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ କୋରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ଏଥିରେ ବେଶ୍‌ ଯୋଗଦାନ ରହିଛି ଓଡ଼ିଶା ଫେରୁଥିବା ପ୍ରବାସୀଙ୍କର। ବିଶେଷକରି ସୁରତ ଓ କୋଲକାତା ଫେରନ୍ତାଙ୍କ ଠାରେ ଅଧିକ ସଂଖ୍ୟାରେ କୋରୋନା ସଂକ୍ରମଣ ଠାବ ହେଉଥିବାରୁ ସଂଖ୍ୟା ଏଭଳି ଭାବେ ବଢ଼ିବାରେ ଲାଗିଛି। ଏଥିସହ ଏହି ପ୍ରବାସୀଙ୍କ ପାଇଁ ମଧ୍ୟ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲା କୋରୋନା କବଳକୁ ଚାଲି ଯାଉଛି। ବର୍ତ୍ତମାନ ସ୍ଥିତିରେ ଓଡ଼ିଶାରେ କୋରୋନା ତାର ସ୍ଥିତି ସୁଦୃଢ କରିସାରିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୬ଶହ ଟପିଛି। ତେବେ ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ୨୧ଟି ଜିଲ୍ଲାରେ କୋରୋନା ତାର ପାଦ ରଖିସାରିଥିବା ବେଳେ ତନ୍ମଧ୍ୟରୁ ୫ଟି ଜିଲ୍ଲା କୋରୋନା ମୁକ୍ତ ହୋଇଛି। ଅର୍ଥାତ ଏହି ୫ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା କୋରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ କୋରୋନା ଆତଙ୍କ ଭିତରେ ସବୁଠାରୁ ବଡ଼ ଆଶ୍ବାସନାର ବିଷୟ ହେଉଛି ଓଡ଼ିଶାର ୯ଟି ଜିଲ୍ଲାକୁ କୋରୋନା ସ୍ପର୍ଶ କରିପାରି ନାହିଁ। ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ଭାବେ ଉଭା ହୋଇଥିବା ଗଞ୍ଜମର ଦୁଇ ପଡ଼ୋଶୀ ଜିଲ୍ଲା ଗଜପତି ଓ କନ୍ଧମାଳ ଜିଲ୍ଲାକୁ ମଧ୍ୟ କୋରୋନା ଛୁଇଁନାହିଁ।

ମାର୍ଚ୍ଚ ୧୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ କୋରୋଗା ରୋଗୀ ଚିହ୍ନଟ ହେବାପରେ ଏହା ଧିରେ ଧିରେ ବୃଦ୍ଧି ପାଇଥିଲା। ଏପରିକି ୫୦ ଦିନ ପରେ ଗ୍ରୀନ୍‍ ଜୋନ୍‌ରେ ଥିବା ଜଗତ୍‍ସିଂହପୁର, ନୟାଗଡ଼, ମୟୁରଭଞ୍ଜ, ବଲାଙ୍ଗିର, ବୌଦ୍ଧ ଓ ଅନୁଗୁଳ ଆଦି ଜିଲ୍ଲାକୁ କୋରୋନା ବ୍ୟାପିଥିଲା। ଓଡ଼ିଶାର ୩୦ ଜିଲ୍ଲା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୧ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କୋରୋନା ଆକ୍ରାନ୍ତ। ପ୍ରଥମେ ବିଦେଶ ଫେରନ୍ତାଙ୍କ ପାଇଁ କେତେକ ଜିଲ୍ଲାକୁ କୋରୋନା ବ୍ୟାପିଥିବା ବେଳେ ଏହାପରେ ନିଜାମୁଦ୍ଦିନ୍‌ ମର୍କଜ୍‌ ଫେରନ୍ତାଙ୍କ ପାଇଁ ଆଉ କେତେକ ଜିଲ୍ଲାକୁ କୋରୋନା ବ୍ୟାପିଥିଲା। ଏହାପରେ ପଶ୍ଚିମବଙ୍ଗ ଫେରନ୍ତା ଓ ସୁରତ ଫେରନ୍ତାଙ୍କ ପାଇଁ ଓଡ଼ିଶାର ୨୧ ଜିଲ୍ଲାକୁ କୋରୋନା ଏବେ କବଳିତ କରି ରଖିଛି। ତେବେ ଏସବୁ ଆତଙ୍କ ଭିତରେ ୯ଟି ଜିଲ୍ଲାକୁ ଛୁଇଁପାରିନି ଏହି ମାହାମାରୀ। ଓଡ଼ିଶାରେ ପ୍ରଥମ କୋରୋନା ଚିହ୍ନଟ ହେବାର ୬୦ ଦିନ ବିତିଯାଇଥିଲେ ମଧ୍ୟ ୯ଟି ଜିଲ୍ଲା ଏହି ମହାମାରୀ କବଳରୁ ସୁରକ୍ଷିତ ରହିଛି। ଓଡ଼ିଶାର ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲା ଏବେ କୋରୋନା କବଳରୁ ସୁରକ୍ଷିତ ରହିଛି। ତେବେ ଅନ୍ୟ ୫ଟି ଜିଲ୍ଲାକୁ କୋରୋନା ସ୍ପର୍ଶ କରିଥିଲେ ମଧ୍ୟ ଏହି ଜିଲ୍ଲା ଏକେ କୋରୋନା ମୁକ୍ତ ହୋଇଛି। ଏଠାରୁ ଚିହ୍ନଟ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସେମାନେ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟ, ଢେଙ୍ଗାନାଳ, ଦେଓଗଡ଼ ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ସେମାନେ ମଧ୍ୟ ସୁସ୍ଥ ହୋଇଛନ୍ତି। ଫଳରେ ଏହି ୫ ଜିଲ୍ଲାରେ କୌଣସି ଆକ୍ଟିଭ୍‌ କେଶ୍‌ ନ ଥିବାରୁ ଏହି ଜିଲ୍ଲା ଏବେ କୋରୋନା ମୁକ୍ତ ହୋଇ ଗ୍ରୀନ୍‌ ଜୋନ୍‌ରେ ରହିଛି।

ଗଞ୍ଜାମ ଜିଲ୍ଲାରେ କୋରୋନା ମହାମାରୀ ରୂପ ନେବା ଭଳି ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଦ୍ରୁତଗତିରେ ଏଠାରେ ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଅପରାହ୍ନ ସୁଦ୍ଧା ଗଞ୍ଜାମ ଜିଲ୍ଲାରୁ ୨୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନ ଯେତେକି ଗଡ଼ୁଛି ବିପଦ ସେତିକି ଘନଉଛି। ପ୍ରବାସୀ ଓଡ଼ିଆଙ୍କ ଆଗମନ ସାଙ୍ଗକୁ କୋରୋନା ପଜିଟିଭ୍‌ ସଂଖ୍ୟା ବଢି ଚାଲିଛି। ମାତ୍ର ୧୩ ଦିନରେ କୋରୋନା ପଜିଟିଭ୍‌ ଅଢେଇଶ ପାର୍‌ କରିଯାଇଛି। ଉଦ୍‌ବେଗର ବିଷୟ, ଜିଲ୍ଲାର ଏକମାତ୍ର ଟାଟା କୋଭିଡ୍‌‌-୧୯ ହସ୍‌ପିଟାଲ ଶଯ୍ୟା ସଂଖ୍ୟା ଠାରୁ କୋରୋନା ରୋଗୀଙ୍କ ସଂଖ୍ୟା ବଢ଼ିଯାଇଛି। ଏଠାରେ ୨୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଥିବା ବେଳେ ରୋଗୀଙ୍କ ସଂଖ୍ୟା ୨୫୦ ହୋଇଗଲାଣି। ଅନ୍ୟପକ୍ଷରେ ଏଠାରୁ ପ୍ରବାସୀଙ୍କ ଆଗମନ ମଧ୍ୟ ଜାରି ରହିଛି। ଗଞ୍ଜାମ ଜିଲ୍ଲାକୁ ଏକ ପ୍ରକାର ଆଗ୍ନେୟଗିରି ମୁହଁରେ ଛାଡ଼ିଦେଲା ଭଳି ସ୍ଥିତି ଉପୁଜିଛି। ଏଣେ ପ୍ରବାସୀ ଓଡ଼ିଆଙ୍କ ଏଭିଳି ଆଗମନ ଜାରି ରହିଲେ, ମେ’ ଶେଷ ସୁଦ୍ଧା ଜିଲ୍ଲାକୁ ଆହୁରି ଦେଢ଼ ଲକ୍ଷ ଓଡ଼ିଆ ଶ୍ରମିକ ଫେରିବେ। ସେମାନଙ୍କୁ କେଉଁଠି ରଖିବେ, ସେ ଚିନ୍ତା ଅନ୍ୟ ଏକ ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଗଞ୍ଜାମ ଜିଲ୍ଲାରେ ମୋଟ ୨୫୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ମାତ୍ର ୨ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ଜିଲ୍ଲାରେ ୨୪୯ଟି ଆକ୍ଟିଭ୍‌ କେଶ୍‌ ରହିଛି।

ସେହିପରି ବାଲେଶ୍ବର ଓ ଯାଜପୁର ସ୍ଥିତି ମଧ୍ୟ ସମାନ। ଯାଜପୁର ଜିଲ୍ଲାକୁ ହଟାଇ ବାଲେଶ୍ବର ଜିଲ୍ଲା ଏବେ ଦ୍ବିତୀୟ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ତାଲିକାରେ ସ୍ଥାନ ପାଇଛି। ବାଲେଶ୍ବରରୁ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦ ଜଣ ସୁସ୍ଥ ହୋଇଛନ୍ତି। ଏଠାରେ ୬୦ଟି ଆକ୍ଟିଭ୍‌ କେଶ୍‌ ରହିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ତୃତୀୟ ସ୍ଥାନରେ ରହିଛି ଯାଜପୁର। ଜିଲ୍ଲାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଥିବା ବେଳେ ୫୫ ଜଣ ସୁସ୍ଥ ହୋଇଛନ୍ତି। ୩୩ ଚିକିତ୍ସିତ ହେଉଥିବା ବେଳେ ମୃତ ସଂଖ୍ୟା ଶୂନରେ ରହିଛି। ତେବେ ଦୀର୍ଘ ଦିନ ଧରି କୋରୋନା ଟେବୁଲ୍‌ର ଶୀର୍ଷରେ ରହିଥିବା ଖୋର୍ଦ୍ଧା ଜିଲ୍ଲା ଏବେ ଚତୁର୍ଥ ସ୍ଥାନକୁ ଚାଲିଆସିଛି। ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଥିବା ବେଳେ ୪୫ ଜଣ ସୁସ୍ଥ ହୋଇଛନ୍ତି। ୬ ଜଣ ଚିକିତ୍ସିତ ହେଉଛନ୍ତି। ୨ ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲାରେ ଗୁରୁବାର ୯ କୋରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୧ ଜଣ ଚିକିତ୍ସିତ ହେଉଛନ୍ତି।

ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଗୁରୁବାର ୨ ଜଣ କୋରୋନା ପଜିଟିଭ୍‌ ଚିହ୍ନଟ ହେବାରେ ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ୧୨ ଜଣ ସୁସ୍ଥ ହୋଇଛନ୍ତି। ୧୩ ଜଣ ଚିକିତ୍ସିତ ହେଉଛନ୍ତି। ଅନୁଗୁଳ ଜିଲାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ୯ ଆକ୍ରାନ୍ତଙ୍କ ମଧ୍ୟରୁ୨ ଜଣ ସୁସ୍ଥ ହୋଇଛନ୍ତି, ୭ ଚିକିତ୍ସିତ ହେଉଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ମୋଟ ୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେହି ସୁସ୍ଥ ହୋଇ ନାହାନ୍ତି। ସେହିପରି ଜଗତ୍‌ସିଂହପୁର ଜିଲ୍ଲାରେ ମଧ୍ୟ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୌଦ୍ଧ ଜିଲ୍ଲାରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ ଚିକିତ୍ସିତ ହେଉଛନ୍ତି। କେନ୍ଦୁଝର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣେ ସୁସ୍ଥ ହୋଇଥିବା ବେଳେ ୩ ଚିକିତ୍ସିତ ହେଉଛନ୍ତି। ସେହିପରି ପୁରୀ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କର ଚିକିତ୍ସା ଜାରି ରହିଛି। କଟକ ଜିଲ୍ଲାରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ୨ ଜଣ ଚିକିତ୍ସିତ ହେଉଛନ୍ତି। ବଲାଙ୍ଗିରରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣ ଯାକ ଚିକିତ୍ସିତ ହେଉଛନ୍ତି। ନୟାଗଡ଼ରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ