ଖରିଫ ଚାଷ ନିମନ୍ତେ ସାର ଓ ବିହନ ତୁରନ୍ତ ଯୋଗାଣ ଉପରେ ଗୁରୁତ୍ବ


ରାଜ୍ୟରେ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। କୋରୋନା ଭୂତାଣୁ (କୋଭିଡ୍-୧୯) ସଂକ୍ରମଣ ଯୋଗୁ ଦେଶ ସମେତ ସାରା ରାଜ୍ୟରେ ଲକ୍‌ଡାଉନ୍‌ ବଳବତ୍ତର ରହିଥିବା ବେଳେ ରାଜ୍ୟ ସରକାର କୃଷି କାର୍ଯ୍ୟକୁ ଲକ୍‌ଡାଉନ୍‌ କଟକଣାରୁ ମୁକ୍ତ ରଖିଛନ୍ତି। ରାଜ୍ୟର ଅର୍ଥନୀତିରେ କୃଷିର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ଥିବାରୁ ଏବଂ ରାଜ୍ୟର ଖାଦ୍ୟ ନିରାପତ୍ତା କୃଷି କାର୍ଯ୍ୟ ଉପରେ ନିର୍ଭର କରୁଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଚାଷ କାର୍ଯ୍ୟକୁ ଆଗେଇ ନେବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଚାଷ କାର୍ଯ୍ୟ ସୁରୁଖୁରୁରେ କରିବା ପାଇଁ କୃଷି ସାମଗ୍ରୀଗୁଡ଼ିକ ଚାଷୀମାନଙ୍କ ପାଇଁ ଯେପରି ସହଜରେ ଉପଲବ୍ଧ ହୋଇପାରିବ ସେଥି ନିମନ୍ତେ ଆଗୁଆ ପଦକ୍ଷେପ ନେବା  ଉପରେ ମନ୍ତ୍ରୀ ସ୍ବାଇଁ କହିଛନ୍ତି। ବିଭିନ୍ନ ପ୍ୟାକସ୍, ଲ୍ୟାମ୍ପସ୍‌ ଜରିଆରେ ଚାଷୀମାନଙ୍କୁ ସାର ଓ ବିହନ ଆଦି ଯୋଗାଇ ଦିଆଯାଉଥିବା ବେଳେ ଏଗୁଡିକୁ ପର୍ଯ୍ୟାପ୍ତ ପରିମାଣଷର ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ ସ୍ବାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଗୁରୁବାର ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ସ୍ବାଇଁ ଲୋକସେବା ଭବନଠାରେ ଅନୁଷ୍ଠିତ ବୈଠକରେ ସାର ଓ ବିହନର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ବୈଠକରେ ସମବାୟ ସମିତି ସମୂହର ନିବନ୍ଧକଙ୍କ ସମେତ ମାର୍କଫେଡ୍‌ର ପରିଚାଳନା ନିର୍ଦେଶକ ଏବଂ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଖରିଫ ଋତୁରେ ଆବଶ୍ୟକ ହେଉଥିବା ସାର ପର୍ଯ୍ୟାପ୍ତ ପରିମାଣରେ ଯଥାଶୀଘ୍ର ପ୍ୟାକ୍ସକୁ ପହଞ୍ଚାଇବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ  ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ବାରା ପ୍ୟାକସ୍‌ଗୁଡ଼ିକୁ ବିହନ ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ମନ୍ତ୍ରୀ ସ୍ବାଇଁ କହିଥିଲେ। ଏଗୁଡ଼ିକ ପରିବହନରେ ଯେପରି ଅସୁବିଧା ନ ହୁଏ ଏବଂ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖାଯାଇ ପାରିବ ସେଥିପ୍ରତି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ କହିଥିଲେ। ଏଥିସହିତ କୃଷି ଓ କୃଷକ ସଶକ୍ତକରଣ ବିଭାଗ ସହିତ ନିୟମିତ ସମନ୍ବୟ ରଖି କୃଷି କାର୍ଯ୍ୟକୁ ଅଗେଇ ନେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ