ସୁଧା ଆଦିବାସୀଙ୍କ ପାଇଁ ଭଗବାନ ସଦ୍‌ଶ: ତିଆରି କଲେଣି ୫୦୦ ଶୌଚାଳୟ


ଦେଶରେ ଜନସଂଖ୍ୟା ଅଧିକ ଥିବାରୁ ଏଠାରେ ଶୌଚାଳୟ ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଥାଏ। ଏପରିସ୍ଥଳେ ଅନେକ ସ୍ବେଚ୍ଛାସେବୀ ସଂଗଠନ ଆଗେଇ ଆସି ଅନେକ ସ୍ଥାନରେ ଶୌଚାଳୟ ତିଆରି କରୁଥିବା ଦେଖିବାକୁ ମିଳିଥାଏ। ଏବେ ବି ଦେଶରେ ଏପରି କେତେକ ସ୍ଥାନ ରହିଛି ଯେଉଁଠି ଶୌଚାଳୟ ଏକ ଗୁରୁତର ସମସ୍ୟା ପାଲଟିଛି।

ଏମିତିରେ ଦେଖିବାକୁ ଗଲେ ଆମ ଦେଶର ମହିଳାମାନେ କାହା ଠାରୁ କମ ନୁହନ୍ତି। ଏଥର ମଧ୍ୟ ଏହି ସମସ୍ୟାର ସମାଧାନ ଜଣେ ମହିଳା ବାହାର କରିଛନ୍ତି। ସେ ଏମିତି ଜଣେ ମହିଳା, ଯିଏ ପାଖାପାଖି ୫୦୦ ଶୌଚାଳୟ ତିଆରି କରି ସାରିଲେଣି। ଏହି ମହାନ କାମ ପାଇଁ ସେ ବର୍ଷ ବର୍ଷ ସମୟ ନେଇ ନାହାନ୍ତି। ବରଂ କିଛି ମାସରେ ସେ ଏହା କରି ଦେଖାଇଛନ୍ତି।

ସେ ହେଉଛନ୍ତି ସେକ୍ସନାଲ ଫରେଷ୍ଟ ଅଫିସର ପିଜି ସୁଧା। ସୁଧା ଏକୁଟିଆ କେରଳର ଏର୍ଣ୍ଣାକୁଲମ ଜିଲାର ୯ ଆଦିବାସୀ ଅଞ୍ଚଳରେ ୪୯୭ଟି ଶୌଚାଳୟ ତିଆରି କରିଛନ୍ତି। ଏହି କାମକୁ ସେ ମାତ୍ର ୩ ମାସରେ ଶେଷ କରିଛନ୍ତି। ସୁଧା ୧୬ ବର୍ଷ ପୂର୍ବରୁ ରାଜ୍ୟ ବନ ବିଭାଗ ସହିତ ଯୋଡ଼ି ହୋଇଥିଲେ। ସେ ନିଜେ ମଧ୍ୟ ଆଦିବାସୀ ଅଞ୍ଚଳରୁ ଆସିଛନ୍ତି।

ସୁଧା କହନ୍ତି ଯେ ଏହି କାମ କରିବା ତାଙ୍କ ପାଇଁ ସହଜ ନ ଥିଲା। ଯେତେବେଳେ କୌଣସି ଠିକାଦାରଙ୍କୁ ସେ ଏହି କାମ କରିବା ପାଇଁ କହୁଥିଲେ, ସେମାନେ ମନା କରିଦେଉଥିଲେ। କାରଣ ଏହି ଅଞ୍ଚଳକୁ ଜିନିଷ ନେବା ଆଣିବା ଓ ମଜୁରିଆ ମିଳିବା କଷ୍ଟକର ଥିଲା। ବାହାରୁ ଜିନିଷ କିଣି ଆଣିବା ମଧ୍ୟ କଷ୍ଟକର ଥିଲା। ସୁଧାଙ୍କୁ ଏହି କାମ କରିବା ପାଇଁ ବହୁତ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଏଥିସହିତ ତାଙ୍କୁ ଜଙ୍ଗଲର ଜନ୍ତୁ ଓ ଶିକାରୀଙ୍କ ଉପରେ ମଧ୍ୟ ନଜର ରଖିବାକୁ ପଡ଼ୁଥିଲା।

ସୁଧା କହନ୍ତି, ଏହି ଜୀବନ ବହୁତ କଠିନ। କାରଣ ସେ ଯେଉଁ କ୍ଷେତ୍ରରେ କାମ କରୁଛନ୍ତି, ସେଠାରେ ଅନ୍ୟ କ୍ଷେତ୍ର ତୁଳନାରେ ବହୁତ କମ ସୁବିଧା ରହିଛି। ଏଭଳି ଆଦିବାସୀ ଅଞ୍ଚଳରେ କାମ କରିବାକୁ ଠିକାଦାର ମଧ୍ୟ ତିନି ଗୁଣା ଅଧିକ ଅର୍ଥ ମାଗିଥାନ୍ତି। ତଥାପି ସେ ଆଦିବାସୀ ଲୋକଙ୍କ ସହିତ ମିଶି କାମ ଆରମ୍ଭ କରିଥିଲେ। ଏହି ଅଞ୍ଚଳକୁ ଯିବାକୁ ହେଲେ ପାଦରେ ୩ ଘଣ୍ଟାର ରାସ୍ତା ଚାଲିବାକୁ ପଡ଼ିଥାଏ। ରିପୋର୍ଟ ମୁତାବକ ସୁଧା ଅନେକ ଥର ନିଜେ ଡଙ୍ଗାରେ ଜିନିଷ ନେଇ ଶୌଚାଳୟ ନିର୍ମାଣ ହେଉଥିବା ସ୍ଥାନକୁ ଯାଇଛନ୍ତି। ସୁଧାଙ୍କ ଏହି କାମ ପାଇଁ ତାଙ୍କୁ ସମ୍ମାନିତ କରାଯାଇ ସାରିଛି। ୨୦୦୬ରେ କେରଳର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଫରେଷ୍ଟ ଗାର୍ଡ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ