୨୦୨୧ ଜନଗଣନା ଏବଂ ଏନ୍‌ପିଆର ସଂଶୋଧନ ବନ୍ଦ


ଭୁବନେଶ୍ବର: କୋରୋନା ଭୂତାଣୁ ସଂକ୍ରମଣ ଜନିତ ମହାମାରୀ ବ୍ୟାପିବା କାରଣରୁ ୨୦୨୧ ଜନଗଣନା ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ସଂଶୋଧନର ପ୍ରଥମ ପର୍ଯ୍ୟାୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଏପ୍ରିଲ୍‌ ପହିଲା ୨୦୨୦ ଠାରୁ ବିଭିନ୍ନ ତାରିଖରେ ଜନଗଣନା ଏବଂ ଏନ୍‌ପିଆର୍‌ ସଂଶୋଧନ ଆରମ୍ଭ ହେବାର ଥିଲା।

ସୂଚନାଯୋଗ୍ୟ ଯେ ଦୁଇଟି ପର୍ଯ୍ୟାୟରେ ୨୦୨୧ ଜନଗଣନା ଲାଗି କାର୍ଯ୍ୟକ୍ରମ ଚୁଡ଼ାନ୍ତ କରାଯାଇଥିଲା। ଏପ୍ରିଲ୍‌ରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ଘର ତାଲିକା ଏବଂ ଘର ଗଣନା ହୋଇଥାନ୍ତା। ସେହିପରି ୯ ରୁ ୨୮ ଫେବ୍ରୁଆରୀ ୨୦୨୧ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହୋଇଥାନ୍ତା। ସେହିପରି ଆସାମକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଜନଗଣନା ୨୦୨୧ର ପ୍ରଥମ ପର୍ଯ୍ୟାୟରେ ଏନ୍‌ପିଆର ସଂଶୋଧନ କରାଯିବାକୁ ଚୂଡ଼ାନ୍ତ ହୋଇଥିଲା। ମାତ୍ର କୋଭିଡ୍‌-୧୯ ମହାମାରୀ ବ୍ୟାପିବା କାରଣରୁ ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ପକ୍ଷରୁ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି।

ଦେଶରେ କୋଭିଡ୍‌-୧୯ ମହାମାରୀ ରୋକିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ଆବଶ୍ୟକ ପଦକ୍ଷେପକୁ କଡ଼ାକଡ଼ି ଭାବେ ଲାଗୁ କରିବା ଲାଗି ୨୪ ମାର୍ଚ୍ଚ, ୨୦୨୦ରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କଡ଼ା ନିର୍ଦେଶନାମା ଜାରି କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ମଧ୍ୟ ସମାନ ପ୍ରତିବନ୍ଧକ ଜାରି କରାଯାଇଛି। ସାମାଜିକ ଦୂରତା ରକ୍ଷା ସମେତ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏସବୁକୁ ଦୃଷ୍ଟିରେ ରଖି ୨୦୨୧ ଜନଗଣନାର ପ୍ରଥମ ପର୍ଯ୍ୟାୟକୁ ଘୁଞ୍ଚାଇ ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ