ସବୁ ସାନିଟାଇଜର୍‌ରେ କୋରୋନା ମୁକାବିଲା ଶକ୍ତି ନାହିଁ, ଜାଣନ୍ତୁ କାରଣ


ସମଗ୍ର ବିଶ୍ବର ପାଖାପାଖି ଦେଢ଼ ଶହ ଦେଶକୁ ଘାତକ କୋରୋନା ଭୂତାଣୁ ବ୍ୟାପିସାରିଥିବା ବେଳେ ଏଥିରେ ସାଢ଼େ ୬ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଏହାଛଡ଼ା ୧ ଲକ୍ଷ ୭୦ ହଜାର ପାଖାପାଖି ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ମଧ୍ୟ କୋରୋନାରେ ଦୁଇ ଜଣ ମୃତ୍ୟୁବରଣ କରିସାରିଥିବା ବେଳେ ୧୧୬ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏପରି ସ୍ଥିତିରେ ପ୍ରତିଟି ଜନସାଧାରଣ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନେବା ସହ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା ଉପରେ ଗୁରୁତ୍ବାରୋପ କରାଯାଉଛି। ବିଶେଷକରି ହ୍ୟାଣ୍ଡ୍‌ୱାଶ୍‌ କିମ୍ବା ସାନିଟାଇଜର୍‌ରେ ହାତକୁ ଧୋଇଲେ, ଏହି ଭୂତାଣୁର ବ୍ୟାପକତା ହ୍ରାସ ହୋଇପାରିବ ବୋଲି ପରାମର୍ଶ ଦିଆଯାଇଛି। ଏହି ପରାମର୍ଶ ଅନୁସାରେ, ଲୋକେ ମଧ୍ୟ ବଜାରରୁ ସାନିଟାଇଜର୍‌ କିଣି ହାତ ସଫା ରଖୁଛନ୍ତି। ଫଳସ୍ବରୂପ ଏବେ ବଜାରରେ ସାନିଟାଇଜର୍‌ର ଘୋର ଅଭାବ ପରିଲକ୍ଷିତ ହୋଇଛି। ସାଧାରଣ ଲୋକଙ୍କ ଚିନ୍ତାଧାରା ଅନୁସାରେ ବଜାରରେ ମିଳୁଥିବା ପ୍ରତିଟି ସାନିଟାଇଜର୍‌ କୋରୋନାରୁ ରକ୍ଷା କରିପାରିବ। କିନ୍ତୁ ଏପରି ଧାରଣା ସମ୍ପୂର୍ଣ୍ଣ ଭାବେ ଭୁଲ୍‌। ତେଣୁ କେଉଁ କେଉଁ ସାନିଟାଇଜର୍‌ ଆପଣଙ୍କୁ କୋରୋନା ଭୂତାଣୁଠାରୁ ଦୂରେଇ ରଖିପାରିବ, ସେ ସମ୍ପର୍କରେ ଆସନ୍ତୁ ନିମ୍ନରେ ଆଲୋଚନା କରିବା।

ଶରୀରରେ ରୋଗ କୀଟାଣୁ ବ୍ୟାପିବାକୁ ରୋକିବା ସକାଶେ ବ୍ୟବହାର କରାଯାଇଆସୁଥିବା ସାନିଟାଇଜର୍‌ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ହେଉଛି ଆଲ୍‌କୋହଲ୍‌ମୁକ୍ତ ଓ ଅନ୍ୟଟି ଆଲ୍‌କୋହଲ୍‌ଯୁକ୍ତ। ଆଲ୍‌କୋହଲ୍‌ ଯୁକ୍ତ ସାନିଟାଇଜର୍‌ରେ ଆଇସୋପ୍ରୋପିଲ୍‌ ଆଲ୍‌କୋହଲ୍‌, ଇଥାନଲ୍‌ କିମ୍ବା ଏନ୍‌-ପ୍ରୋପାନୋଲ୍‌ ଆଦି ରହିଥାଏ। ଅଧିକାଂଶ ଆଲ୍‌କୋହଲ୍‌ଯୁକ୍ତ ସାନିଟାଇଜର୍‌ରେ ୬୦ରୁ ୯୫ ପ୍ରତିଶତ ଆଲ୍‌କୋହଲ୍‌ ରହିଥାଏ। ସେହିପରି ଆଲ୍‌କୋହଲ୍‌ମୁକ୍ତ ସାନିଟାଇଜର୍‌ରେ ଆଲ୍‌କୋହଲ୍‌ ପରିବର୍ତ୍ତେ କ୍ବାର୍ଟରନାରି ଆମୋନିୟମ୍‌ କମ୍ପାଉଣ୍ଡ୍‌ସ ପରି ଦ୍ରବ୍ୟ ରହିଥାଏ। ଅବଶ୍ୟ ଏହି ସାନିଟାଇଜର୍‌ଗୁଡ଼ିକ କୀଟାଣୁଙ୍କୁ ମାରିବାର କ୍ଷମତା ରଖନ୍ତି। କିନ୍ତୁ ଆଲ୍‌କୋହଲ୍‌ଯୁକ୍ତ ସାନିଟାଇଜର୍‌ ତୁଳନାରେ ଏଗୁଡ଼ିକର କୀଟାଣୁ ଉପରେ ପ୍ରଭାବ ଯଥେଷ୍ଟ କମ୍‌ ହୋଇଥାଏ।

ଅନ୍ୟପକ୍ଷରେ ଆଲ୍‌କୋହଲ୍‌ଯୁକ୍ତ ସାନିଟାଇଜର୍‌ ଏମ୍‌ଆର୍‌ଏସ୍‌ଏ ଓ ଇ କୋଲି ପରି ବ୍ୟାକ୍ଟେରିଆକୁ ନିପାତ କରିବା ସହ ଇନ୍‌ଫ୍ଲୁଏନ୍‌ଜା ଏ’ ଭାଇରସ୍‌, ରିନୋଭାଇରସ୍‌, ହେପାଟାଇଟିସ୍‌ ଏ ଭାଇରସ୍‌, ଏଚ୍‌ଆଇଭି ଓ ମିଡଲ୍‌ ଇଷ୍ଟ୍‌ ରେସ୍‌ପିରେଟୋରୀ ସିଣ୍ଡ୍ରୋମ୍‌ କୋରୋନାଭାଇରସ୍‌ (ଏମ୍‌ଇଆର୍‌ଏସ୍‌-ସିଓଭି)କୁ ମଧ୍ୟ ମାରିବାରେ ସକ୍ଷମ ହୋଇଥାଏ। କୌଣସି ସାନିଟାଇଜର୍‌ରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଆଲ୍‌କୋହଲ୍‌ ଥିଲେ ବି ତାହା କୌଣସି ପ୍ରକାର କୀଟାଣୁ ଓ ଭୂତାଣୁକୁ ମାରିବାର କ୍ଷମତା ରଖେ। ତେଣୁ କୌଣସି ପ୍ରକାର ଜୀବାଣୁଠାରୁ ନିଜକୁ ସୁରକ୍ଷା ଦେବା ସକାଶେ ସାବୁନ୍‌ରେ ହାତ ଧୋଇବା ସବୁଠାରୁ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ ବୋଲି ଏକ୍ସପର୍ଟମାନେ ମତ ଦିଅନ୍ତି। ତେଣୁ ବଜାରରୁ ସାନିଟାଇଜର୍‌ କିଣିବା ବେଳେ ଗ୍ରାହକମାନେ ସବୁବେଳେ ଉପରୋକ୍ତ ଦିଗ ପ୍ରତି ଧ୍ୟାନ ଦେବା ବିଧେୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ