କାବୁଲରେ ଶିଖ୍ ଧର୍ମପୀଠ ଉପରେ ଆକ୍ରମଣ: ୨୫ ନିହତ, ୧୦ ଆହତ


କାବୁଲ୍: ଆଫଗାନିସ୍ତାନରେ ବୁଧବାର ରାଜଧାନୀ କାବୁଲସ୍ଥିତ ଏକ ଶିଖ୍ ଧର୍ମପୀଠରେ କେତେକ ଆତ୍ମଘାତୀ ଆକ୍ରମଣକାରୀ ଗୁଳିକାଣ୍ଡ ଘଟାଇବା ଫଳରେ ୨୫ ଜଣ ନିହତ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀମାନେ ଲଗାତାର ଗୁଳି ବର୍ଷଣ କରିଚାଲିଥିବା ବେଳେ ସୁରକ୍ଷାକର୍ମୀମାନେ ଏହାର ଜବାବ ଦେଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ପାଖାପାଖି ୬ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା। ଏହି ଆକ୍ରମଣ ପାଇଁ ଇସଲାମୀୟ ଆତଙ୍କୀ ସଂଗଠନ ଆଇଏସ୍ ନିଜକୁ ଦାୟୀ କରିଛନ୍ତି। ଏହି ଆତଙ୍କୀ ସଂସ୍ଥା ପକ୍ଷରୁ ଆଫଗାନ୍ ମିଡିଆକୁ ଦିଆଯାଇଥିବା ସୂଚନାରେ ଏହା ଦାବି କରାଯାଇଛି।

ମିଳିଥିବା ରିପୋର୍ଟ ଅନୁସାରେ, ଆଇଏସ୍ ଆତଙ୍କୀମାନେ କାବୁଲ୍ର ଶୋର୍ ବାଜାରସ୍ଥିତ ଧର୍ମଶାଳା ଉପରେ ଅଚାନକ ଗୁଳି ଚଳାଇଥିଲେ। ଏଠାରେ ଅଧିକ ମାତ୍ରାରେ ହିନ୍ଦୁ ଓ ଶିଖ୍ ଧର୍ମାବଲମ୍ବୀ ବସବାସ କରିଆସୁଛନ୍ତି। ବୁଧବାର ସ୍ଥାନୀୟ ସମୟ ଭୋର୍ ୭ଟା ୪୫ ମିନିଟରେ ଏହି ଗୁଳିଗୋଳା ବିନିମୟ ଆରମ୍ଭ ହୋଇଥିଲା। ନିହତ ହୋଇଥିବା ଲୋକଙ୍କ ସୂଚୀରେ ୪ ଜଣ ଆଇଏସ୍ ଆତଙ୍କୀ ମଧ୍ୟ ସାମିଲ୍ ଥିବା ଜଣାପଡ଼ିଛି। ଦେଶର ଆଭନ୍ତରୀଣ ମନ୍ତ୍ରାଳୟ ମୁଖପାତ୍ର ତାରିକ୍ ଆରିଆନ୍ କହିଛନ୍ତି ଯେ ଆକ୍ରମଣ ଦାଉରୁ ଆଫଗାନ୍ ସ୍ପେଶାଲ୍ ଫୋର୍ସ ପକ୍ଷରୁ ଘଟଣାସ୍ଥଳରୁ ମହିଳା ଓ ଶିଶୁ ସମେତ ୮୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି। ସେହିପରି ଆଫଗାନ୍ ସାଂସଦ ନରେନ୍ଦର ସିଂହ ଖାଲସାଙ୍କ କହିବାନୁସାରେ, ଆକ୍ରମଣ ବେଳେ ଉକ୍ତ ଧର୍ମପୀଠରେ ଦେଢ଼ ଶହରୁ ଊର୍ଦ୍ଧ୍ବ ଶିଖ୍ ଧର୍ମାବଲମ୍ବୀ ଧର୍ମଶାଳାରେ ପ୍ରାର୍ଥନା କରୁଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ