ସ୍ପେନୀୟ ଫୁଟବଲ୍‌ କୋଚ୍‌ଙ୍କ ଜୀବନ ନେଲା କୋରୋନା, ମୃତକଙ୍କ ମଧ୍ୟରେ ସର୍ବକନିଷ୍ଠ


ସ୍ପେନ୍‌ ଫୁଟବଲ୍‌ କୋଚ୍‌ ଫ୍ରାନ୍‌ସିସ୍‌କୋ ଗାର୍ସିଆଙ୍କର ଗତ ରବିବାର ରାତିରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ସମଗ୍ର ବିଶ୍ବରେ କୋକୁଆ ଭୟ ସୃଷ୍ଟି କରିଥିବା କୋରୋନା ଭାଇରସ୍‌ ଏହି ଯୁବ ଫୁଟବଲ୍‌ କୋଚ୍‌ଙ୍କ ଜୀବନ ନେଇଛି। ୨୧ ବର୍ଷୀୟ ଗାର୍ସିଆ ପାଖାପାଖି ୪ ବର୍ଷ ହେଲା ମାଲାଗାଭିତ୍ତିକ ଆଟ୍‌ଲେଟିକୋ ପୋର୍ଟାଡା ଆଲ୍‌ଟା ଦଳର କୋଚ୍‌ ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ନିକଟରେ ତାଙ୍କଠାରେ କୋରୋନା ଭୂତାଣୁ ସଂକ୍ରମଣ ପରି ଲକ୍ଷଣ ଦେଖାଯିବାରୁ ଗାର୍ସିଆଙ୍କୁ ନିଃସଙ୍ଗବାସରେ ରଖାଯାଇଥିଲା। ତା’ଛଡ଼ା ଏହି ଯୁବ ଫୁଟବଲ୍‌ କୋଚ୍‌ଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ସେ ଲିଉକୋମିଆ ରୋଗରେ ମଧ୍ୟ ପୀଡ଼ିତ ଥିବା ଡାକ୍ତରମାନେ ସୂଚନା ଦେଇଥିଲେ। ତେବେ ଅଦ୍ୟାବଧି ସ୍ପେନ୍‌ରେ ୩ ଶହ ଲୋକ ଏହି ଭୂତାଣୁ ଆକ୍ରମଣରେ ମୃତ୍ୟୁବରଣ କରିସାରିଥିବା ବେଳେ ମାଲାଗା ଅଞ୍ଚଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ମାଲାଗା ଅଞ୍ଚଳର ମୃତକମାନଙ୍କ ବୟସ ୭୦ରୁ ୮୦ ବର୍ଷ ମଧ୍ୟରେ ଥିବା ବେଳେ ଗାର୍ସିଆ ସର୍ବକନିଷ୍ଠ ବୋଲି କୁହାଯାଇଛି।

ଏପରିକି ଗାର୍ସିଆ ସମଗ୍ର ବିଶ୍ବରେ ସର୍ବକନିଷ୍ଠ ମୃତକ ବୋଲି କୁହାଯାଇଛି। କାରଣ ଅଦ୍ୟାବଧି ଠାବ ହୋଇଥିବା ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଜଣେ ଶିଶୁକୁ ବାଦ୍‌ ଦେଲେ ବାକି କେହି ବି ଗାର୍ସିଆଙ୍କ ବୟସରୁ ଅଧିକ ନୁହନ୍ତି। ଗତ ସପ୍ତାହରେ ଯୁକ୍ତରାଜ୍ୟରେ ଜଣେ ଶିଶୁ ନିଜ ପରିବାର ଲୋକଙ୍କ ପ୍ରଭାବରେ ଆସି କୋରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଅନ୍ୟପକ୍ଷରେ ଗାର୍ସିଆଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁସାରେ, ଲିଉକୋମିଆ ରୋଗ ଠାବ ହେବା ପରେ ତାଙ୍କୁ ବଞ୍ଚାଇବା କଷ୍ଟକର ବ୍ୟାପାର ଥିଲା। ତାଙ୍କ ଶରୀରରେ କୋରୋନା ଭୂତାଣୁର ବ୍ୟାପକତା ସେତେଟା ଅଧିକ ନ ଥିବା ବେଳେ ଲିଉକାମିଆ ରୋଗ ହୋଇ ନ ଥିଲେ, ତାଙ୍କୁ ସହଜରେ ବଞ୍ଚାଯାଇପାରିଥାନ୍ତା ବୋଲି ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ ଯେ କୋରୋନା ଭୂତାଣୁର ବ୍ୟାପକତା ପରିପ୍ରେକ୍ଷୀରେ ଲା ଲିଗା ସମେତ ସିଂହଭାଗ କ୍ରୀଡ଼ା ପ୍ରତିଯୋଗିତାକୁ ସାମୟିକ ଭାବେ ବାତିଲ୍‌ କରିଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ