କେନ୍ଦ୍ର ସରକାରଙ୍କ ୧.୭ ଲକ୍ଷ କୋଟିର କୋରୋନା ସହାୟତା ଘୋଷଣା


ନୂଆଦିଲ୍ଲୀ: ଘାତକ କୋରୋନା ଭୂତାଣୁ ତା’ର କାୟା ପ୍ରତିଦିନ ବଢ଼ାଇ ଚାଲିଥିବା ବେଳେ ଏହାର ପ୍ରଭାବରେ ଦେଶର ଅର୍ଥନୀତି ମଧ୍ୟ ବିଶେଷଭାବେ ପ୍ରଭାବିତ ହୋଇଛି। ତେଣୁ ଭାରତର ବିଭିନ୍ନ ସେକ୍ଟର ପାଇଁ ଗୁରୁବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୧.୭ ଲକ୍ଷ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ସହାୟତା ପ୍ୟାକେଜରେ ବିଶେଷ ଭାବେ ଚାଷୀ, ଏମଜିଏନଆରଇଜିଏ ଶ୍ରମିକ, ଗରିବ ଶ୍ରେଣୀର ବିଧବା, ପେନସନ ଉପଭୋକ୍ତା, ଭିନ୍ନକ୍ଷମ, ମହିଳା ଧନଜନ ଆକାଉଣ୍ଟଧାରୀ, ଉଜ୍ଜ୍ବଳା ସ୍କିମର ହିତାଧିକାରୀ, ସ୍ବୟଂ ସହାୟିକା ସଂଘ, ସଂଗଠିତ କ୍ଷେତ୍ର ଓ ନିର୍ମାଣ ଶ୍ରମିକଙ୍କୁ ଉପରେ ଫୋକସ୍ କରାଯାଇଛି। ଏହାଛଡ଼ା ଅର୍ଥ ମନ୍ତ୍ରୀ କୋରୋନା ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ପାଇଁ ଜଣ ପିଛା ୫୦ ଲକ୍ଷ ଟଙ୍କାର ବୀମା ସୁବିଧା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରିବାର ମାତ୍ର ୩୬ ଘଣ୍ଟା ଭିତରେ ସ୍ବତନ୍ତ୍ର ପାକେଜ୍ ଘୋଷଣା କରାଯାଇଛି ବୋଲି ଅର୍ଥ ମନ୍ତ୍ରୀ ସୀତାରମଣ କହିଛନ୍ତି।

‘ପ୍ରଧାନମନ୍ତ୍ରୀ ଗରିବ କଲାଣ ଯୋଜନା’ ନାମକ ଏହି ସ୍କିମରେ ଦେଶର ଚାଷୀମାନଙ୍କୁ ଆସନ୍ତା ଏପ୍ରିଲ୍ ପ୍ରଥମ ସପ୍ତାହ ମଧ୍ୟରେ ଜଣ ପିଛା ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ଓ ଏହାଦ୍ବାରା ୮.୬୯ କୋଟି ଲୋକ ଲାଭବାନ  ହେବେ। ସେହିପରି ଏମଜିଏନ୍ଆରଇଜିଏରେ ନିୟୋଜିତ ହେଉଥିବା ଶ୍ରମିକମାନଙ୍କ ସକାଶେ ଅତିରିକ୍ତ ୨ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ଓ ଏଥିରେ ୫ କୋଟି ପରିବାର ଉପକ୍‌ତ ହେବେ। ତା’ଛଡ଼ା ସେମାନଙ୍କ ଦୈନିକ ମଜୁରୀକୁ ମଧ୍ୟ ୧୮୨ରୁ ୨୦୨ ଟଙ୍କାକୁ ବଢ଼ାଇ ଦିଆଯାଇଛି। ଏହାଛଡ଼ା ଗରିବ ବିଧବା, ପେନସନ ଉପଭୋକ୍ତା ଓ ଭିନ୍ନକ୍ଷମଙ୍କ ପାଇଁ କେନ୍ଦ୍ର ସରକାର ଜଣ ପିଛା ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରିବେ। ଏହା ଆସନ୍ତା ୩ ମାସ ଭିତରେ ଦୁଇଟି କିସ୍ତିରେ ଡିବିଟି ମାଧ୍ୟମରେ ଏହି ଶ୍ରେଣୀର ୩ କୋଟି ଲୋକଙ୍କୁ ମିଳିବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି। ଆହୁରି ମଧ୍ୟ ପାଖାପାଖି ୮.୩ କୋଟି ଉଜ୍ଜ୍ବଳା ଯୋଜନାରେ ସାମିଲ୍ ଥିବା ବିପିଏଲ୍ ପରିବାରକୁ ଆସନ୍ତା ୩ ମାସ ପାଇଁ ୩ଟି ସିଲିଣ୍ଡର୍ ଯୋଗାଇ ଦିଆଯିବ। ସେହିପରି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କୁ ୧୦ ଲକ୍ଷ ପରିବର୍ତ୍ତେ ୨୦ ଲକ୍ଷ ଟଙ୍କାର ଲୋନ୍ ମିଳିପାରିବ। ଏହାଦ୍ବାରା ଦେଶର ୬୩ ଲକ୍ଷ ଏସ୍ଏଚଜି ସହ ଜଡ଼ିତ ୭ କୋଟି ପରିବାର ଲାଭ ପାଇପରିବେ।

ଏହାଛଡ଼ା ଜନଧନ ଆକାଉଣ୍ଟ୍ ଖୋଲିଥିବା ମହିଳାମାନେ ଆସନ୍ତା ୩ ମାସ ପାଇଁ ମାସିକ ୫ ଶହ ଟଙ୍କା ଲେଖାଏଁ ପାଇପାରିବେ। କୋରୋନାଜନିତ ସଙ୍କଟଜନକ ମୁହୂର୍ତ୍ତରେ ସେମାନଙ୍କ ପରିବାରର ଭରଣପୋଷଣ ପାଇଁ ଏହି ଟଙ୍କା ପ୍ରଦାନ କରାଯିବ। ଏ ବାବଦରେ ୫ ଶହ ଟଙ୍କା ଲେଖାଏଁ ପ୍ରତି ମାସରେ ୨୦ ଲକ୍ଷ ମହିଳାଙ୍କୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ଏହାଛଡ଼ା ସଂଗଠିତ ଶ୍ରମିକଙ୍କ ଇପିଏଫରେ ଜମା ହେଉଥିବା ଉଭୟ ମାଲିକଙ୍କ ଦେୟ ଓ ଶ୍ରମିକଙ୍କ ଦେୟ ବାବଦ ଅର୍ଥ କେନ୍ଦ୍ର ସରକାର ଆସନ୍ତା ୩ ମାସ ପାଇଁ ଜମା କରିବେ। ଯେଉଁସବୁ କ୍ଷେତ୍ରରେ ୧୦୦ରୁ କମ୍ କର୍ମଚାରୀ ଓ ୯୦ ପ୍ରତିଶତରୁ ଅଧିକ ୧୫ ହଜାରରୁ କମ୍ ଦରମା ପାଉଥିବେ, ଉକ୍ତ କ୍ଷେତ୍ରରେ ଲାଗୁ ହେବ। ସେହିପରି ପ୍ରତି ହିତାଧିକାରୀଙ୍କ ଇପିଏଫ୍ ଆକାଉଣ୍ଟରେ ଥିବା ଅର୍ଥର ୭୫ ପ୍ରତିଶତ ଅବା ୩ ମାସର ଦରମା ମଧ୍ୟରୁ ଯାହା କମ୍ ହେବ, ତାହା ଉଠାଇ ପାରିବା ସକାଶେ ରହିଥିବା ଆଇନରେ ସଂଶୋଧନ କରାଯିବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି। ଏହାଦ୍ବାରା ୪.୮ କୋଟି କର୍ମଚାରୀ ଫାଇଦା ପାଇପାରିବେ। ଏହାଛଡ଼ା ନିର୍ମାଣ ଶ୍ରମିକଙ୍କ ସକାଶେ କେନ୍ଦ୍ର ମନ୍ତ୍ରୀ ସୀତାରମଣ ଏହି ବର୍ଗର ଶ୍ରମିକଙ୍କ ସକାଶେ ରହିଥିବା କଲାଣ ପାଣ୍ଠିରୁ ୩୧ ହଜାର କୋଟି ଟଙ୍କାର ଉପଯୋଗ କରିବା ସକାଶେ ରାଜ ସରକାରଙ୍କୁ ନିର୍ଦେଶ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହାଦ୍ବାରା ସାଢ଼େ ୩ କୋଟି କର୍ମଚାରୀ ଲାଭବାନ ହୋଇପାରିବେ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ