ବ୍ୟାଧିରେ ବେହାଲ ଅର୍ଥନୀତି

ସବୁ ହିସାବ କିତାବ ଓଲଟପାଲଟ କରିଦେଲାଣି କୋରୋନା

ପ୍ରାଣଘାତୀ କୋରୋନା ଭୂତାଣୁ ଚୀନରେ ସଂହାରଲୀଳା ଚଳାଇବା ସହ ଏହାର ଅର୍ଥନୀତିକୁ ଦୋହଲାଇ ଦେଇଛି। ଇଟାଲୀରେ ମଧ୍ୟ ଏହାର ଆତଙ୍କ ଚୀନ ଠାରୁ ବଳିଗଲାଣି। କୋରୋନା ଭୂତାଣୁ ସଂକ୍ରମଣ ଭୟରେ ଚୀନର ଅଧିକାଂଶ ବଡ଼ ବଡ଼ ସହରରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହୋଇଯାଇଛି। ବିଶେଷକରି ଚୀନରୁ ସାମଗ୍ରୀ ଆମଦାନି ଉପରେ ଅନେକ ରାଷ୍ଟ୍ର କଟକଣା ଜାରି କରିଥିବାରୁ ଏହାର ଶିଳ୍ପ ଉତ୍ପାଦ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି କ୍ରମରେ ଚୀନରୁ ଇଲେକ୍ଟ୍ରୋନିକ୍ସ, ଟେଲିକମ ସାମଗ୍ରୀ, ଔଷଧୀୟ ଦ୍ରବ୍ୟ, ଜୈବିକ ରସାୟନ ଏବଂ ଦୁଗ୍‌ଧ ପ୍ରକ୍ରିୟାକରଣ ପାଇଁ ଆବଶ୍ୟକ ଶିଳ୍ପ ଯନ୍ତ୍ରପାତି ଏବଂ କମ୍ପ୍ୟୁଟର ଯନ୍ତ୍ରାଂଶ ଇତ୍ୟାଦି ୫ ପ୍ରକାର ସାମଗ୍ରୀ ଆମଦାନି ଉପରେ ଭାରତ କଟକଣା ଜାରି କରିଛି। ତେଣୁ ଏହିସବୁ କ୍ଷେତ୍ରରେ ମଧ୍ୟ ସମ୍ପ୍ରତି ଭାରତୀୟ ବଜାର ପ୍ରଭାବିତ ହେବାର ଦେଖାଦେଇଛି।

ରିପୋର୍ଟ ଅନୁସାରେ ୨୦୧୭ ମସିହାରେ ଭାରତ ଆମଦାନି କରୁଥିବା ଏସବୁ ସାମଗ୍ରୀର ୪୨ ପ୍ରତିଶତ କେବଳ ଚୀନରୁ ହିଁ ଆଣିଛି। ଭାରତ ଚୀନରୁ ପ୍ରତିବର୍ଷ ୩ ପ୍ରତିଶତ ପ୍ରାୟ ୧.୫ ବିଲିଅନ ଡଲାର ମୂଲ୍ୟର ଔଷଧ ଏବଂ ଔଷଧୀୟ ସାମଗ୍ରୀ କ୍ରୟ କରୁଛି। ଟ୍ରେଡ ପ୍ରମୋସନ କାଉନସିଲ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଭାରତର ଔଷଧ ପ୍ରସ୍ତୁତକାରୀ କମ୍ପାନୀମାନେ ଚୀନରୁ ୮୫ ପ୍ରତିଶତ ଜୀବନ୍ତ ଔଷଧୀୟ ଉପାଦାନ ଆଣୁଛନ୍ତି। କୋରୋନା କଟକଣା ଦ୍ବାରା ଏହା ଭାରତକୁ ଉଭୟ ଲାଭ ଓ କ୍ଷତି ପହଞ୍ଚାଇବ ବୋଲି ବିଶେଷଞମାନେ କହୁଛନ୍ତି। ଗୋଟିଏ ପଟରେ ଆମଦାନି କଟକଣା ଯୋଗୁ ଭାରତର ଫାର୍ମାସ୍ୟୁଟିକାଲ କମ୍ପାନୀମାନେ କ୍ଷତି ସହିବେ। ଯଦି ଅଳ୍ପ କିଛିମାସ ମଧ୍ୟରେ କୋରୋନା ଭୂତାଣୁକୁ ରୋକିବା ନ ହୁଏ, ତେବେ ଆଗାମୀ ଦିନରେ ଭାରତରେ ବହୁ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ ସମ୍ଭବ ହୋଇପାରିବ ନାହିଁ। ଫଳରେ ଭାରତରେ ସ୍ବାସ୍ଥ୍ୟସେବାରେ ଚରମ ବିଭ୍ରାଟ ଦେଖାଦେଇପାରେ। କାରଣ ଆମେରିକା ଏବଂ ସଂଯୁକ୍ତ ଆରବ ରାଷ୍ଟ୍ର ପରେ ଭାରତ ଚୀନରୁ ସର୍ବାଧିକ ପରିମାଣର ଔଷଧୀୟ ସାମଗ୍ରୀ ଆଣିଥାଏ। ଅନ୍ୟପକ୍ଷରେ ଭାରତରେ ଥିବା ଫାର୍ମା କମ୍ପାନୀ ଗୁଡ଼ିକ ଅଧିକ ପରିମାଣର ଏପିଆର ଉପଯୋଗ କରିପାରନ୍ତି ନାହିଁ। ତେଣୁ କୋରୋନା ଜନିତ କଟକଣା ପୂର୍ବରୁ ଚୀନରୁ ଯେତିକି ପରିମାଣର ଏପିଆର ଆମଦାନି ହୋଇପାରିଛି, ସେସବୁକୁ ଉପଯୋଗ କରି ଭାରତର ଫାର୍ମା କମ୍ପାନୀମାନେ ବେଶ୍‌ କିଛି ମାସ ଆଗକୁ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରିପାରିବେ। ତେଣୁ ଭାରତୀୟ ଫାର୍ମା କମ୍ପାନୀ ଗୁଡ଼ିକର ଏହି ନ୍ୟୁନ ଏପିଆର ଉପଯୋଗ କ୍ଷମତା ସାମ୍ପ୍ରତିକ ସଙ୍କଟ ସମୟରେ ସେମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି। ଏହି କଟକଣା ଯଦି ଅଧିକ ମାସ ବଳବତ୍ତର ରହେ, ତେବେ ଏହା ଭାରତରେ ଗୁରୁତର ସମସ୍ୟା ସୃଷ୍ଟି କରିବ ବୋଲି ବିଶେଷଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବିଶ୍ବରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି ହୋଇଛି। ଏହି ମହାମାରୀକୁ ନେଇ ବିଶ୍ବ ଏକ ବଡ଼ ଯୁଦ୍ଧ ଲଢ଼ୁଛି। ଦିନକୁ ଦିନ ଏହା ଅଧିକରୁ ଅଧିକ ଦେଶକୁ ଗ୍ରାସ କରୁଥିବାରୁ ସାରା ଦେଶରେ ଏବେ ସ୍କୁଲ, କଲେଜ, ଜିମ୍‌, ସିନେମା ଘର, ପାର୍କ, ମଲ ଉପରେ କଟକଣା ଜାରି କରାଯାଇଛି। ପ୍ରକୃତ ସ୍ଥିତି ଠାରୁ ଲୋକଙ୍କର ଉଦ୍‌ବେଗ ଏହାକୁ ଭୟଙ୍କର କରିଦେଇଛି। ବିଶ୍ବରେ ମୃତ୍ୟୁସଂଖ୍ୟା ୧୧,୧୮୬ ଟପିଥିବା ବେଳେ ଇଟାଲୀରେ ୪ ହଜାର ଲୋକଙ୍କ ଜୀବନ ଯାଇଛି। ଭାରତରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୨୨୩ରେ ପହଞ୍ଚିଛି। ବିଶ୍ବର ୧୮୩ଟି ଦେଶରେ ସଂକ୍ରମିତ ଲୋକଙ୍କ ଚିହ୍ନଟ ପରେ ସମ୍ପୃକ୍ତ ଦେଶଗୁଡ଼ିକରେ ସ୍ବାସ୍ଥ୍ୟ ଓ ଅର୍ଥନୀତି ଉପରେ ମାଡ଼ ପଡ଼ିଛି। ଭାରତରେ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଥିବା ବେଳେ ମୁମ୍ବାଇ, ପୁଣେ ଓ ନାଗପୁର ବନ୍ଦ ଘୋଷଣା କରାଯାଇଛି। ମାନବିକତା ପ୍ରଦର୍ଶନ ପାଇଁ ସରକାର ନିବେଦନ କରିଥିବା ବେଳେ ରବିବାର ଦିନ ସାରା ଦେଶରେ ‘ଜନତା କର୍ଫ୍ୟୁ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆହ୍ବାନ କରାଯାଇଥିବା ଜନତା କର୍ଫ୍ୟୁକୁ ପାଳନ କରିବା ପାଇଁ ରବିବାର ସମଗ୍ର ଦେଶରେ ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବେ। ବ୍ୟବସାୟ ପ୍ରତିଷ୍ଠାନ ସହିତ ଜଡ଼ିତ ୪୦ କୋଟି ଲୋକ ନିଜ ଘରେ ରହିବେ। ରାଜଧାନୀ ଦିଲ୍ଲୀରେ ରବିବାର ମାର୍ଚ୍ଚ ୨୨ ତାରିଖ ଦିନ ୧୫ ଲକ୍ଷ ବ୍ୟବସାୟୀ ଓ ସେଥିରେ ନିୟୋଜିତ ୩୫ ଲକ୍ଷ କର୍ମଚାରୀ ଜନତା କର୍ଫ୍ୟୁରେ ସାମିଲ ହେବେ। ୨୨ ତାରିଖ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁରେ ଦେଶବାସୀ ସାମିଲ ହେଲେ କୋରୋନା ସଂକ୍ରମଣକୁ ପ୍ରତିହତ ତ କରାଯାଇ ପାରିବ କିନ୍ତୁ ବ୍ୟବସାୟିକ କ୍ଷତିର ସମ୍ମୁଖୀନ ହେବାକୁ ଛାଡ଼ିଦିଆଯିବ। ଭୋର ୪ଟାରୁ ରାତି ୧୦ଟା ଯାଏ ଦେଶର ଟ୍ରେନ ଚଳାଚଳ ଠପ୍‌ ହେବ। ସାମାଜିକ ଦୂରତ୍ବ, ଧୈର୍ଯ୍ୟ ଓ ସଂଯମ ରକ୍ଷା ଦ୍ବାରା କୋରୋନାର ମୁକାବିଲା କରାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ।

ବିଶ୍ବର ପ୍ରମୁଖ ମହାମାରୀ
୧୯୧୮ ମସିହାରେ ଚୀନରୁ ଆରମ୍ଭ ହୋଇଥିଲା ସ୍ପାନିଶ ଫ୍ଲୁ। ସେଥିରେ ୫ କୋଟି ଲୋକଙ୍କ ଜୀବନ ଯାଇଥିଲା। ୧୯୫୨ରେ ପୁଣି ଚୀନରୁ ଆରମ୍ଭ ହେଲା ଏସିଆନ ଫ୍ଲୁ। ଏଥିରେ ୧୫ ଲକ୍ଷ ଲୋକଙ୍କ ଜୀବନ ଗଲା। ୧୯୬୮ ମସିହାରେ ସେହି ଚୀନରୁ ହଂକଂ ଫ୍ଲୁ ସୃଷ୍ଟି ହୋଇଥିଲା। ଏଥିରେ ୨୦ ଲକ୍ଷ ଲୋକଙ୍କ ଜୀବନ ଗଲା। ୨୦୦୯ ମସିହାରେ ମେକ୍ସିକୋରୁ ସ୍ବାଇନ ଫ୍ଲୁ ଆରମ୍ଭ ହୋଇ ୬ ଲକ୍ଷ ଲୋକଙ୍କ ଜୀବନ ନେଲା। ଏବେ ୨୦୦୯ରେ ଚୀନର କୋରୋନା ୧୦ ହଜାର ମୁଣ୍ଡ ନେଲାଣି। ଏହା ପ୍ରଭାବରେ ବିଶ୍ବର ପର୍ଯ୍ୟଟନ ଓ ମନୋରଞ୍ଜନ ଶିଳ୍ପ, ହୋଟେଲ, ଅଳଙ୍କାର, ପ୍ରସାଧନ ଶିଳ୍ପ, ଜୋତା ଓ ସ୍ବର୍ଣ୍ଣାଳଙ୍କାର ବ୍ୟବସାୟରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ