ଛାତି ଥରାଇଦିଏ ବିଶ୍ବର ଏସବୁ ସହର

ଡକାଏତି, ଡ୍ରଗ୍‌ସ କାରବାର, ମାନବ ଚାଲାଣ ଓ ଗୋଷ୍ଠୀ ସଂଘର୍ଷ ଲାଗି ଭୁଶୁଡ଼ି ପଡ଼ିଛି ଏଠିକାର ଅର୍ଥ ବ୍ୟବସ୍ଥା

ଆମେ ସମସ୍ତେ ଚାହୁଁ ଏକ ସୁରକ୍ଷିତ ସ୍ଥାନରେ ବାସକରିବା ଓ ସୁରକ୍ଷିତ ସ୍ଥାନକୁ ବୁଲିଯିବା। କିନ୍ତୁ ବିଶ୍ବର ଏଭଳି କେତେକ ସହର ଅଛି, ଯାହାକି ମନକୁ ଆସିବା ମାତ୍ରେ ଭୟ ସଞ୍ଚାର କରାଏ। ଜୀବନ ପ୍ରତି ଥାଏ ପ୍ରତି ପଦପାତରେ ବିପଦ। ଏସବୁ ଜାଗାରେ ଶାନ୍ତିରେ ରହିବା ତ ନିଶ୍ଚୟ ଚାଲେଞ୍ଜପୂର୍ଣ୍ଣ। ଅନେକେ ଏସବୁ ଜାଗାକୁ ବୁଲିଯିବାକୁ ବି ପସନ୍ଦ କରି ନ ଥାନ୍ତି। ହୁଏତ ଏହିସବୁ ସ୍ଥାନ ଗୁଡ଼ିକର ଦୃଶ୍ୟ ଜଣକୁ ମୁଗ୍ଧ ବା ବିମୋହିତ କରିପାରେ, କିନ୍ତୁ ଜୀବନ ଚାଲିଯିବାର ସମ୍ଭାବନା ବି ଅଧିକ ଥାଏ। ଆମେ ଏଭଳି କିଛି ସହର ସମ୍ପର୍କରେ ଆଲୋଚନା କରିବାକୁ ଯାଉଛୁ, ଯେଉଁଠି ସର୍ବାଧିକ ଅପରାଧ ହାରର ରେକର୍ଡ ସୃଷ୍ଟି ହୋଇଛି। ଆଉ ଏଠାରେ ଅର୍ଥନୈତିକ ବ୍ୟବସ୍ଥା ମଧ୍ୟ ଭୁଶୁଡ଼ି ପଡ଼ିଛି। ଏସବୁ ସହରର ନାଁ ଶୁଣିଲେ ଲୋକଙ୍କ ଛାତି ଥରିଉଠେ।

ମେକ୍ସିକୋର ଦୁଃଖ ସିଉଡାଡ ଜୁଆରେଜ
ମେକ୍ସିକୋ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ସିଉଡାଡ ଜୁଆରେଜ। ୨୦୦୯ରେ ଏହି ସହରର ନୂଆ ନାମ ହେଲା ବାହାର ଦୁନିଆର ସବୁଠାରୁ ହିଂସାତ୍ମକ ଅଞ୍ଚଳ। ବିଶ୍ବର ସବୁଠୁ ଅଧିକ ହିଂସା ଏହି ସହରରେ ଦେଖିବାକୁ ମିଳିଥାଏ। ସହରରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୧୩୦ ଜଣଙ୍କୁ ଏଠାରେ ହତ୍ୟା କରାଯାଇଥାଏ। ଗୋଷ୍ଠୀ ସଂଘର୍ଷ, ନିଶା କାରବାର, ନାରୀ ନିର୍ଯାତନା ଭଳି ଘଟଣା ଏଠାରେ ସାଧାରଣ। ଏଠାରେ ଅପହରଣ, ଦୁଷ୍କର୍ମ, ମାନବ ଚାଲାଣ ଓ ହତ୍ୟା ଘଟଣାର ସଂଖ୍ୟା ପ୍ରତିବର୍ଷ ଉଦ୍‌ବେଗଜନକ ଭାବେ ବଢ଼ିଥାଏ। ୧୯୯୩ରୁ ୨୦୦୦ ମଧ୍ୟଭାଗ ପର୍ଯ୍ୟନ୍ତ ଏଠାରେ ମହିଳା ହିଂସା ଶିଖର ଛୁଇଁଥିଲା। ଏହି ଅବଧି ମଧ୍ୟରେ ୩୭୦ ମହିଳା ଓ ବାଳିକାଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରାଯିବା ସହିତ ୪୦୦ ମହିଳା ନିଖୋଜ ହୋଇଯାଇଥିଲେ। ପ୍ରତିଦ୍ବନ୍ଦ୍ବୀ ଜୁଆରେଜ ଏବଂ ସିନାଲୋଆ କାର୍ଟେଲସଙ୍କ ମଧ୍ୟରେ ଟର୍ଫଯୁଦ୍ଧ ସହରରେ ଅଧିକରୁ ଅଧିକ ନିର୍ଦ୍ଦୟ ହିଂସା ଘଟାଇଥିଲା। ସହରରେ ବଢ଼ୁଥିବା ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ମେକ୍ସିକୋ ସଶସ୍ତ୍ର ବାହିନୀ ଏବଂ ଫେଡେରାଲ ପୋଲିସ ବାହିନୀର ସଂଖ୍ୟାକୁ ଦ୍ବିଗୁଣିତ କରାଯାଇଥିଲା। ନିଶା ଚାଲାଣ ସମ୍ବନ୍ଧୀୟ ହିଂସାକୁ ରୋକିବା ପାଇଁ ୪୫୦୦ ସୈନ୍ୟ ଏବଂ ଫେଡେରାଲ ପୋଲିସକୁ ଏହି ସହରରେ ମୁତୟନ କରାଯାଇଥିଲା। ପରେ ଏହି ସଂଖ୍ୟା ୭୫୦୦ରୁ ଅଧିକକୁ ବୃଦ୍ଧି କରାଗଲା। ଜାନୁଆରୀ ୨୦୧୩ରେ ଏହି ସହର ହତ୍ୟା ଘଟଣାରେ ସାରା ବିଶ୍ବରେ ୩୭ତମ ସ୍ଥାନରେ ଥିଲା। ସେତେବେଳେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୩୮ଟି ହତ୍ୟାକାଣ୍ଡ ଘଟୁଥିଲା। କ୍ରମଶଃ ଏହା କାରାକସକୁ ବଳିଗଲା। ଡ୍ରଗ ଜନିତ ହିଂସା, ସରକାରୀ ଦୁର୍ନୀତି ଏବଂ ଦାରିଦ୍ର୍ୟ ସମେତ ଏକାଧିକ କାରଣରୁ ଏହି ସହର ବିଶୃଙ୍ଖଳିତ ସହରର ଅପଖ୍ୟାତି ମୁଣ୍ଡାଇ ଚାଲିଛି।

ସହର ସୁନ୍ଦର ହେଲେ ବି ଅପରାଧପ୍ରବଣ
ପାକିସ୍ତାନର ମୁଜାଫରାବାଦ ସହରଟି ଦେଖିବା ପାଇଁ ସୁନ୍ଦର ଆଉ ମନୋରମ। ଏହାର ପାରିପାର୍ଶ୍ବିକ ଦୃଶ୍ୟପଟ ପାଇଁ ଏହା ବେଶ୍‌ ଜଣାଶୁଣା। କିନ୍ତୁ ହିଂସାତ୍ମକ ସମାବେଶ ଏବଂ ଶୋଭାଯାତ୍ରା ପାଇଁ ଏହି ସହରର ଅପଖ୍ୟାତି ରହିଛି। ୨୦୧୬ରେ ଏହି ସହର ସର୍ବାଧିକ ଅପରାଧ ଦେଖିସାରିଛି। ଗୋଟିଏ ଦିନରେ ଏଠାରେ ୫୬ ଜଣଙ୍କ ହତ୍ୟା ହୋଇଥିଲା। ସେହିପରି ନିଜର ପ୍ରାକୃତିକ ଶୋଭା ସୁଷମା ପାଇଁ ବିଶ୍ବରେ ଆଦୃତ ଆଉ ଏକ ପ୍ରସିଦ୍ଧ ସହର ହେଉଛି ବ୍ରାଜିଲର ରିଓ ଡି ଜେନେରୋ। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସତ୍ତ୍ବେ ଏଠାରେ ଅପରାଧ ହାର ବିଶ୍ବରେ ସର୍ବାଧିକ। ପରିସଂଖ୍ୟାନରୁ ଜଣାଯାଏ ଯେ ଏଠାରେ ପ୍ରତି ସପ୍ତାହରେ ୩୦ ଜଣରୁ ଊର୍ଦ୍ଧ୍ବ ଲୋକଙ୍କୁ ହତ୍ୟା କରାଯାଇଥାଏ। ଅପରାଧ ସମ୍ପର୍କିତ ଘଟଣାରେ ଏଠି ସର୍ବାଧିକ ଲୋକଙ୍କ ମୃତ୍ୟୁ ହେଉଥିବା ସ୍ଥାନୀୟ ସରକାର ସ୍ବୀକାର କରିଥାନ୍ତି। ଅନୁରୂପ ଭାବେ କଙ୍ଗୋ ସାଧାରଣତନ୍ତ୍ରର କିନସାସା ସହରରେ ଏକ ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳେ। ଏଠାରେ ଯାତାୟାତ କରୁଥିବା ସାଧାରଣ ପରିବହନର ଦୃଶ୍ୟ ଦେଖି ଆପଣ ଅବାକ୍‌ ହୋଇପାରନ୍ତି। କିନ୍ତୁ ଏହା ହିଁ ସତ୍ୟ। ସହରରେ ଯାତାୟାତ କରୁଥିବା ବସ, କାର, ଟ୍ରେନ ଆଦିର ଝରକା ଭିତରପଟୁ ସର୍ବଦା ବନ୍ଦ ହୋଇ ରହେ। କୌଣସି ଯାନବାହନର ଝରକା ଖୋଲା ଯାଇ ନ ଥାଏ। ଏଭଳି କରିବାକୁ ଚାଳକ ଯାତ୍ରୀମାନଙ୍କୁ ପରାମର୍ଶ ଦେଇଥାନ୍ତି। କାରଣ ମଧ୍ୟ ସ୍ପଷ୍ଟ। ସହରର ଗୃହହୀନ ପିଲାମାନେ ସଡ଼କ ଉପରେ ପକେଟମାର କରି ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥାନ୍ତି। ସ୍ଥାନୀୟ ପୌରସଂସ୍ଥା ସବୁବେଳେ ବନ୍ଦ ଝରକା ସହିତ ଗାଡ଼ି ଚଳାଇବାକୁ ପରାମର୍ଶ ଦିଅନ୍ତି। ଏପରିକି ସହରର ସାଧାରଣ ପରିବହନ ମଧ୍ୟ ଅସୁରକ୍ଷିତ ଅଟେ। ଟିକିଏ ଅନ୍ୟମନସ୍କ ହେଲେ ବା ଅସତର୍କ ହେଲେ ପାଖରେ ଥିବା ପର୍ସ, ମୋବାଇଲ ଓ ଅଳଙ୍କାର ତଥା ସାଥୀରେ ନେଉଥିବା ସାମଗ୍ରୀଗୁଡ଼ିକ ଲୁଟ ହୋଇଯାଇଥାଏ।

ଏହିକ୍ରମରେ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ ଅନ୍ୟତମ ସୁନ୍ଦର ସହର। କିନ୍ତୁ ଅର୍ଥନୈତିକ ଅସଙ୍ଗତି ଏହି ସୁନ୍ଦର ସହର ଛାତିରେ କଳା ବୋଳି ଦେଇଛି। ଏଠାରେ ଡକାଏତି, ହତ୍ୟା ଓ ଅପହରଣ ଏକ ମାମୁଲି କଥା ହୋଇଛି। ଦିନ ଦିପ୍ରହରରେ ଯାତ୍ରୀମାନଙ୍କ ଠାରୁ ଲୁଟି ନେବା ଘଟଣା ଦକ୍ଷିଣ ଆଫ୍ରିକାର ସବୁଠୁ ସୁନ୍ଦର କୁହାଯାଉଥିବା ଏହି ସହରରେ ହିଁ ସଂଘଟିତ ହୋଇଥାଏ। ଦେଶର ସର୍ବାଧିକ ଅପରାଧ ଏହି ସହରରେ ହୁଏ।

ଭୟଙ୍କର ସହରରେ ନମ୍ବର ୱାନ
ଭେନେଜୁଏଲାର କାରାକସ ସହର ନାଁ ଶୁଣିଲେ ଅନେକଙ୍କ ଛାତି ଥରିଉଠେ। ଅପରାଧପ୍ରବଣ ଦୃଷ୍ଟିରୁ ଏହି ସହର ସାରା ବିଶ୍ବରେ ନମ୍ବର ୱାନ ସ୍ଥାନରେ ରହିଛି। ସ୍ଥାନୀୟ ସରକାର ଦେଶର ଅପରାଧ ହାର ଦର୍ଶାଇ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସଚେତନ କରୁଛନ୍ତି। ବିଚ୍‌ ରାସ୍ତା ଉପରେ ସଶସ୍ତ୍ର ଡକାଏତି, ଅହପରଣ, ମାନବ ଓ ଡ୍ରଗ୍‌ସ ଚାଲାଣ ଏଠାରେ ଏକ ମାମୁଲି ପ୍ରସଙ୍ଗ। ଜାତିସଂଘର ୱାର୍ଲ୍ଡ ଫୁଡ ପ୍ରୋଗ୍ରାମର ଏକ ଷ୍ଟଡି ଅନୁଯାୟୀ ଭେନେଜୁଏଲାର ଅର୍ଥବ୍ୟବସ୍ଥା ଧରାଶାୟୀ ହୋଇପଡ଼ିଛି। ଦେଶର ପ୍ରତି ତୃତୀୟ ବ୍ୟକ୍ତି ନିଜର ଖାଦ୍ୟ ଯୋଗାଡ଼ କରିବାକୁ ସଂଘର୍ଷ କରୁଛନ୍ତି। ଗର୍ଭନିରୋଧକ ଲୋକଙ୍କ କ୍ରୟ ସାମର୍ଥ୍ୟ ଠାରୁ ବାହାରେ। ଏଥିପାଇଁ ଅବାଞ୍ଛିତ ଗର୍ଭଧାରଣ ବଢ଼ୁଛି। ଗର୍ଭପାତ ନିୟମ ମଧ୍ୟ ବହୁତ କଡ଼ା। ଏଥିପାଇଁ ମହିଳାମାନଙ୍କ ବିକଳ୍ପ ସୀମିତ। ଏହି ସ୍ଥାନରେ ସଡ଼କ ଉପରେ ବେସାହାରା ଶିଶୁଙ୍କୁ ଛାଡ଼ିଦେଇ ଚାଲିଯିବା ଘଟଣା ବଢ଼ିବାରେ ଲାଗିଛି। ସହରର କାନ୍ଥଗୁଡ଼ିକରେ ଏଠାରେ ଅବୈଧ ଶିଶୁଙ୍କୁ ଫିଙ୍ଗିଦେଇ ଯାଆନ୍ତୁ ନାହିଁ ବୋଲି ଲେଖାଯାଇଛି। ଶିଶୁମାନଙ୍କୁ ବର୍ଜ୍ୟ ଭଳି ଫୋପାଡ଼ି ଦେଇ ଯାଉଥିବାର ଦୃଶ୍ୟ ଏହି ସହରରେ ମାମୁଲି ଘଟଣା ବୋଲି କୁହାଯାଉଛି। ଦେଶର ସ୍ଥିତି ଏଭଳି ଯେ ମା’ ନ ଚାହୁଁଥିଲେ ବି ଏଭଳି ପ୍ରସଙ୍ଗକୁ ଆପଣାଉଛି।

ପଛରେ ପଡ଼ିନି ମୋଗାଡିସୁ ଓ ବାଗଦାଦ
ସୋମାଲିଆର ରାଜଧାନୀ ମୋଗାଡିସୁ ଗୃହଯୁଦ୍ଧ ଏବଂ ତଜ୍ଜନିତ ହିଂସା ଯୋଗୁ କଳଙ୍କିତ ହୋଇଛି। ଏଠାରେ ହତ୍ୟା, ଲୁଣ୍ଠନ, ସଶସ୍ତ୍ର ଡକାୟତି ଏବଂ ଅପହରଣ ଭଳି ଘଟଣା ନିୟମିତ ବ୍ୟବଧାନରେ ଦେଖାଯାଇଛି। ଇଥିଓପିଆ ଏବଂ ସୋମାଲି ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ କାର୍ଯ୍ୟକଳାପ ମୋଗାଡିସୁକୁ ଅସୁରକ୍ଷିତ କରିପକାଇଛି। ସେହିପରି ବାରମ୍ବାର ଆତ୍ମଘାତୀ ବିସ୍ଫୋରଣ ଏବଂ କାରବୋମା ବିସ୍ଫୋରଣ ମାମଲାରେ ଇରାକର ବାଗଦାଦ ସହରକୁ ସବୁଠୁ ବିପଜ୍ଜନକ ସହରର ନୂଆ ପରିଚିତି ଦେଇଛି। ୨୦୦୩ରେ ସଦ୍ଦାମ ହୁସୈନଙ୍କ ଶାସନର ପତନ ପରେ ଏହି ସହରରେ ଯୌନ କାରବାର ଏବଂ ଯୌନାକାଂକ୍ଷା ପୂରଣ ପାଇଁ ଅବୈଧ ଚାଲାଣ ଏକ ନିୟମିତ ଘଟଣା ପାଲଟିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ