କୋରୋନା ଚିକିତ୍ସାରେ ବ୍ୟବହୃତ ହେଉଛି ୮ ପ୍ରମୁଖ ଔଷଧ


କୋରୋନା ଚିକିତ୍ସାରେ ବ୍ୟବହୃତ ହେଉଛି ୮ ପ୍ରମୁଖ ଔଷଧ
ଓ୍ବାଶିଂଟନ: କୋରୋନା ସଂକ୍ରମିତଙ୍କ ଚିକିତ୍ସା କୌଣସି ଏକ ନିର୍ଦ୍ଦିଷ୍ଟ ଔଷଧରେ ସମ୍ଭବ ହୋଇପାରୁ ନାହିଁ। ଜଣକ ପାଇଁ ସଫଳ ରହିଥିବା ଔଷଧ ଅନ୍ୟ ଜଣେ ସଂକ୍ରମିତଙ୍କଠାରେ ବିଫଳ ରହୁଛି। ସମ୍ପ୍ରତି କୋରୋନା ସଂକ୍ରମିତଙ୍କ ପାଇଁ ଆଣ୍ଟିଭାଇରାଲ, ଆଣ୍ଟିବଡ଼ି ଏବଂ ଆଣ୍ଟି-ଇନଫ୍ଲାମେଟରୀ ଆଦି ପ୍ରାୟ ୮ ପ୍ରକାର ଔଷଧର ଉପଯୋଗ କରାଯାଉଛି। ସେଥିମଧ୍ୟରେ ଫାଭିପିରାଭିର୍‌ ଜାପାନରେ ୩୪୦ ସଂକ୍ରମିତଙ୍କ କ୍ଷେତ୍ରରେ ବେଶ୍‌ ସଫଳ ରହିପାରିଛି। ଏହାକୁ ଫୁଜି ଫିଲ୍ମ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ଔଷଧ ବ୍ୟବହାର କରାଯିବାର ୪ ଦିନ ପରେ ସଂକ୍ରମିତଙ୍କ ଫୁସଫୁସ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରୁଛି। ତେବେ ଏହାକୁ ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଫଳରେ ଅନ୍ୟ ରୋଗୀଙ୍କ ଲାଗି ଔଷଧ ଚୟନରେ ଅସୁବିଧା ଦେଖାଦେଉଛି।

ସେହିପରି କେତେକ କ୍ଷେତ୍ରରେ ଏସିଟାମ୍ରା ଔଷଧର ବ୍ୟବହାର କରାଯାଉଛି। ଏହାକୁ ସୁଇଜରଲାଣ୍ଡର କମ୍ପାନୀ ରୋକେ ପ୍ରସ୍ତୁତ କରୁଛି। ଏହା ସମ୍ପ୍ରତି ପ୍ରସ୍ତୁତିର ତୃତୀୟ ଷ୍ଟେଜ୍‌ରେ ରହିଛି। କୋରୋନା ଚିକିତ୍ସା କ୍ଷେତ୍ରରେ ହାଇଡ୍ରକ୍ସି କ୍ଲୋରୋକ୍ୱିନ୍‌ର ମଧ୍ୟ ଉପଯୋଗ କରାଯାଉଛି। ୧୯୩୪ରେ ଏହାକୁ ମ୍ୟାଲେରିଆ ଚିକିତ୍ସା ଲାଗି ପ୍ରସ୍ତୁତ କରାଯାଇଥିଲା। ତେବେ ଏହା କୋରୋନା ସଂକ୍ରମିତଙ୍କ ଚିକିତ୍ସାରେ ବେଶ୍‌ ସଫଳ ରହିପାରିଛି। ଚୀନରେ ଏହାକୁ ସଂକ୍ରମିତଙ୍କ ଲାଗି ବ୍ୟବହାର କରାଯାଉଛି। ସେହିପରି ଆମେରିକା କମ୍ପାନୀ ଗିଲେଡ୍‌ ସାଇନ୍ସେସ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ରେମଡିସିଭିର କୋରୋନା ସଂକ୍ରମିତଙ୍କ ପାଇଁ ବ୍ୟବହୃତ ହେଉଛି। ଏହା କୋରୋନା ଭୂତାଣୁର ବିଜନ ପ୍ରକ୍ରିୟାକୁ ରୋକିବାରେ ସଫଳ ହୋଇପାରୁଛି। ଇତିମଧ୍ୟରେ ୧୦୦୦ଜଣ ସଂକ୍ରମିତଙ୍କଠାରେ ଏହାର ପ୍ରୟୋଗ କରାଯାଇଛି। ଏହାର ସଫଳତା ରିପୋର୍ଟ ଏପ୍ରିଲ୍‌ ଶେଷ ସୁଦ୍ଧା ଜଣାପଡ଼ିବ ବୋଲି କୁହାଯାଉଛି। ଡେଙ୍ଗୁ ଲାଗି ପ୍ରସ୍ତୁତ କରାଯାଇଥିବା ଇଣ୍ଟରଫେରୋନ୍‌ ଆଲ୍‌ଫା-୨-ବି ଔଷଧକୁ କୋରୋନା ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଉଛି। ଏହାକୁ କ୍ୟୁବାର ଚେଞ୍ଜେବର କମ୍ପାନୀ ୧୯୮୧ରେ ପ୍ରସ୍ତୁତ କରିଥିଲା। ଚୀନ ସରକାର କୋରୋନା ଚିକିତ୍ସା ପାଇଁ ଏହି ଔଷଧର ପ୍ରୟୋଗ ଅନୁମତି ଦେଇଛନ୍ତି। ଆମେରିକାରେ କେଭଜାରା ଔଷଧକୁ ୪୦୦ରୁ ଅଧିକ ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଇଛି। ଏହା ଅନୁଧ୍ୟାନର ଦ୍ୱିତୀୟ ଏବଂ ତୃତୀୟ ଷ୍ଟେଜ୍‌ରେ ରହିଛି। ଏହା ରୋଗ ପ୍ରତିରୋଧକାରୀ ଶକ୍ତି ବୃଦ୍ଧି କରାଇବାରେ ସକ୍ଷମ ହେଉଛି।

ସେହିପରି ଏମ୍‌-ଆର୍‌ଏନ୍‌ଏ-୧୨୭୩ ଔଷଧ ୪୫ ଜଣ ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଇ ବେଶ୍‌ ସଫଳତା ମିଳିପାରିଛି। ଏହାର ବ୍ୟବହାର ଦ୍ୱାରା ସଂକ୍ରମିତଙ୍କ ଶରୀରରେ କୋରୋନା ଭୂତାଣୁ ବିରୋଧରେ କାର୍ଯ୍ୟ କରୁଥିବା ଆଣ୍ଟିବଡ଼ି ପ୍ରସ୍ତୁତ ହୋଇପାରୁଛି ବୋଲି ଏହାର ନିର୍ମାତା କମ୍ପାନୀ ମୋଡେର୍ନା ଥେରାପିକ୍‌ ପକ୍ଷରୁ କୁହାଯାଇଛି। ଏହା ବର୍ଷେ ପରେ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି। ଏଡି-୫-ଏନ୍‌-ସିଓଭି ଔଷଧ ବ୍ୟବହାର ଦ୍ୱାରା ସଂକ୍ରମିତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି ବୋଲି କାନସିନୋ ବାୟୋଲୋଜି ପକ୍ଷରୁ କୁହାଯାଇଛି। ଏହାର ପରୀକ୍ଷାକୁ ଚୀନ ସରକାର ଅନୁମତି ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ