ଫାଶୀରେ ଝୁଲିଲେ ନିର୍ଭୟା ଦୋଷୀ


୨୦୧୨ରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୨୦ ତାରିଖରେ ଫାଶୀ ଦିଆଗଲା। ଫାଶୀ ପରେ ନିର୍ଭୟାର ମା ନ୍ୟାୟ ମିଳିଲା ବୋଲି ତତ୍‌କ୍ଷଣାତ ନିଜ ପ୍ରତିକ୍ରିୟାରେ ସୂଚିତ କରାଇଥିଲେ। ଦିଲ୍ଲୀର ତିହାର ଜେଲ୍‌ରେ ଭୋର ୫ଟା ୩୦ ମିନିଟ ସମୟରେ ଫାଶୀ ଦିଆଯାଇଥିଲା। ଏହାପରେ ତିହାର ଜେଲ୍‌ର ନିର୍ଦେଶକ ସନ୍ଦୀପ ଗୋୟଲ ୪ ଜଣ ଦୋଷୀ ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ କୁମାର ସିଂ ଏବଂ ପବନ ଗୁପ୍ତାଙ୍କୁ ଯାଞ୍ଚ କରି ମୃତ ଘୋଷିତ କରିଥିଲେ। ଦେଶର ଇତିହାସରେ ପ୍ରଥମ ଥର ପାଇଁ ତିହାର ଜେଲ୍‌ରେ ଏକସଙ୍ଗେ ୪ ଜଣ ଅଭିଯୁକ୍ତଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଗଲା। ଫାଶୀ ପରେ ଶବଗୁଡ଼ିକୁ ତିହାର ଜେଲ୍‌ରୁ ଦିଲ୍ଲୀର ଏକ ସରକାରୀ ହସ୍ପିଟାଲକୁ ନିଆଯାଇ ପୋଷ୍ଟମର୍ଟମ କରାଯାଇଥିଲା। ଜେଲ୍‌ ନିୟମ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ପୋଷ୍ଟମର୍ଟମ ବ୍ୟବସ୍ଥା ରହିଛି।

ଜେଲ୍‌ରେ ରହୁଥିବା ବେଳେ ଏହି ୪ ଅଭିଯୁକ୍ତ ବିଭିନ୍ନ ଶାରୀରିକ ଶ୍ରମ କରୁଥିଲେ। ଅକ୍ଷୟ ସିଂ ସବୁଠୁ ଅଧିକ ପରିଶ୍ରମ କରୁଥିଲେ। ମୁକେଶ ସିଂ କାମ ନ କରିବାର ବିକଳ୍ପ ବାଛିଥିଲେ। ପବନ ଗୁପ୍ତା ଶ୍ରମିକ ଭାବେ ଜେଲ୍‌ରେ ସାତବର୍ଷ ତିନିମାସ ରହିବା ସମୟରେ ଜେଲ୍‌ ନିୟମ ଉଲ୍ଲଂଘନ କ୍ଷେତ୍ରରେ ବିନୟକୁ ସର୍ବାଧିକ ୧୨ ଥର, ପବନକୁ ୮ ଥର, ମୁକେଶକୁ ତିନିଥର ଓ ଅକ୍ଷୟକୁ ଥରେ ସଜା ଭୋଗିବାକୁ ପଡ଼ିଥିଲା। ଜେଲ୍‌ରେ ଅକ୍ଷୟ ୬୯,୦୦୦, ବିନୟ ୩୯,୦୦୦ ଏବଂ ପବନ ୨୯,୦୦୦ ହଜାର ଟଙ୍କା ରୋଜଗାର କରିପାରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋଷୀମାନଙ୍କୁ ଫାଶୀ ଦିଆଯିବା ନ୍ୟାୟର ବିଜୟ ବୋଲି କହିଥିଲେ। ମହିଳାଙ୍କୁ ସମ୍ମାନ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଜରୁରୀ ବୋଲି ମୋଦି କହିଥିଲେ। ଆମର ନାରୀଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଆଜି ଆମେ ଏକାଠି ହୋଇ ଏଭଳି ରାଷ୍ଟ୍ର ନିର୍ମାଣ କରିବୁ, ଯାହା ମହିଳା ସଶକ୍ତିକରଣ ଉପରେ ଆଧାରିତ ଏବଂ ସମାନତା ଏବଂ ସୁଯୋଗ ଉପରେ ଆଧାରିତ ବୋଲି ମୋଦି କହିଥିଲେ। ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା କହିଥିଲେ ଯେ ଦେଶବାସୀଙ୍କ ଆଗରେ ଏକ ବଡ଼ ଉଦାହରଣ ଠିଆ କରାଗଲା। ଏଭଳି କାମ ପୂର୍ବରୁ ବି କରାଯାଇ ପାରିଥାନ୍ତା। ଦୋଷୀଙ୍କୁ ଯେ ଦଣ୍ଡ ମିଳେ ଏହି ବାର୍ତ୍ତା ସମାଜକୁ ପ୍ରଦାନ କରାଯାଇ ପାରିଛି ବୋଲି ସେ କହିଥିଲେ। ସେହିପରି ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ କହିଥିଲେ ଯେ ଏହା ଏକ ଐତିହାସିକ ଦିନ। ୭ ବର୍ଷ ପରେ ନିର୍ଭୟାକୁ ନ୍ୟାୟ ମିଳିଲା। ଦୁଷ୍କର୍ମକାରୀଙ୍କୁ ଯେ କ୍ଷମା ନାହିଁ, ଏହା ସ୍ପଷ୍ଟ ହୋଇଗଲା।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅନୁଯାୟୀ ଦୋଷୀମାନଙ୍କ ଫାଶୀ ନିର୍ଭୟାକୁ ନ୍ୟାୟ ଦେଇଛି। ବିଳମ୍ବ ହେଲା, କିନ୍ତୁ ଶେଷରେ ନ୍ୟାୟର ହିଁ ବିଜୟ ହେଲା। ମହିଳାଙ୍କ ଉପରେ ଅପରାଧ କରୁଥିବା ବ୍ୟକ୍ତିମାନଙ୍କୁ ଏହି ଦଣ୍ଡ ଏକ ସଶକ୍ତ ସୂଚନା ଦେଇଛି କି ଆଇନର ଫାଙ୍କ ଦୋଷୀଙ୍କୁ କେବେ ବି ସୁରକ୍ଷା ଦେଇପାରିବ ନାହିଁ ବୋଲି ଇରାନୀ କହିଥିଲେ।

ନିର୍ଭୟାଙ୍କ ମା’ କହିଲେ ଜାରି ରହିବ ଲଢ଼େଇ
ଫାଶୀ ପ୍ରଦାନ ପରେ ନିର୍ଭୟାଙ୍କ ମା’ ଆଶାଦେବୀ ବିଚାର ବ୍ୟବସ୍ଥାକୁ ଧନ୍ୟବାଦ ଅର୍ପଣ ପୂର୍ବକ କହିଲେ ଯେ ମୋ ଝିଅ ଆଜି ନ୍ୟାୟ ପାଇଛି। ଏଥିପାଇଁ ରାଷ୍ଟ୍ରପତି, ମିଡିଆ, ବିଚାରବ୍ୟବସ୍ଥାକୁ ଧନ୍ୟବାଦ ଦେଉଛି। ସାତବର୍ଷର ସଂଘର୍ଷ ଆଜି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୋ ଝିଅ ଆଉ ଫେରିବନି। କିନ୍ତୁ ଆମେ ନିଜ ଲଢ଼େଇ ଜାରି ରଖିବୁ, ଯେଉଁଥିରେ ଦେଶର ମହିଳାମାନେ ଅଧିକ ସୁରକ୍ଷିତ ରହିବେ। ନିର୍ଭୟାଙ୍କ ପିତା ବଦ୍ରିନାଥ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଦେଶର ମହିଳାମାନଙ୍କ ପାଇଁ ଏଭଳି ନିୟମ ତିଆରି ହେଉ, ଯେଉଁଥିରେ ଲୋକଙ୍କୁ ଦୀର୍ଘ ଅପେକ୍ଷା କରିବାକୁ ନ ପଡ଼ୁ।

ଫାଶୀ ଦିନ କ’ଣ ସବୁ ହୋଇଥାଏ
ଜେଲ୍‌ ମାନୁଆଲ ଅନୁସାରେ ବ୍ଲାକ ୱାରେଣ୍ଟ ଜାରି ହୋଇଥାଏ। ଏହି ୱାରେଣ୍ଟର ଚାରିପଟ କଳାରେ ଗାର ଥାଏ। ତେଣୁ ଏହାକୁ ବ୍ଲାକ ୱାରେଣ୍ଟ କୁହାଯାଏ। ଫାଶୀ ପୂର୍ବରୁ ଦୋଷୀକୁ ୧୪ ଦିନର ସମୟ ଦିଆଯାଏ। ଏହି ସମୟ ଭିତରେ ସେ ନିଜ ପରିବାର ଲୋକଙ୍କୁ ଭେଟେ ଓ ମାନସିକ ପ୍ରସ୍ତୁତି ନେଇଥାଏ। ଜେଲ୍‌ ଭିତରେ କାଉନସେଲିଂ ମଧ୍ୟ କରାଯାଇଥାଏ। ଦୋଷୀକୁ ନିଜ ଇଚ୍ଛା ପଚରାଯାଏ। ଦୋଷୀ ଯଦି ଚାହେଁ, ଫାଶୀ ପୂର୍ବରୁ ନିଜ ଧର୍ମର ପଣ୍ଡିତ, ମୌଲବୀ ବା ପାଦ୍ରି ଉପସ୍ଥିତ ରୁହନ୍ତୁ ତେବେ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ତାର ବ୍ୟବସ୍ଥା କରାଇବେ। କଏଦୀକୁ ସ୍ବତନ୍ତ୍ର ୱାର୍ଡରେ ରଖାଯିବାର ପ୍ରାବଧାନ ରହିଛି। ଫାଶୀଖୁଣ୍ଟର ଦଉଡ଼ି ପୁଲି ପାଇଁ ତେଲ ଓ ଆବଶ୍ୟକୀୟ ସାମଗ୍ରୀର ଦାୟିତ୍ବ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପରେ। ଫାଶୀର ଗୋଟିଏ ଦିନ ପୂର୍ବରୁ ଫାଶୀଖୁଣ୍ଟ, ଦଉଡ଼ି ଆଦିର ଯାଞ୍ଚ କରାଯାଏ। ଦଉଡ଼ିରେ କଏଦୀ ଓଜନର ଦେଢ଼ଗୁଣା ଅଧିକ ଓଜନର ବାଲିବସ୍ତା ଝୁଲାଇ ଡେମୋ କରାଯାଏ। ଘାତକ ନିର୍ଦ୍ଧାରିତ ଫାଶୀ ଅବଧିର ଦୁଇଦିନ ପୂର୍ବରୁ ଜେଲ୍‌କୁ ଆସି ଅବସ୍ଥାନ କରନ୍ତି। ଫାଶୀ ସବୁବେଳେ ସକାଳୁ ହିଁ ଦିଆଯାଏ। ନଭେମ୍ବରରୁ ଫେବ୍ରୁଆରୀ ମାସ ମଧ୍ୟରେ ସକାଳ ୮ଟାରେ ଫାଶୀ ଦିଆଯାଏ। ମାର୍ଚ୍ଚ-ଏପ୍ରିଲ-ସେପ୍ଟେମ୍ବର-ଅକ୍ଟୋବରରେ ସକାଳ ୭ଟା ଓ ମେ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ ସକାଳ ୬ଟାରେ ଫାଶୀ ଦିଆଯିବାର ପ୍ରାବଧାନ ରହିଛି।

ସୁପରିଣ୍ଟେଣ୍ଡେଣ୍ଟ ଏବଂ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଫାଶୀ ପାଇଁ ନିର୍ଦ୍ଧାରିତ ସମୟର କିଛି ମିନିଟ ପୂର୍ବରୁ କଏଦୀର ସେଲ୍‌ ଭିତରକୁ ଯାଇଥାନ୍ତି। ଯାହା ନାମରେ ୱାରେଣ୍ଟ ରହିଛି, ତାକୁ ଚିହ୍ନଟ କରି ତା’ର ମାତୃଭାଷାରେ ୱାରେଣ୍ଟ ପଢ଼ି ଶୁଣାନ୍ତି। ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ କଏଦୀର କଥାକୁ ରେକର୍ଡ କରାଯାଏ। ସୁପରିଣ୍ଟେଣ୍ଡେଣ୍ଟ ଫାଶୀ ଦିଆଯିବା ଜାଗାକୁ ଚାଲିଯାଆନ୍ତି ଏବଂ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ଅପରାଧୀକୁ କଳା ପୋଷାକ ପିନ୍ଧାଇ ଦିଆଯାଏ। ଦୁଇ ହାତକୁ ପଛପଟୁ ବାନ୍ଧି ଦିଆଯାଏ ଏବଂ ଗୋଡ଼ରେ ଯଦି କଡ଼ା ପିନ୍ଧା ଯାଇଥାଏ, ଖୋଲି ଦିଆଯାଏ। ଏହାପରେ ଫାଶୀଖୁଣ୍ଟ ଆଡ଼କୁ ନିଆଯାଏ। ଏହି ସମୟରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ, ହେଡ ୱାର୍ଡେନ ଓ ୬ ଜଣ ୱାର୍ଡେନ ତାଙ୍କ ସହିତ ରହନ୍ତି। ଦୁଇଜଣ ୱାର୍ଡେନ ପଛରେ ଓ ଦୁଇଜଣ ୱାର୍ଡେନ ଆଗରେ ଚାଲନ୍ତି। ମେଡିକାଲ ଅଫିସର ଆଗରୁ ସେଠାରେ ଉପସ୍ଥିତ ଥାଆନ୍ତି। ସୁପରିଣ୍ଟେଣ୍ଡେଣ୍ଟ ମାଜିଷ୍ଟ୍ରେଟଙ୍କୁ କହନ୍ତି ଯେ ସେ କଏଦୀକୁ ଚିହ୍ନଟ କରିଛନ୍ତି ଏବଂ ତାଙ୍କ ମାତୃଭାଷାରେ ଡେଥ ୱାରେଣ୍ଟ ପଢ଼ି ଶୁଣାଇଛନ୍ତି। ଏହାପରେ କଏଦୀଙ୍କୁ ଘାତକଙ୍କ ହାତରେ ସମର୍ପି ଦିଆଯାଏ। ଫାଶୀ ଦିଆଯିବା ପରେ ମୃତ ଶରୀର ୩୦ ମିନିଟ ଯାଏ ଝୁଲି ରହେ। ଅଧ ଘଣ୍ଟାଏ ପରେ ଯାଞ୍ଚ କରି ଡାକ୍ତର ମୃତ ଘୋଷଣା କରନ୍ତି। ସୂଚନାଯୋଗ୍ୟ ଯେ କୌଣସି ଫାଶୀ ସରକାରୀ ଛୁଟିଦିନରେ କରାଯାଇ ପାରିବ ନାହିଁ। ରଙ୍ଗା ବିଲ୍ଲା, କରତାର ସିଂ, ଉଜାଗର ସିଂ, ସତୱନ୍ତ ସିଂ, କେହାର ସିଂ, ମକବୁଲ ଭଟ୍ଟ, ଅଫଜଲ ଗୁରୁ ଆଦିଙ୍କୁ ତିହାର ଜେଲ୍‌ରେ ଏହି ପ୍ରକ୍ରିୟାରେ ଫାଶୀ ଦିଆଯାଇଥିବା ବେଳେ ଏବେ ନିର୍ଭୟା କାଣ୍ଡର ଦୋଷୀମାନେ ସମାନ ଭାବେ ଫାଶୀ ପାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ