ଲକ୍‌ଡାଉନ୍‌ ସତ୍ତ୍ବେ କେତେକ ସ୍ଥାନରେ ଭିଡ଼ ପରିସ୍ଥିତି


କୋରୋନା ମୁକାବିଲା ପାଇଁ ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଥିବାବେଳେ ମାର୍ଚ୍ଚ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ୫ଟି ଜିଲ୍ଲା ଓ ୧୧ଟି ସହରକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ ଗତକାଲି ଲୋକମାନେ ସ୍ବତଃପ୍ରବୂତ ଭାବେ ଜନତା କର୍ଫ୍ୟୁ ପାଳନ କରିଥିବା ବେଳେ ଲୋକମାନେ ଘରୁ ବାହାରି ନ ଥିଲେ। ନିଜ ନିଜ ଘର ଭିତରେ ରହିଥିଲେ। ମାତ୍ର ଆଜି ଲକ୍‌ଡାଉନ୍‌ ସତ୍ତ୍ବେ କେତେକ ସ୍ଥାନରେ ଭିଡ଼ ପରିଲକ୍ଷିତ ହୋଇଥିବା ନଜରକୁ ଆସିଛି। ଲୋକମାନେ ଘରୁ ବାହାରିଥିବା ବେଳେ ସଉଦା ଦୋକାନ ଓ ପରିବା ହାଟରେ ଗହଳି ହୋଇଛି। ତେବେ କେତେକ ଲୋକ ଅନାବଶ୍ୟକ କାମରେ ମଧ୍ୟ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ଫଳରେ ଭୁବନେଶ୍ବରର କେତେକ ସ୍ଥାନରେ ଭିଡ଼ ପରିଲକ୍ଷିତ ହୋଇଥିଲା।

ପୋଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ଯାଞ୍ଚ କରାଯାଉଥିଲା। ଯେଉଁମାନେ ବିନା କାରଣରେ ଘରୁ ବାହାରିଥିଲେ ସେମାନଙ୍କୁ ଫେରାଇ ଦିଆଯାଉଥିଲା। ଡମଣା, ଜୟଦେବ ବିହାର, ନାଲକୋ ଛକ, ଆଚାର୍ଯ୍ୟ ବିହାର ଭଳି ଛକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସେଠାରେ ପୋଲିସ୍‌ ପକ୍ଷରୁ ସମସ୍ତଙ୍କୁ ଯାଞ୍ଚ କରାଯାଉଛି। କାହିଁକି ଲୋକେ ବହାରକୁ ବାହାରିଛନ୍ତି ତାକୁ ନେଇ ଯାଞ୍ଚ ପରେ ଲୋକଙ୍କୁ ଛଡ଼ା ଯାଉଛି। କିଛି ଲୋକେ ବିନା କିଛି କାମରେ ବାହାରୁଥିବା ବେଳେ ତାଙ୍କୁ ପୋଲିସ୍ ପୁଣି ଥରେ ଘରକୁ ଫେରାଇ ଦେଉଥିବା ଦେଖିବାକୁ ମିଳିଛି । ତେବେ କିଛି ଲୋକେ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବା ପାଇଁ ବାହାରୁଥିବା କହିଛନ୍ତି। ସେହିପରି ଯେଉଁ ରାସନ ଦୋକାନ କିମ୍ବା ଫଳ ଦୋକାନରେ ଭିଡ଼ ହେଉଛି, ସେଗୁଡିକୁ ମଧ୍ୟ ବନ୍ଦ କରିବା ପାଇଁ କୁହାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନୀ ମାନଙ୍କୁ ଭିଡ଼ କମାଇବା କୁହାଯାଇଛି। ଏହି ସମୟରେ ଯେପରି ଭିଡ଼ ନହୁଏ ସେଥିପାଇଁ ପୋଲିସ୍‌ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଅନ୍ୟପକ୍ଷରେ ରାସ୍ତାରେ ପଥଚାରୀଙ୍କୁ ଅନାବଶ୍ୟକଥିଲେ ଘରୁ ନ ବାହିରାବା ପାଇଁ ପୋଲିସ୍‌ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। ସେହିପରି ଯାଜପୁର, ସମ୍ବଲପୁର ସମେତ ଅନ୍ୟ କେତେକ ସ୍ଥାନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଲକ୍‌ଡାଉନ୍‌ ବେଳେ ରାଜଧାନୀକୁ ଜଗିଛନ୍ତି ୫୦ ପ୍ଲାଟୁନ୍‌ ଫୋର୍ସ। ଏମାନଙ୍କୁ ତଦାରଖ କରିବାକୁ ୩୫୦ ଜଣ ପୋଲିସ୍‌ ଅଫିସର ଦାୟିତ୍ବରେ ରହିଛନ୍ତି। ସହରର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରାଯାଇଛି। ରାଜଧାନୀର ରାସ୍ତାଘାଟ, ବିଭିନ୍ନ ଛକ, ହସ୍ପିଟାଲ, ସମ୍ବେଦନଶୀଳ ସ୍ଥାନ, ଗୁରୁତ୍ୱପୂର୍ଣ୍ଣ ଅଫିସ ବାହାରେ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏହାଛଡ଼ା ପ୍ରତି ଥାନାର ଦୁଇଟି ପୋଲିସ୍‌ ଭ୍ୟାନ୍‌ ଓ ୪୫ ପିସିଆର ଭ୍ୟାନ୍‌ ସହର ସାରା ପଇଁତରା ମାରୁଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପୋଲିସ୍‌ ସେବା ଭବନ ଗୋଟିଏ ଓ ରିଜର୍ଭ ବାଟାଲିଅନ୍‌ରେ ପୋଲିସ୍‌ ଫୋର୍ସ ସଜାଗ ରହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ