ଗତ ୨୪ ଘଣ୍ଟାର କୋରୋନା ସମ୍ପର୍କିତ ତାଜା ସୂଚନା ଦେଲେ ବାଗ୍‌ଚୀ


ଭୁବନେଶ୍ବର: କୋରୋନା ବା କୋଭିଡ୍-୧୯ ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। ପ୍ରତ୍ୟେକ ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଉଛି। କୋରୋନା ମୁକାବିଲା ପାଇଁ ଗତ ୨୪ ଘଣ୍ଟା ଭିତରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି କୋଭିଡ୍‌-୧୯ର ମୁଖ୍ୟ ମୁଖ୍ୟପାତ୍ର ସୁବ୍ରାତ୍‌ ବାଗ୍‌ଚୀ।

  • ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟସେବାସଂପୃକ୍ତ କର୍ମଚାରୀଙ୍କୁ ଅପ୍ରେଲ, ମେ’, ଜୁନ୍‌ ଓ ଜୁଲାଇ ମାସର ବେତନ ଅଗ୍ରୀମ ଆକାରରେ ଆସନ୍ତା ଅପ୍ରେଲ୍ ମାସରେ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
  • ସ୍ବାସ୍ଥ୍ୟସେବାରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଅସହଯୋଗ କିମ୍ବା ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।
  • କୋଭିଡ୍-୧୯ ସମଗ୍ର ବିଶ୍ୱରେ ଅସାଧାରଣ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ନିୟନ୍ତ୍ରଣ କରିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତିକାରାତ୍ମକ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସମାଜର ପ୍ରତ୍ୟେକ ବର୍ଗଙ୍କଠାରୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି।
  • ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସୁରୁଖୁରୁରେ ବିନା ପ୍ରତିବନ୍ଧକରେ ଅବ୍ୟାହତ ରହିବ। ଏଥି ପ୍ରତି ଜନସାଧାରଣ ବିଚଳିତ ବା ଆତଙ୍କିତ ନ ହେବାକୁ ରାଜ୍ୟ ସରକାର ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
  • କୋଭିଡ୍-୧୯ ସଂକ୍ରମଣକୁ ପ୍ରତିରୋଧ କରିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର କରିଥିବା ଉଦ୍ୟମକୁ ସମର୍ଥନ କରି ଏକ ଦାୟିତ୍ୱସଂପନ୍ନ ସରକାରୀ ଉଦ୍ୟଗୋ ଭାବେ ଓଡ଼ିଶା ଖଣି ନିଗମ ୫୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି।
  • ରାଜ୍ୟରେ କୋଭିଡ୍-୧୯କୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ସ୍ବରୂପ ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩୦ ଜିଲ୍ଲା ପାଇଁ ୪୪.୫୦ କୋଟି ଟଙ୍କା ପ୍ରତ୍ୟେକ ଜିଲ୍ଲା ରେଡକ୍ରସ୍‌ ପାଣ୍ଠିକୁ ପ୍ରଦାନ କରାଯାଇଛି।
  • ଓଡ଼ିଶା ରାଜ୍ୟ ଔଷଧ ନିଗମ ଶୀଘ୍ର ଔଷଧ ଓ ମେଡ଼ିକାଲ୍ ଉପକରଣ ଯୋଗାଉଥିବା ସଂସ୍ଥାଗୁଡିକ ପାଇଁ ଆଗୁଆ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ସପ୍ତାହକ ମଧ୍ୟରେ ଯୋଗାଣ ପାଇଁ  ୫୦ ପ୍ରତିଶତ, ୧୫ ଦିନ ମଧ୍ୟରେ ଯୋଗାଣ ପାଇଁ ୨୫ ପ୍ରତିଶତ ଓ ମାସକ ମଧ୍ୟରେ ଯୋଗାଣ ପାଇଁ ୧୦ ପ୍ରତିଶତ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଅନୁରୂପ ଭାବରେ ଉପକରଣ ପରିବହନ ବାବଦରେ ସମସ୍ତ ଖର୍ଚ୍ଚ ସମେତ ସମସ୍ତ ପ୍ରାପ୍ୟ ୨୪ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ ବୋଲି ସୁନିଶ୍ଚିତ ହୋଇଛି।
  • ଲକ୍ ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ କରୁଥିବା ମାଲବାହୀ ଯାନବାହନଗୁଡ଼ିକର ଚଳାଚଳ ଅବ୍ୟାହତ ରହିବ।
  • ଓଡ଼ିଶାର ଶିଳ୍ପୋଦ୍ୟୋଗୀଗୁଡ଼ିକୁ ଆବଶ୍ୟକ ମେଡିକାଲ୍ ଉପକରଣ ଯଥା-ପୋର୍ଟେବୁଲ୍ ଭେଣ୍ଟିଲେଟର୍‌, ମାସ୍କ ଏବଂ ସାନିଟାଇଜର ଇତ୍ୟାଦି ପ୍ରଦାନ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ୍‌ଫାର୍ମର୍ସ ଫଟିଲାଇଜର୍‌ କୋପରେଟିଭ୍ (ଇଫ୍‌କୋ) ଏ ଦିଗରେ ପ୍ରଥମେ ପଦକ୍ଷେପ ନେଇ ଆବଶ୍ୟକୀୟ ମେଡିକାଲ୍ ଉପକରଣ ଯୋଗାଇଛନ୍ତି।
  • ରାଜ୍ୟ ବାହାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସମୁଦାୟ ୭୮ ହଜାର ୨୩୩ ଜଣ ବ୍ୟକ୍ତି ଆସିଛନ୍ତି। ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୧୧ ହଜାର ୮୪ ଜଣ ବ୍ୟକ୍ତି ଆସିଥିବାବେଳେ ବାଲେଶ୍ୱରକୁ ୬୪୪୨ ଜଣ ବ୍ୟକ୍ତି ଆସିଛନ୍ତି। କଳାହାଣ୍ଡି ଓ ଫୁଲବାଣୀ ଜିଲ୍ଲାକୁ ଯଥାକ୍ରମେ ୪୪୪୮ ଓ ୪୩୦୬ ଜଣ ବ୍ୟକ୍ତି ଆସିଛନ୍ତି।
  • ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସ୍ବତଃପ୍ରବୃତ୍ତ ଭାବରେ ୧୪ ଦିନ ନିମନ୍ତେ ସଙ୍ଗରୋଧରେ ରହିବାକୁ ବୁଝାଇବା ପାଇଁ ଗ୍ରାମପଞ୍ଚାୟତ ସରପଞ୍ଚମାନଙ୍କୁ ନିର୍ଦେଶ ଦିଆଯାଇଛି। ଏ ବାବଦରେ ସମସ୍ତ ପଞ୍ଚାୟତ ସମିତି ଓ ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ ମଧ୍ୟ ଅନୁରୂପ ନିର୍ଦେଶ ଦିଆଯାଇଛି।
  • ପ୍ରାଣୀସମ୍ପଦ ବିଭାଗୀୟ ସେବାକୁ ଅତ୍ୟାବଶ୍ୟକ ସେବା ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଆଜିଠାରୁ ଏହି ସେବା ଲକ୍ ଡାଉନ୍‌ ସମୟରେ କଟକଣାମୁକ୍ତ ରହିବ।
  • ବୁଧବାର ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୩୩ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୧୨୯ଟି ନମୁନାର ରିପୋର୍ଟ ହସ୍ତଗତ ହୋଇଛି। ୪ଟି ନମୁନାର ରିପୋର୍ଟ ହସ୍ତଗତ ହୋଇନାହିଁ। ଏ ପର୍ଯ୍ୟନ୍ତ ୨ଟି ପଜିଟିଭ୍ ରହିଥିବାବେଳେ ଆଉ କୌଣସି ନୂଆ ପଜିଟିଭ୍ ଚିହ୍ନଟ ହୋଇନାହିଁ। 
  • ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଉଭୟ ହସ୍ପିଟାଲ୍‌ରେ ଦିଆ ଯାଉଥିବା ଖାଦ୍ୟ ଖାଉଛନ୍ତି।
  • ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୫ ଜଣ ଆସିଥିବା ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରୁ ୫୫ ଜଣଙ୍କ ସହ ଯୋଗାଯୋଗ ହୋଇଛି।
  • ଭୁବନେଶ୍ୱରରେ ୧୦ଟି ମନଟରିଂ ଟିମ୍ ସମେତ ସାରା ରାଜ୍ୟରେ ୧୦୦ଟି  ମନିଟରିଂ ଟିମ୍ ଏଥିପାଇଁ କାର୍ଯ୍ୟ କରୁଛନ୍ତି।
  • ବର୍ତ୍ତମାନ ସୁଦ୍ଧା ୪୦୧୫ ଜଣ ୧୦୪ ହେଲ୍‌ପ ଲାଇନ୍‌ ଏବଂ ପୋର୍ଟାଲ୍ ଜରିଆରେ ପଞ୍ଜୀକରଣ କରିଛନ୍ତି।
  • କୋଭିଡ୍-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୬ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍‌ରେ ରଖାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ