ଲକ୍‌ଡାଉନ୍‌ ବେଳେ ୮୦ କୋଟି ଲୋକଙ୍କୁ ରିହାତି ଦରରେ ଚାଉଳ ଓ ଗହମ


ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଙ୍ଗଳବାର କୋରୋନା ଭୂତାଣୁର ଭୟାବହତାକୁ ନିୟନ୍ତ୍ରଣ କରିବା ସକାଶେ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଏହି ସମୟରେ ୮୦ କୋଟି ଲୋକଙ୍କୁ ରିହାତି ଦରରେ ଚାଉଳ ଓ ଗହମ ଯୋଗାଇ ଦିଆଯିବ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ, ଉପରୋକ୍ତ ପରିମାଣର ଜନସାଧାରଣ ଲକ୍‌ଡାଉନ୍‌ ବେଳେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ୨୭ ଟଙ୍କାରେ ମିଳୁଥିବା ଗହମ କିଲୋ ପିଛା ୨ ଟଙ୍କାରେ ଓ ୩୭ ଟଙ୍କା ଦରରେ ମିଳୁଥିବା ଚାଉଳକୁ ମାତ୍ର ୩ ଟଙ୍କାରେ ଯୋଗାଇ ଦିଆଯିବ। ବୈଠକରେ ମୋଦି ପୁଣିଥରେ ସାମାଜିକ ଦୂରତା ରକ୍ଷା ସହ ଦେଶର ପ୍ରତିଟି ଜନସାଧାରଣ ନିଜର ସୁରକ୍ଷା ବିଷୟରେ ଚିନ୍ତା କରିବା ଉଚିତ ବୋଲି କହିଛନ୍ତି।

ବୈଠକରେ ଉପସ୍ଥିତ ଥିବା ସବୁ ବିଭାଗର ମନ୍ତ୍ରୀମାନେ ଲକ୍‌ଡାଉନ୍‌ ବେଳେ ଯେପରି ଜନସାଧାରଣ କିଛି ବି ଅସୁବିଧାରେ ନ ପଡ଼ିବେ, ସେଥିନେଇ ନିଜର ମତାମତ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରତିଟି ବିଭାଗକୁ ଆଗାମୀ ୨୧ ଦିନରେ ଜନସାଧାରଣଙ୍କ ଅସୁବିଧା ବୁଝିବା ଓ ତା’ର ସମାଧାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି। କାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଦେଶର ୧୩୦ କୋଟି ଜନତାଙ୍କ ମଙ୍ଗଳ ପାଇଁ ତିନି ସପ୍ତାହ ସକାଶେ ଲକଡାଉନ ଘୋଷଣା କରିଛନ୍ତି। ଏହାକୁ ଦେଶବାସୀ ମଧ୍ୟ ବେଶ୍ ଖୁସି ମନରେ ସ୍ବାଗତ କରିଛନ୍ତି। ଲକଡାଉନ ସମୟରେ ପ୍ରତିଟି ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ଜାଭଡେକର କହିଛନ୍ତି। ବୈଠକରେ ୨୨ କିମି ଲମ୍ବବିଶିଷ୍ଟ ଆଲିଗଡ଼-ହରଦୁଆଗଞ୍ଜ ଫ୍ଲାଇଓଭର୍ ନିର୍ମାଣ ସଂକ୍ରାନ୍ତ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହି ଫ୍ଲାଇଓଭର୍‌ର ନିର୍ମାଣ କାର୍ଯ ଆସନ୍ତା ୫ ବର୍ଷ ଭିତରେ ଶେଷ ହେବାର ଯୋଜନା ରହିଛି।   

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ