କୋରୋନା କବଳରେ ସାରା ବିଶ୍ବ: ଚାରିଆଡ଼େ ହାହାକାର


ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) କୋରୋନାକୁ ମହାମାରୀ ଘୋଷଣା କରିଛନ୍ତି। ବିଶ୍ବର ବିଭିନ୍ନ ଦେଶରେ ଏକ ସମୟରେ ଲୋକଙ୍କୁ ସଂକ୍ରମିତ ହେଉଥିବା ଏହି ରୋଗକୁ ମହାମାରୀ କୁହାଯାଇଛି। ହୁ ଅଧ୍ୟକ୍ଷ ଡ.ଟିଏ ଗେବ୍ରିୟେସେସଙ୍କ କହିବା ଅନୁଯାୟୀ, ଭାଇରସକୁ ନେଇ ନିଷ୍କ୍ରିୟତା ଜାରି ରହିଥିବା ବେଳେ ଏହା ସାରା ବିଶ୍ବରେ ଚିନ୍ତାଜନକ ହୋଇଛି। ଏଣୁ ଏବେ କୋରୋନା ପାଇଁ ମହାମାରୀ ଶବ୍ଦ ପ୍ରୟୋଗ କରିବା ପ୍ରଯୁଜ୍ୟ।

ମହାମାରୀ କ’ଣ

ଏହି ପରିଭାଷା କେବଳ ସଂକ୍ରମଣକାରୀ ରୋଗ ପାଇଁ ବ୍ୟବହାର କରାଯାଇଥାଏ, ଯାହାକି ଦ୍ରୁତଗତିରେ ଏକାଧିକ ଦେଶରେ ଗୋଟିଏ ସମାନ ସମୟରେ ବ୍ୟାପିଥାଏ। ଏହା ପୂର୍ବରୁ ୨୦୦୯ରେ ସ୍ବାଇନ ଫ୍ଲୁକୁ ମହାମାରୀ ଘୋଷଣା କରାଯାଇଥିଲା। ବିଶେଷଞଙ୍କ ସୂଚନା ପ୍ରକାରେ ଏହି ରୋଗରେ ବହୁ ଲୋକଙ୍କ ଜୀବନ ଯାଇଥିଲା। ଭୂତାଣୁ ନୂଆ ହୋଇଥିଲେ ମହାମାରୀର ସମ୍ଭାବନା ବ୍ୟାପକ ରୂପେ ବଢ଼ିଯାଇଥାଏ। ଏହା ସହଜରେ ଲୋକଙ୍କୁ କବଳିତ କରିଥାଏ। ବର୍ତ୍ତମାନ ସୁଦ୍ଧା କୋରୋନା ଭାଇରସର ଚିକିତ୍ସା କରିବା ପାଇଁ କୌଣସି ଟୀକା କିମ୍ବା ଔଷଧ ନାହିଁ। ଭୂତାଣୁ ବ୍ୟାପିବାକୁ ରୋକିବା ସମସ୍ତଙ୍କ ପାଇଁ ମୁଖ୍ୟ କାର୍ଯ୍ୟ ଅଟେ।

କୋରୋନାକୁ ମହାମାରୀ କହିବାର କାରଣ

ଫେବ୍ରୁଆରୀ ମାସ ଶେଷ ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ କୋରୋନା ଭାଇରସରେ ମହାମାରୀ ସୃଷ୍ଟି କରିବାର କ୍ଷମତା ରହିଛି। କିନ୍ତୁ ଫେବ୍ରୁଆରୀ ମାସରେ ଏହା ଏତେ ଦେଶକୁ ବ୍ୟାପି ନ ଥିଲା। ଫେବ୍ରୁଆରୀ ଶେଷରେ ଏହି ଭୂତାଣୁ ମହାମାରୀ ସୃଷ୍ଟି କରିବାର କ୍ଷମତା ପାଇଲା। ଏବେ ସାରା ବିଶ୍ବକୁ କବଳିତ କରିଛି କୋରୋନା। ୧୧୪ଟି ଦେଶରେ ବର୍ତ୍ତମାନ ସୁଦ୍ଧା ୧,୧୮,୦୦୦ କୋରୋନା ସଂକ୍ରମଣ ଜନିତ ମାମଲା ସାମ୍ନାକୁ ଆସିଛି। ହୁ କହିଛି ଯେ ଦେଶରେ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଯେଭଳି ସୁଧାର ଅଣାଯିବା କଥା, ଅଣାଯାଇ ପାରୁନାହିଁ। ସାଧନର ଅଭାବ ଏ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଛି। ସବୁ ଦେଶ ଏ ଦିଗରେ ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ କୁହାଯାଇଛି। ଭାରତ ସରକାର କୋରୋନା ଭାଇରସକୁ ପରିଚାଳନା କରିବା ଦିଗରେ କେତେକ ଠୋସ ପଦକ୍ଷେପ ନେଇଛନ୍ତି। ୧୫ ଏପ୍ରିଲ ପର୍ଯ୍ୟନ୍ତ ଭିସା ମଧ୍ୟ ରଦ୍ଦ କରି ଦିଆଯାଇଛି। ଅଯଥାରେ ଯାତ୍ରା ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

ଟୀକା ତିଆରି ପାଇଁ ଲାଗିଯିବ ୨ ବର୍ଷ

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଗୁରୁବାର ଦର୍ଶାଇଛି ଯେ କୋଭିଡ-୧୯କୁ ନିୟନ୍ତ୍ରଣ କରିବା ଭଳି ଟୀକା ବିକଶିତ କରିବାକୁ ହେଲେ ଦେଢ଼ରୁ ୨ ବର୍ଷ ସମୟ ଲାଗିଯିବ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଯେଉଁମାନେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖୁଛନ୍ତି, ନିୟମିତ ହାତ ଧୋଉଛନ୍ତି, ସେମାନେ ଚିନ୍ତା କରିବାର କାରଣ ନାହିଁ। ଏହି ଭୂତାଣୁ କବଳରୁ ମୁକ୍ତି ପାଇବା ପାଇଁ ଯେ ନିୟମିତ ମାସ୍କ ପିନ୍ଧି ରହିବାକୁ ପଡ଼ିବ, ଏହା ନୁହେଁ। ସେ ସୂଚାଇଥିଲେ ଯେ ଭାରତ ସରକାରଙ୍କ ନିକଟରେ ଏବେ କୋରୋନା ଟେଷ୍ଟ କରିବା ପାଇଁ ପାଖାପାଖି ୧ ଲକ୍ଷ କିଟ୍‌ ରହିଛି। ଯାଞ୍ଚ କରିବା ପାଇଁ ପର୍ଯ୍ୟପ୍ତ ସୁବିଧା ରହିଛି। ଦେଶରେ ଅଦ୍ୟାବଧି ୭୩ଟି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ୧୭ ବିଦେଶୀ ଏବଂ ୫୬ ଭାରତୀୟ ନାଗରିକ ରହିଛନ୍ତି। ଆଗାମୀ ୩ ଦିନ ଭିତରେ ଭାରତ ତିନୋଟି ବିମାନକୁ ଇରାନ ପଠାଇବ। ଫଳରେ କୋରୋନା ଭାଇରସ ପ୍ରଭାବିତ ଦେଶରୁ ଭାରତୀୟମାନଙ୍କୁ ଉଦ୍ଧାର କରାଯାଇପାରିବ। ଭାରତର ୩୦ ବିମାନବନ୍ଦରରେ ଅଦ୍ୟାବଧି ସାଢ଼େ ୧୦ ଲକ୍ଷ ଲୋକଙ୍କୁ ସ୍କ୍ରିନିଂ କରାଯାଇଛି।

ଭାରତ ବିଶ୍ବର ଦ୍ବିତୀୟ ବୃହତ ଜନବହୁଳ ରାଷ୍ଟ୍ର। ଯଦି ଏଠାରେ ଭାଇରସ କାୟା ମେଲାଏ, ତେବେ ଏହାର ପରିଣାମ ଉଦ୍‌ବେଗଜନକ ହେବ। ନିଜର ପ୍ରତିବଦ୍ଧତା ଓ ନିଷ୍ଠା କାରଣରୁ ଭାରତ ସ୍ବାଇନ ଫ୍ଲୁର ଯଥାର୍ଥ ମୁକାବିଲା କରିପାରିଛି ଏବଂ ପୋଲିଓକୁ ନିର୍ମୂଳ କରାଇପାରିଛି। ନିକଟରେ ବିପଦଜନକ ନିପା ଭାଇରସକୁ ନିପାତ କରାଇଛି। ରୋଗ ଉପରେ ତୀକ୍ଷ୍‌ଣ ନଜର ରଖିବା କାରଣରୁ ଏହା ସମ୍ଭବ ହୋଇପାରିଛି। ଡାଇରିଆ, ଡେଙ୍ଗୁ, ଚିକେନପକ୍ସ, ଫୁଡ ପଏଜନିଂ ଆଦିରୁ ସଫଳତା ପାଇବା ପାଇଁ ସ୍ବତନ୍ତ୍ର ରେସପନ୍ସ ଟିମ୍‌ ଗଢ଼ାଯାଇ ରୋଗ ଯେଭଳି ନ ବ୍ୟାପେ ସେ ଦିଗରେ ଧ୍ୟାନ ଦିଆଯାଇଛି। କିନ୍ତୁ ଅନ୍ୟପକ୍ଷରେ କୋରୋନାର ଆତଙ୍କ ବିଶ୍ବବ୍ୟାପୀ ମାଡ଼ିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିବା ପରେ ଭାରତୀୟ ଷ୍ଟକ ଏକ୍ସଚେଞ୍ଜରେ ନକାରାତ୍ମକ ପ୍ରଭାବ ପଡ଼ିଛି।

ବଜାରରେ ହଇଚଇ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୟୁରୋପୀୟ ଦେଶ ଗସ୍ତକୁ ବାତିଲ କରାଯିବାର କିଛି ସମୟ ପରେ ବଜାର ହାଲ ବିଗିଡ଼ିବାକୁ ଲାଗିଲା। ହଂକଂ, ଟୋକିଓ ଆଦି ବଜାରରେ ମୁଖ୍ୟ ସୂଚକାଙ୍କ ତିନିରୁ ପାଞ୍ଚ ପ୍ରତିଶତ ହ୍ରାସ ପାଇଲା। ଭାରତରେ ଶେୟାର ବଜାର ଖୋଲିବା ମାତ୍ରେ ହିଁ ନିମ୍ନଗାମୀ ହେବାକୁ ଲାଗିଲା।

ପର୍ଯ୍ୟଟନ କ୍ଷେତ୍ର ଶୂନଶାନ
କୋରୋନା ଭାଇରସ କାରଣରୁ ବର୍ତ୍ତମାନ ସୁଦ୍ଧା ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୧୧୩ ଦେଶରେ ଏହି ଭୂତାଣୁ ପ୍ରବେଶ କରିଛି। ବିଶ୍ବର ଅନେକ ସହରରେ ଏବେ ଶୂନଶାନ ପରିବେଶ। ମୁସଲମାନଙ୍କ ଧାର୍ମିକ ସହର ମକ୍କାରେ ଏବେ ଗଳି ଗଳିରେ ନୀରବତା ଦେଖିବାକୁ ମିଳିଛି। ଭାରତର ଅମୃତସର ସ୍ବର୍ଣ୍ଣମନ୍ଦିର ପାଇଁ ବିଖ୍ୟାତ। ଏଠାକାର ବିମାନବନ୍ଦରରେ ପ୍ରତ୍ୟେକ ଦିନ ଭିଡ଼ ଲାଗିଥାଏ। କିନ୍ତୁ ଏବେ ଏହା ଖାଁ ଖାଁ। ପର୍ଯ୍ୟଟକଙ୍କ ଭିଡ଼ ନାହିଁ କହିଲେ ଚଳେ। ସାଉଦି ଆରବରେ କୋରୋନା ଭାଇରସର ପ୍ରକୋପକୁ ଦେଖିବା ପରେ ଗତ ସପ୍ତାହରୁ ଉମରା ପାଇଁ ଜାରି ହୋଇଥିବା ଭିସା ରଦ୍ଦ କରିଦିଆଯାଇଛି। ଚୀନ ପରେ ଇଟାଲୀ ଏଭଳି ଦେଶ ଯେଉଁଠି ସର୍ବାଧିକ ୮୨୭ ଜଣଙ୍କର କୋରୋନାରେ ମୃତ୍ୟୁ ଘଟିସାରିଲାଣି। ଏଠି ୧୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ। ଭେନିସ ସହରର ପ୍ରସିଦ୍ଧ ସେଣ୍ଟ ମାର୍କସ ସ୍କୋୟାର ମଧ୍ୟ ଶୂନଶାନ ହୋଇପଡ଼ିଛି। ଯେଉଁଠି ପ୍ରତ୍ୟେକ ଦିନ ୩୦ ହଜାର ପର୍ଯ୍ୟଟକ ଆସୁଥିଲେ, ସେଠାରେ ଏବେ ୩୦୦ ପର୍ଯ୍ୟଟକ ବି ପହଞ୍ଚୁ ନାହାନ୍ତି। ଜାପାନର ରାଜଧାନୀ ଟୋକିଓର ଶପିଙ୍ଗ ହବ ଗିନ୍‌ଜା ମଧ୍ୟ ଫାଙ୍କା। ଏଠାରେ ଦୋକାନ ଖୋଲା, ଦୋକାନୀ ବି ଅପେକ୍ଷାରତ କିନ୍ତୁ ପହଞ୍ଚୁନାହାନ୍ତି ଗ୍ରାହକ। ବ୍ୟାଙ୍କକର ଗ୍ରାଣ୍ଡ ରୟାଲ ପ୍ୟାଲେସ ମଧ୍ୟ ଶୂନଶାନ। ୩ ମାସ ତଳେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ଅଧା ବି ଏବେ ଆସୁନାହାନ୍ତି। ଚୀନ ନିଜ ଦେଶରୁ ମାଉଣ୍ଟ ଏଭରେଷ୍ଟ ଯିବା ରାସ୍ତା ବନ୍ଦ କରିଦେଇଛି। ତିବ୍ଦତ ଦେଇ କୌଣସି ପର୍ବତାରୋହୀ ମାଉଣ୍ଟ ଏଭରେଷ୍ଟକୁ ନ ଯିବାକୁ କହିଛି ଚୀନ।

କୋରୋନା ୧୨୪ଟି ଦେଶକୁ ଟାର୍ଗେଟ କରିଛି। ଚୀନ, ଇଟାଲୀ, ଇରାନ ଏବଂ ଆମେରିକାରେ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଜର୍ମାନୀର ୭୦ ପ୍ରତିଶତ ନାଗରିକ ଏହି ଭୂତାଣୁଜନିତ ସଂକ୍ରମଣରେ ପୀଡ଼ିତ ହୋଇପାରନ୍ତି ବୋଲି ବିଶେଷଞମାନେ ସୂଚିତ କରାଇଛନ୍ତି। ସମ୍ପ୍ରତି ଜର୍ମାନୀରେ ୧୩୦୦ ଲୋକ ସଂକ୍ରମିତ। କୋରୋନା ସଙ୍କଟରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଆତଙ୍କିତ। ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୧୬୮ ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ୬ କୋଟି ଲୋକ ଏଥିରେ ପ୍ରଭାବିତ। ଆମେରିକାରେ ୩୧ ଜଣ ମୃତ୍ୟୁବରଣ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ