ଉଚ୍ଚଶିକ୍ଷା ସତ୍ତ୍ବେ ବି ଏମାନେ ହୋଇଗଲେ ଭିକାରୀ!


(ଇନ୍‌ସେଟ୍‌ରେ) ଶ୍ରୀଜିତ ପାଢ଼ୀ, ଧରିତ୍ରୀ ଚାଟାର୍ଜୀ ଓ ଲକ୍ଷ୍ମୀପ୍ରିୟା ମିଶ୍ର
ଉଚ୍ଚଶିକ୍ଷା ସତ୍ତ୍ବେ ମଧ୍ୟ କେତେକ ଭିକ୍ଷାବୃତ୍ତିକୁ ଆପଣାଇ ନେଉଛନ୍ତି। ଏହାର ବିରଳ ଦୃଶ୍ୟ ଓଡ଼ିଶାରେ ଦେଖିବାକୁ ମିଳିଛି। ସାରା ବିଶ୍ବରେ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଖ୍ୟାତ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ହିଁ ଏଭଳି ଘଟଣା ସାମ୍ନାକୁ ଆସିଛି। ତେବେ କେଉଁଥିପାଇଁ ଏପରି ହେଉଛି, ତାହା ଅନୁଶୀଳନ ଯୋଗ୍ୟ। ଆଧୁନିକତାର ସ୍ପର୍ଶରେ ଅତ୍ୟାଧୁନିକ ଞାନକୌଶଳର ପ୍ରୟୋଗରେ ମଣିଷ ବିକାଶ ପଥରେ ଧାଉଁଛି ସତ, ମାତ୍ର ସାମାଜିକ ବ୍ୟବସ୍ଥା ପ୍ରତି ଅନେକ ସମୟରେ ଦୃଷ୍ଟି ପଡ଼ୁନି। ଯଦ୍ଦ୍ବାରା ଭିତରୁ ଉଈ ଲାଗିଯାଉଥିବା ସାମାଜିକ ବ୍ୟବସ୍ଥାର ଏଭଳି ଚିତ୍ର ନଜରକୁ ଆସୁଛି। ତେବେ ଶ୍ରୀକ୍ଷେତ୍ରେରେ ବିକାଶ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏଥିରେ ଏଠାକାର ଭିକାରୀମାନଙ୍କୁ ଥଇଥାନ କରିବା ପାଇଁ ଆଗକୁ ବଢ଼ିଛନ୍ତି।

ଧାର୍ମିକ ସହର ପୁରୀକୁ ଭିକ୍ଷୁକମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଏଥିପାଇଁ ଆରମ୍ଭ ହୋଇଛି ଭିକାରୀମୁକ୍ତ ପୁରୀ ଅଭିଯାନ। ଭିକ୍ଷାବୃତ୍ତି କରୁଥିବା ଏଠାକାର ସବୁ ଭିକାରୀଙ୍କୁ ପୁନର୍ବାସ ପାଇଁ ନିର୍ମିତ ହୋଇଥିବା ନୀଳାଦ୍ରି ନିଳୟକୁ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାରେ ସେମାନଙ୍କୁ ମାଗଣା ଭୋଜନ, ମାଗଣା ପୋଷାକ, ତକିଆ, ଶେଯ, ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏଥିପାଇଁ ଯାହା ଖର୍ଚ୍ଚ ହେବ, ସରକାରଙ୍କ ମନୋନୀତ ୫ ଅଣସରକାରୀ ସଂଗଠନ ତାହା ବହନ କରିବେ। ଭିକାରୀମାନଙ୍କ ଚିହ୍ନଟ ପାଇଁ ଏନଜିଓ ଗୁଡ଼ିକୁ ସମାଜକଲ୍ୟାଣ ଅଧିକାରୀ ସହାୟତା କରିଛନ୍ତି। ପୁରୀ ଜିଲାପାଳ ବଳବନ୍ତ ସିଂ କହିଛନ୍ତି, ଏଠାରେ ଆଶ୍ରୟ ନେଇଥିବା ଭିକ୍ଷୁକମାନଙ୍କ ପାଇଁ ମାସିକ ମୁଣ୍ଡପିଛା ୩,୪୦୦ ଟଙ୍କା ଏନ୍‌ଜିଓଙ୍କ ଜରିଆରେ ସରକାର ଖର୍ଚ୍ଚ କରିବେ।

ପୁରୀକୁ ଏକ ଐତିହ୍ୟ ସହର ଭାବେ ଗଢ଼ିତୋଳିବା ପାଇଁ ଆନୁଷଙ୍ଗିକ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଛି। ଏକ ବିଶ୍ବସ୍ତରୀୟ ଐତିହ୍ୟ ସହର ଭାବେ ପୁରୀର ପରିକଳ୍ପନା ଓ ରୂପାୟନ ଆରମ୍ଭ ହୋଇଥିବାରୁ ଏଠାରେ ଭିକାରୀ ରହିବା ଆଦୌ ଠିକ୍‌ ହେବନି। ଏଥିପାଇଁ ରାଜ୍ୟ ସରକାର ଏ ଅଭିଯାନ ଆରମ୍ଭ କରିଛନ୍ତି। ସବୁଦିନ ପାଇଁ ପୁରୀ ସହରକୁ ଭିକ୍ଷୁକମୁକ୍ତ କରିବା ପାଇଁ ଏଭଳି ଯୋଜନା ଆରମ୍ଭ ହୋଇଛି। ଯେଉଁମାନେ ପୁନର୍ବାସ ଗୃହ ନୀଳାଦ୍ରି ନିଳୟକୁ ଯିବା ପାଇଁ ଅନିଚ୍ଛୁକ, ସେମାନଙ୍କ ଘର ଠିକଣା ଯୋଗାଡ଼ କରାଯାଇ ସେମାନଙ୍କ ଘରକୁ ପଠାଇ ଦିଆଯିବ ବୋଲି ଜିଲା ପ୍ରଶାସନ କହିଛି। ଭିକାରୀମାନଙ୍କୁ ବର୍ଗୀକରଣ କରାଯାଇ ସେମାନଙ୍କୁ ସ୍ବତନ୍ତ୍ର ଭାବେ ନିର୍ମିତ ପୁନର୍ବାସ କେନ୍ଦ୍ରକୁ ପଠାଇ ଦିଆଯିବା ପୂର୍ବରୁ ସେମାନଙ୍କୁ ପୁରୀ ସହରରେ ଗୃହହୀନ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସହରୀ ଆଶ୍ରୟସ୍ଥଳରେ ଅସ୍ଥାୟୀ ଭାବେ ରଖାଯିବ। ଏହି ବେସ୍‌ କ୍ୟାମ୍ପର ପରିଚାଳନା ଅଧିକାରୀ ଲୋପାମୁଦ୍ରା ପାଇକରାୟଙ୍କ କହିବା କଥା ହେଉଛି ୩ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ପ୍ରଥମ ୫ ଦିନରେ ମୋଟ ୧୪୬ ଜଣ ଭିକାରୀଙ୍କୁ ଏଠାକୁ ଅଣାଯାଇଛି। ଜିଲା ସାମାଜିକ ସଶକ୍ତିକରଣ ଅଧିକାରୀ ତ୍ରିନାଥ ପାଢ଼ୀଙ୍କ କହିବା କଥା ହେଲା, ପୁରୀରେ କେବଳ ୭୦୦ ଭିକାରୀ ଅଛନ୍ତି।

ଉଚ୍ଚଶିକ୍ଷାଗତ ଯୋଗ୍ୟତା ହାସଲ କରିବା ପରେ ସମାଜରେ ପ୍ରତିଷ୍ଠିତ ହେଲେ ବି ମଣିଷ ଜୀବନରେ ବେଳେବେଳେ ଏପରି ଦୁଃଖଦ ସମୟ ଆସିଥାଏ, ଯେତେବେଳେ ସେ ସମାଜରୁ କିଛି ଆଶା କରିଥାଏ। ଆଉ ଯଦି ଏହା ପୂରଣ ନ ହୁଏ, ତେବେ ସେ ଭାରସାମ୍ୟ ହରାଇ ବସେ। ଏପରିସ୍ଥଳେ ଅନନ୍ୟୋପାୟ ହୋଇ ସେ ଭିକ୍ଷାବୃତ୍ତି ଆଡ଼କୁ ଟାଣିହୋଇଯାଏ ବୋଲି ପୁରୀର ଉଚ୍ଚଶିକ୍ଷିତ ଭିକାରୀଙ୍କ ଅନୁଧ୍ୟାନରୁ ଜଣାପଡ଼ିଛି। ଏଭଳି ଉଚ୍ଚଶିକ୍ଷିତ ମଧ୍ୟରେ ରହିଛନ୍ତି ଧରିତ୍ରୀ ଚାଟାର୍ଜୀ, ଶ୍ରୀଜିତ ପାଢ଼ୀ ଓ ଲକ୍ଷ୍ମୀପ୍ରିୟା ମିଶ୍ର।

ଧରିତ୍ରୀ ଚାଟାର୍ଜୀ
ବେସ୍‌ କ୍ୟମ୍ପକୁ ପହଞ୍ଚିଥିବା ଭିକ୍ଷୁକମାନଙ୍କ ମଧ୍ୟରୁ ନିଆରା ଲାଗୁଥିଲେ ଧରିତ୍ରୀ ଚାଟାର୍ଜୀ। ଗୌର ବର୍ଣ୍ଣ, ବବ୍‌କଟ କେଶ ଏବଂ ଅନର୍ଗଳ ଇଂରାଜୀ କହୁଥିବା ଧରିତ୍ରୀଙ୍କୁ ଦେଖିଲେ କେହି କେବେ ଭିକାରୀ ଭାବିବ ନାହିଁ। କିନ୍ତୁ ଏହା ହିଁ ସତ୍ୟ। ଧରିତ୍ରୀଙ୍କ ଘର କାଳିଘାଟ କୋଲକାତା। ପ୍ରଭୁ ଜଗନ୍ନାଥଙ୍କ ପ୍ରତି ପିଲାଦିନରୁ ମୋର ଆକର୍ଷଣ ମୋତେ ବଡ଼ଦାଣ୍ଡକୁ ଟାଣିଆଣିଲା ବୋଲି ସେ କହନ୍ତି। ନିଜ ସାଂସାରିକ ଜୀବନକୁ ସଫଳତାର ସହ ପାଳନ ପରେ ଫନି ବାତ୍ୟା ପରଠାରୁ ଶ୍ରୀମନ୍ଦିର ସାମ୍ନାରେ ଧରିତ୍ରୀ ଭିକ ମାଗିବାକୁ ବସିଯାଇଛନ୍ତି। ସେ ବିବାହିତ, ତାଙ୍କର ଜଣେ ୨୨ ବର୍ଷର ପୁଅ ଅଛି। ଶାସ୍ତ୍ରୀୟ ସଙ୍ଗୀତରେ ନିପୁଣ ଏହି ମହିଳା ଏକଦା ଭେଲୋରର ସିଏମ୍‌ସି ହସ୍‌ପିଟାଲରେ କାମ କରୁଥିଲେ।

ଶ୍ରୀଜିତ ପାଢ଼ୀ
ପୁରୀରେ ଉଚ୍ଚଶିକ୍ଷିତ ଭିକାରୀ କହିଲେ କେବଳ ଧରିତ୍ରୀ ଚାଟାର୍ଜୀ ଏକା ନୁହନ୍ତି। ଜଗନ୍ନାଥ ମନ୍ଦିର ନିକଟରୁ ଉଦ୍ଧାର ହୋଇଥିବା ଶ୍ରୀଜିତ ଜଣେ ମେଧାବୀ ଛାତ୍ର ବୋଲି ଜଣାପଡ଼ିଛି। ଦିନେ କଟକର ରେଭେନ୍ସା କଲେଜରେ ସବୁଠୁ ଅଧିକ ନମ୍ବର ରଖୁଥିବା ଶ୍ରୀଜିତ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷା କରିଥିଲେ। ସେ ରେଭେନ୍ସାରେ ପଢ଼ୁଥିବା ବେଳେ ତାଙ୍କର ପ୍ରିୟ ସାଙ୍ଗ ଥିଲେ କଟକ-ଭୁବନେଶ୍ବରର ବର୍ତ୍ତମାନର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଶ୍ରୀଜିତଙ୍କୁ ଦେଖିଲେ କେହି କେବେ ବି ଭାବିପାରିବ ନାହିଁ ଯେ ସେ ବଡ଼ଦାଣ୍ଡରେ ଗୋଟିଏ ଗାମୁଛା ପିନ୍ଧି ଭିକ ମାଗୁଥିବା ଦୁର୍ବଳ ଲୋକଟି ଦିନେ ଓଡ଼ିଶାର ସବୁଠୁ ବଡ଼ କଲେଜରେ ଇକୋନୋମିକ୍ସରେ ଏମ୍‌ଏ କରିଥିବ ବୋଲି। ଲମ୍ବା ଦାଢ଼ି, ମଳିନ କେଶ, ପାଗଳ ଭଳି ଠାଣିମାଣି ଥିବା ଶ୍ରୀଜିତଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ ସାଙ୍ଗମାନେ। ଶ୍ରୀଜିତଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ସିଭିଲ ସର୍ଭିସ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ସେ ମାନସିକ ସନ୍ତୁଳନ ହରାଇ ବସିଥିଲେ। ଏବେ ସେ ପିଲାଙ୍କୁ ପଢ଼ାଇବେ ବୋଲି କହିଛନ୍ତି।

ଲକ୍ଷ୍ମୀପ୍ରିୟା ମିଶ୍ର
ଧରିତ୍ରୀ ଏବଂ ଶ୍ରୀଜିତଙ୍କ ପରି ଉଚ୍ଚଶିକ୍ଷା ପରେ ଭିକ୍ଷାବୃତ୍ତି କରୁଥିବା ଆଉଜଣେ ମହିଳା ହେଉଛନ୍ତି ଲକ୍ଷ୍ମୀପ୍ରିୟା ମିଶ୍ର। ତାଙ୍କ ବେଶଭୂଷା ଦେଖି କେହି କେବେ ବି କହିପାରିବ ନାହିଁ ଯେ ଲକ୍ଷ୍ମୀପ୍ରିୟା ଦିନେ ପୁରୀ ବାଳିକା ବିଦ୍ୟାଳୟରେ ୫ ବର୍ଷ ଧରି ଶିକ୍ଷକତା ବୃତ୍ତିରେ ନିୟୋଜିତ ଥିଲେ। ଗୁଜରାଟ ଏବଂ ଇଥିଓପିଆରେ ଗଣିତ ଓ ରସାୟନ ବିଞାନ ବିଷୟରେ ସେ ଶିକ୍ଷାଦାନ କରିଥିବା ଜଣାଯାଏ। ସେ ନିଜର ଏକମାତ୍ର ପୁଅକୁ ହରାଇବା ପରେ ନିଜର ମାନସିକ ସନ୍ତୁଳନ ହରାଇ ବସିଛନ୍ତି ଏବଂ ଏବେ ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି ବାଟ ବାଛି ନେଇଛନ୍ତି। ଲକ୍ଷ୍ମୀପ୍ରିୟାଙ୍କ ଆଖିକୁ ଏବେ ଦେଖାଯାଉନି। ପୁରୀ ଲାୟନ୍ସ କ୍ଲବର ସଦସ୍ୟମାନେ ତାଙ୍କର ଚକ୍ଷୁ ଚିକିତ୍ସା ଲାଗି ଭୁବନେଶ୍ବରର ଏକ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି।

ଭିକାରୀମୁକ୍ତ ଅଭିଯାନର କର୍ମକର୍ତ୍ତାମାନେ କହନ୍ତି, କେବଳ ୫ ଦିନ ମଧ୍ୟରେ ୧୨ରୁ ଊର୍ଦ୍ଧ୍ବ ଉଚ୍ଚଶିକ୍ଷିତଙ୍କୁ ଚିହ୍ନଟ କରାଯାଇଛି। ଏହି ଉଚ୍ଚଶିକ୍ଷିତ ଭିକାରୀମାନଙ୍କ ମଧ୍ୟରେ ଅଛନ୍ତି ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଗିରିଜା ଶଙ୍କର ମିଶ୍ର। ଅଭିଯାନର ପ୍ରବକ୍ତା ସିଦ୍ଧାର୍ଥ ରାୟଙ୍କ କହିବା କଥା କେତେକଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ଫଳ ମିଳି ନ ଥିବାରୁ ସେମାନେ ମାନସିକ ବିକାର ଓ ଅବସାଦ ନେଇ ଏଠାରେ ଭିକ୍ଷାବୃତ୍ତି କରୁଛନ୍ତି।

ଦ୍ବିତୀୟରେ ବ୍ୟବସ୍ଥାଜନିତ ତ୍ରୁଟି କାରଣରୁ ସାମାଜିକ, ପାରିବାରିକ ଓ ବୃତ୍ତିଗତ ଜୀବନ ପ୍ରଭାବିତ ହୋଇଥିବା ହେତୁ ସାମାଜିକ ଜୀବନ ଜିଇବାକୁ ଚାହୁଁ ନ ଥିବା ଲୋକ ଏଠାକୁ ଆସିଛନ୍ତି। ତୃତୀୟତଃ କିଛି ଲୋକ ଧାର୍ମିକ କାରଣରୁ ଆସିଛନ୍ତି। ଆଉ କେତେକ ସୁବିଧାରେ ରୋଜଗାର ପାଇଁ ଏ ପନ୍ଥା ବାଛିଛନ୍ତି। ଆମ ସମାଜରେ ଶ୍ରମକୁ ସମ୍ମାନ ମିଳୁଛି। ପାଶ୍ଚାତ୍ୟରେ ଜଣେ ପ୍ରଫେସର ସମୟ ମିଳିଲେ ଟ୍ୟାକ୍ସି ଚଳାଇଥାଏ। ହୋଟେଲରେ କାମ କରିଥାଏ। କିନ୍ତୁ ଏଠାରେ ଆମ ବ୍ୟବସ୍ଥା ସେପରି କାମ କରୁଥିବା ବ୍ୟକ୍ତିଙ୍କୁ ହୀନ ଦୃଷ୍ଟିରେ ଦେଖେ। ଆମ ଦେଶରେ ଜଣେ ବ୍ୟକ୍ତିକୁ ଯେତେବେଳେ ଲାଗେ କି କାମ, ନାମରୁ ପ୍ରତିଷ୍ଠା ମିଳୁନି, ଯାହା ମିଳିବାର କଥା ସେତେବେଳେ ସେ ହତାଶ ହୁଏ। ସେତେବେଳେ ସେ ସମାଜର ଭଲମନ୍ଦ ବିବେଚନା ନ କରି ଭିକ୍ଷାବୃତ୍ତିରେ ଯୋଗଦେଉଛି। ଯାହା ପୁରୀରେ ଦେଖିବାକୁ ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ