କୋରୋନା ପ୍ରତିକାର ପାଇଁ ୩୦ ଜିଲ୍ଲାକୁ ୪୫ କୋଟି


ଭୁବନେଶ୍ବର: ରାଜ୍ୟରେ କୋଭିଡ୍-୧୯କୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩୦ ଜିଲ୍ଲା ପାଇଁ ୪୪.୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଜିଲ୍ଲା ରେଡକ୍ରସ୍‌ ପାଣ୍ଠିକୁ ଏହି ଅର୍ଥ ପ୍ରଦାନ କରାଯାଇଛି। ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାକୁ ସର୍ବାଧିକ ୩ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏଥିସହ ବାଲେଶ୍ୱର, ବରଗଡ଼, ବଲାଙ୍ଗିର, କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋଦ୍ଧା, ନୟାଗଡ଼, ପୁରୀ ଓ ସମ୍ବଲପୁର ଜିଲ୍ଲାକୁ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସେହିପରି ଅନୁଗୁଳ, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଜଗତ୍‌ସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରତ୍ୟେକ ୧ କୋଟି ଟଙ୍କା ଏବଂ ଦେବଗଡ଼ ଜିଲ୍ଲାକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ଏଥିସହ ସମସ୍ତ ଚିକିତ୍ସାଳୟକୁ ଆବଶ୍ୟକ ସ୍ବାସ୍ଥ୍ୟ ସାମଗ୍ରୀ ଯୋଗାଇ ଦେବାରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ଔଷଧ ସେବା ନିଗମକୁ ଔଷଧ ଯୋଗାଣକାରୀ ସଂସ୍ଥାକୁ ଇନ୍‌ସେଣ୍ଟିଭ୍‌ ଦିଆଯିବାକୁ ବ୍ୟବସ୍ଥା ହୋଇଛି। ଯୋଗାଣ ସୂଚାରୁରୂପେ ଏବଂ ୭ ଦିନ ପୂର୍ବରୁ ଦେଲେ ୫୦ ପ୍ରତିଶତ ଅଧିକ ଟଙ୍କା ମିଳିବ। ଯଦି ସେମାନେ ୧୫ ଦିନ ଆଗରୁ ଯୋଗାନ୍ତି ତେବେ ୨୫ ପ୍ରତିଶତ, ୩୦ ଦିନ ପୂର୍ବରୁ ହେଲେ ୧୦ ପ୍ରତିଶତ ଦିଆଯିବ। ଅନ୍ୟ ବ୍ୟବସ୍ଥା ସହ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ଟଙ୍କା ଯୋଗାଇ ଦିଆଯିବ। ୨୧ ଦିନ ଲକ୍‌ ଡାଉନ୍‌ରେ ମାଲବାହୀ ଯାନବାହନ ବିନା ବାଧାରେ ଯାତାୟତ କରିପାରିବ। ଏଥିରେ ପ୍ରତିବନ୍ଧକ ଆଣିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ