ଭାରତରେ କୋରାନା ଭୂତାଣୁ ଆକ୍ରାନ୍ତଙ୍କ ସଂଖା ୬ ଶହ ଟପିଲା


ନୂଆଦିଲ୍ଲୀ: ବୁଧବାର ଭାରତରେ କୋରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖା ୬ ଶହ ଟପିଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ବୁଧବାର ସନ୍ଧା ସୁଦ୍ଧା ଦେଶରେ ୬୧୨ ଜଣ ଘାତକ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। କେବଳ ମହାରାଷ୍ଟ୍ରରେ ଏହି ସଂଖା ୧୦୦କୁ ଅତିକ୍ରମ କରିଛି। ଏଠାରେ ଏବେ ସୁଦ୍ଧା ସର୍ବାଧିକ ୧୧୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ କେରଳ ୧୦୯ ଜଣ ଆକ୍ରାନ୍ତଙ୍କ ସହ ଦ୍ବିତୀୟ ସ୍ଥାନରେ ରହିଛି।  ୬୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୬୨ ଜଣ ଚିକିତ୍ସାଧୀନ ଥିବା ବେଳେ ୪୦ ଜଣ ସୁସ୍ଥତା ଲାଭ କରିସାରିଛନ୍ତି। ସେହିପରି ଦେଶରେ କୋରୋନା ମୃତ୍ୟୁସଂଖା ୧୦ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ତାମିଲନାଡ଼ୁରେ ଜଣେ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ଏହାର ରାଜ୍ୟର ପ୍ରଥମ ମୃତ୍ୟୁ ଘଟଣା। ସେହିପରି ଦିଲ୍ଲୀରେ ଗତ ମଙ୍ଗଳବାର କୌଣସି ଆକ୍ରାନ୍ତ ସାମ୍ନାକୁ ଆସି ନ ଥିଲେ ହେଁ ବୁଧବାର ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୫ ଜଣ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ କେବଳ ଜଣେ ବିଦେଶରୁ ଫେରିଥିବା ବେଳେ ଅବଶିଷ୍ଟ ୪ ଜଣ ତାଙ୍କ ପରିବାରର ଲୋକ କି ତାଙ୍କ ସଂସ୍ପର୍ଶରେ ଆସିଥିବା ବାହାର ଲୋକ, ସେନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ବିଶେଷ କିଛି ସୂଚନା ଦେଇନାହାନ୍ତି। କିନ୍ତୁ ଲୋକମାନଙ୍କୁ ଘରେ ରହିବାକୁ ସେ ପୁନର୍ବାର ନିବେଦନ କରିଛନ୍ତି। ଏଥିସହ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖା ୨୩ରେ ପହଞ୍ଚିଛି। ତା’ଛଡ଼ା ଏଠାରେ କେବଳ ଜଣେ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ରାଜଧାନୀରେ ଆଉ ଜଣେ ଲୋକ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ଓ ଭିନ୍ନ କିଛି କାରଣ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିପରି ଆଗାମୀ ଦିନରେ କୋରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା କରିବା ସକାଶେ ବିଭିନ୍ନ ରାଜ୍ୟ ସରକାର ସ୍ବତନ୍ତ୍ର ବନ୍ଦୋବସ୍ତ ଆରମ୍ଭ କରିଦେଇଛନ୍ତି। ହିମାଚଳ ପ୍ରଦେଶ ଏନ୍ଆଇଟିର ୧୦ଟି ହଷ୍ଟେଲ୍‌ରେ ୨ ହଜାର ବେଡ୍ ପ୍ରସ୍ତୁତ କରିଛି। ସେହିପରି କୋଲ୍‌କାତାର ଏକ ସରକାରୀ ହସ୍ପିଟାଲ୍‌ରେ ୨ ହଜାର ୨ ଶହ ବେଡ୍ ଥିବା ବେଳେ ସେଠାରେ ଭିନ୍ନ କୌଣସି ରୋଗ ଥିବା ରୋଗୀଙ୍କୁ ଆଡମିଟ୍ କରାଯାଉନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ