ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ‘ମୋ ଜୀବନ’ କାର୍ଯ୍ୟକ୍ରମ


ଭୁବନେଶ୍ବର: କୋରୋନା ପାଇଁ ଏବେ ସାରା ବିଶ୍ୱ ଚିନ୍ତାରେ। ସବୁ ଦେଶ ମିଶି ଏହାର ମୁକାବିଲା ପାଇଁ ଲାଗି ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଭୟଭୀତ ନ ହୋଇ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ସବୁ ରାଜ୍ୟ ମଧ୍ୟ ଏଥିପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କୋରୋନା ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ସେ ପରିବାରର ସୁରକ୍ଷା ଲାଗି ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏହାକୁ ଆ‌ଧାର କରି ସେ ଏକ ନୂଆ କା‌ର୍ଯ୍ୟକ୍ରମ ‘ମୋ ଜୀବନ’ ଆରମ୍ଭ କରିଛନ୍ତି। ଏହି କା‌ର୍ଯ୍ୟକ୍ରମ ଅନୁସାରେ ପ୍ରତି ଓଡ଼ିଶାବାସୀ ଘରୁ ନ ବାହାରିବାକୁ ବ୍ୟକ୍ତିଗତ ସ୍ତରରେ ପ୍ରତିଦିନ ଶପଥ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଦିନ ଓଡ଼ିଶାର ଜନସାଧାରଣ ଶପଥ କରନ୍ତୁ। କୋରୋନା ଭାଇରସ୍‌ ନିଜ ଘରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ନିଜକୁ , ନିଜ ପିଲାଛୁଆ ଏବଂ ବାପା ମା’ଙ୍କ ସୁରକ୍ଷା ପାଇଁ ଏହି ଶପଥ କରିବା ଦରକାର। କୋରୋନା ଭାଇରସ୍‌ ନିଜ ଘରେ ପୂରାଇ ନ ଦେବା ପାଇଁ କେହି ବାହାରକୁ ବାହାରନ୍ତୁ ନାହିଁ। ସମସ୍ତେ ଘରେ ରହନ୍ତୁ। ସଚେତନ ଓ ସତର୍କ ରହିଲେ ହିଁ କରୋନା ମୁକାବିଲା ସମ୍ଭବ ବୋଲି ସେ କହିଛନ୍ତି। “ମୁଁ ମୋର ପିଲାଛୁଆ, ବାପାମା’ଙ୍କ ନାମରେ ଶପଥ କରି କହୁଛି ଯେ, ବର୍ତ୍ତମାନ ସମୟରେ ବାହାରକୁ ଯିବି ନାହିଁ। ବାହାରକୁ ଗଲେ କୋରୋନା ଭାଇରସ୍ ମୋ ସାଥିରେ ମୋ ଘରକୁ ଆସିପାରେ ଏବଂ ମୋ ପରିବାରର କ୍ଷତି କରିପାରେ। ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ। ଯଦି ଜରୁରୀ କାମରେ ଯିବି ତେବେ ଫେରିବା ସମୟରେ ସାବୁନରେ ଭଲ ଭାବରେ ୨୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ହାତ ଧୋଇ ଘରକୁ ପଶିବି। କରୋନା ଭାଇରସକୁ କେବେ ବି ମୋ ଘରେ ପଶିବାକୁ ଦେବିନାହିଁ। ମୋ ପରିବାର ପାଇଁ ବିପଦର କାରଣ ହେବି ନାହିଁ।”

ମୁଖ୍ୟମନ୍ତ୍ରୀ କହିଛନ୍ତି, କୋରୋନା ଭୂତାଣୁ ଚୀନ୍‌ରେ ଥିଲା। ବହୁତ ଦୂରରେ ଥିଲା। ଏବେ ଏହା ଆମ ପାଖକୁ ଆସିଛି। କିନ୍ତୁ ଆମେ ଏହାକୁ ଘରେ ପୂରେଇବାକୁ ଦେବାନି। ଆମେ ସମସ୍ତେ ଶପଥ ନେବା ଯେ ଆମେ ଘରୁ ବାହାରିବାନି। ଏବଂ ସାବଧାନତା ଅବଲମ୍ବନ କରି ଘରେ ରହିବା। ଯଦି ଜରୁରୀ କାମ ପାଇଁ ବାହାରକୁ ଯିବା ତେବେ ଘରେ ପଶିବା ସମୟରେ ୨୦ ସେକେଣ୍ଡ୍‌ ହାତ ଧୋଇ ଘରେ ପଶିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। ‘ମୋ ଜୀବନ କାର୍ଯ୍ୟକ୍ରମ’ ମାଧ୍ୟମରେ ସମସ୍ତେ ଏହି ଶପଥ ନେଇ ଭିଡିଓ ପ୍ରସ୍ତୁତ କରି ସୋସାଲ୍‌ ମିଡିଆରେ ତାଙ୍କ ସହ ସେୟାର କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ